ଡାକ୍ତର ବିଚିତ୍ରାନନ୍ଦ ଆଚାର୍ଯ୍ୟ-
ଜନ ୨୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ ବା ବିଶ୍ୱଯୋଗ ଦିବସ ଭାବେ ଚୟନ କରାଯିବା ପଛରେ ଉଭୟ ବୈଜ୍ଞାନିକ ଓ ପାରମ୍ପରିକ କାରଣ ରହିଛି । ଜ୍ୟୋତିର୍ବିଦଙ୍କ ମତରେ, ସୂର୍ଯ୍ୟଙ୍କ ଗତି ଦୁଇ ପ୍ରକାର – ଉତ୍ତରାୟଣ ଏବଂ ଦକ୍ଷିଣାୟନ । ଜୁନ ୨୧ ତାରିଖରେ ସୂର୍ଯ୍ୟ ନିଜର ଗତି ପରିବର୍ତ୍ତନ କରନ୍ତି । ଅର୍ଥାତ୍ ଏହି ଦିନ ସେ ଉତ୍ତରାୟଣରୁ ଦକ୍ଷିଣାୟନକୁ ଯାଆନ୍ତି । ଫଳରେ ସୂର୍ଯ୍ୟଙ୍କ ତେଜ ଓ ତାପ କମ ହୁଏ । ଅର୍ଥାତ୍ ପାଗ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୁଏ । ସୂର୍ଯ୍ୟଙ୍କ ତାପ ଓ ତେଜ ହ୍ରାସ ହେତୁ ପୃଥିବୀର ଗୋଟିଏ ଭାଗରେ ରୋଗ ଜୀବାଣୁ ସକ୍ରିୟ ହୋଇଉଠନ୍ତି ଏବଂ ରୋଗାକ୍ରାନ୍ତ ହେବାର ଆଶଙ୍କା ଉପୁଜେ । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଯୋଗ ଅଭ୍ୟାସ ନିହାତି ଜରୁରୀ । ଏହି କାରଣରୁ ଜୁନ ୨୧କୁ ଯୋଗ ଦିବସ ଭାବେ ଚୟନ କରାଯାଇ ଯୋଗାଭ୍ୟାସ ପାଇଁ ଲୋକଙ୍କୁ ପ୍ରେରିତ କରାଯାଇଥାଏ । ଯୋଗ, ଭାରତୀୟ ସଂସ୍କୃତିରେ ବହୁ ପୁରାତନ ଯୁଗରୁ ପ୍ରଚଳିତ । ମହର୍ଷି ପାତଞ୍ଜଳି, ଅଷ୍ଟାଙ୍ଗଯୋଗ ସୂତ୍ର ପ୍ରଣୟନ କରି, ଯୋଗ ପାଇଁ ନୀତି, ନିୟମ ଏବଂ ବିଭିନ୍ନ ଆସନ ନିର୍ଣ୍ଣୟ କରି ଯାଇଥିଲେ । ସେହି ଯୁଗରୁ ଯୋଗ ଭାରତ ବର୍ଷରେ ଆଧ୍ୟାତ୍ମିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି, ମାତ୍ର ଯୋଗ ମୁଖ୍ୟତଃ ସାଧୁସନ୍ଥ, ସନ୍ନ୍ୟାସୀମାନଙ୍କ ମଧ୍ୟରେ ସୀମିତ ଥିଲା । ଯୋଗ ଯେ ସାଧାରଣରେ ପ୍ରତ୍ୟେକ ମନୁଷ୍ୟର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏକ ଉତ୍କୃଷ୍ଟ ବ୍ୟାୟାମ ଏବଂ ଶାରୀରିକ ମାନସିକ ସ୍ତରରେ ସନ୍ତୁଳନ ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏହାକୁ ନେଇ ସଚେତନତା ସୃଷ୍ଟି ହୋଇ ନଥିଲା । ଯେଉଁମାନେ ସାଧୁ, ସନ୍ଥ, ସନ୍ନ୍ୟାସୀମାନଙ୍କର ଅନୁଗାମୀ ହେଉଥିଲେ, ସେମାନେ ଅଳ୍ପ ବହୁତେ ଯୋଗ ସଂପର୍କରେ ଜାଣୁଥିଲେ, ଅନ୍ୟମାନଙ୍କ ପାଇଁ ପ୍ରାୟ ପ୍ରବେଶ ନଥିଲା । ସୁସ୍ଥ ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ରୋଗ ପ୍ରତିରୋଧକ ପଦକ୍ଷେପ ନେଇ ସାଧାରଣ ରୋଗ ଠାରୁ ଦୂରରେ ରହିବା ପାଇଁ ସମଗ୍ର ବିଶ୍ୱରେ ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ବିଭିନ୍ନ ରିସର୍ଚ୍ଚ ମାଧ୍ୟମରେ ସେମାନଙ୍କ ସୁଚିନ୍ତିତ ମତ ଦେଲେ, ସେତେବେଳେ ଭାରତରେ ବହୁ ପୁରାତନ କାଳରୁ ସ୍ୱାସ୍ଥ୍ୟ ରକ୍ଷାକୁ ନେଇ ପ୍ରଚଳନ ଥିବା ଯୋଗାଭ୍ୟାସକୁ ସୁନ୍ଦର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏକ ପ୍ରକୋଷ୍ଟ ମାର୍ଗ ବୋଲି ମତ ଦେଲେ ଏବଂ ଯୋଗର ପ୍ରଚାର ପ୍ରସାର ହେଲା । କିନ୍ତୁ ବିଗତ ଦଶ ବର୍ଷ ମଧ୍ୟରେ ଯୋଗୁରୁ ରାମଦେବ ସମଗ୍ର ଭାରତ ବର୍ଷରେ ଯୋଗାଭ୍ୟାସର ପ୍ରଚାର, ପ୍ରସାର କରି ଯୋଗର ଉପକାରିତାକୁ ଜନମାନସରେ ପ୍ରତିଷ୍ଠା କରିବାରେ ସଫଳ ହେଲେ । ଆଧୁନିକ ଯୁଗର ଟିଭି ମିଡ଼ିଆ ତାଙ୍କୁ ଏ ଦିଗରେ ବହୁଳ ଭାବେ ସହାୟତା କଲା ଯାହାର ପ୍ରଭାବ ବିଶ୍ୱର ସମସ୍ତ ବିକଶିତ ରାଷ୍ଟ୍ର ଉପରେ ପଡ଼ିଥିଲା । ସୁସ୍ଥ ଜୀବନ ମେଣ୍ଟାଇବା ପାଇଁ । ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଯୋଗର ଗୁରୁତ୍ୱ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ବିଶ୍ୱବାସୀ ଉପଲବ୍ଧ କରୁଛନ୍ତି, ତାହାହିଁ ଭାରତୀୟ ସଂସ୍କୃତି ପରମ୍ପରାର ଏକ ବିଶିଷ୍ଟ ନିଦର୍ଶନ । ଯୋଗ ସମ୍ବନ୍ଧୀୟ ଉପଦେଶ ସର୍ବପ୍ରଥମେ ହିରଣ୍ୟଗର୍ଭ ବ୍ରହ୍ମା ସନକାଦିକୋଙ୍କୁ ଓ ପରେ ସୂର୍ଯ୍ୟଙ୍କୁ ଦେଇଥିଲେ । ପରେ ଏହା ଦୁଇ ଭାଗରେ ବିଭକ୍ତ ହୋଇଗଲା । ପ୍ରଥମଟି ବ୍ରହ୍ମାଯୋଗ, ଦ୍ୱିତୀୟଟି କର୍ମଯୋଗ । ବ୍ରହ୍ମାଯୋଗର ପରମ୍ପରା ସନକ, ସନନ୍ଦନ, ସନାତନ, କପିଳ, ଆସୁରୀ, ବୌଦ୍ଧ ଓ ପଞ୍ଚଶିଖ ନାରଦ ଶୁକାଦିଙ୍କୋ ଆରମ୍ଭ କରିଥିଲେ । ଏହା ଲୋକଙ୍କ ମଧ୍ୟରେ ଜ୍ଞାନ, ଆଧ୍ୟାତ୍ମ୍ୟ ଓ ସାଂଖ୍ୟ ଯୋଗ ନାମରେ ପ୍ରସିଦ୍ଧ ହେଲା । ସେହିପରି କର୍ମଯୋଗର ପରମ୍ପରା ସୂର୍ଯ୍ୟଙ୍କର ଅଟେ । ସୂର୍ଯ୍ୟ ପ୍ରଥମେ ମନୁଙ୍କୁ, ମନୁ ଇକ୍ସଭାଙ୍କୁ ଇକ୍ସଭା ରାଜା, ପ୍ରଜାଙ୍କୁ ଯୋଗ ସମ୍ବନ୍ଧୀୟ ଉପଦେଶ ଦେଇଥିଲେ । ଏହି ସବୁ ତଥ୍ୟ ବେଦ ଏବଂ ପୁରାଣରେ ଉଲ୍ଲେଖ ରହିଛି । ବେଦକୁ ସଂସାରର ପ୍ରଥମ ପୁସ୍ତକ ଭାବେ ଗ୍ରହଣ କରାଯାଏ । ଏହାର ଉତ୍ପତ୍ତି ପ୍ରାୟ ୧୦, ୦୦୦ ବର୍ଷ ପୂର୍ବରୁ ହୋଇଥିବାର କୁହାଯାଏ । ପ୍ରତ୍ନତତ୍ତ୍ୱବିତ୍ଙ୍କ କହିବା ଅନୁଯାୟୀ ଯୋଗର ଉତ୍ପତ୍ତି ଖ୍ରୀ.ପୂ.୫୦୦୦ରେ ହୋଇଥିଲା । ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ଏହା ପିଢ଼ି ପରେ ପିଢିକୁ ଯାଇଥିଲା । ତେବେ ଭାରତରେ ଯୋଗର ସବୁଠାରୁ ଆଶ୍ଚର୍ଯ୍ୟଜନକ ସନ୍ଧାନ ୧୯୨୦ ମସିହାରେ ହୋଇଥିଲା । ୧୯୨୦ ମସିହାରେ ପ୍ରତ୍ନତତ୍ତ୍ୱବିତ୍ମାନେ ଭାରତୀୟ ଯୋଗ ସିନ୍ଧୁ ସରସ୍ୱତୀ ସଭ୍ୟତାର ସନ୍ଧାନ କରିଥିଲେ । ଯେଉଁଥିରେ ହିନ୍ଦୁଧର୍ମ ଓ ଯୋଗ ପରମ୍ପରା ଥିବାର ପ୍ରମାଣ ମିଳିଥିଲା । ସିନ୍ଧୁ ଘାଟି ସଭ୍ୟତାକୁ ୩୩୦୦-୧୭୦୦ ବି.ସି.ଇ ପୁରୁଣା ଭାବେ ଗ୍ରହଣ କରାଯାଏ । ପୁରାଣ କାଳରେ ଯୋଗ ବିନା ବିଦ୍ୱାନ ମାନଙ୍କ କୌଣସି ଯଜ୍ଞକର୍ମ ସଫଳ ହୁଏନାହିଁ ବୋଲି କୁହାଯାଏ । ଯୋଗାଭ୍ୟାସର ପ୍ରାମାଣିକ ଚିତ୍ରଣ ପ୍ରାୟ ୩୦୦୦ ଇ.ପୁ. ସିନ୍ଧୁ ଘାଟି ସଭ୍ୟତା ସମୟରେ ମୂର୍ତ୍ତି ଓ ମୋହରରେ ଦେଖିବାକୁ ମିଳେ । ଯୋଗର ପ୍ରାମାଣିକ ଗ୍ରନ୍ଥ ଯୋଗସୂତ୍ର ୨୦୦ ଇ.ପୁ.ରେ ଲେଖାଯାଇଛି, ଯାହା ଯୋଗ ଉପରେ ଲେଖାଯାଇଥିବା ସୁବ୍ୟବସ୍ଥିତ ଗ୍ରନ୍ଥ ଅଟେ । ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମରେ ଯୋଗ ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣନା କରାଯାଇଛି । ମାତ୍ର ଏହାର ମୂଳ ବେଦ ଓ ଉପନିଷଦ ହିଁ ଅଟେ । ତେବେ ପ୍ରଥମ ଥର ପାଇଁ ୨୦୦ ଇ.ପୁ.ରେ ପତଞ୍ଜଳି ବେଦରେ ବିଚ୍ଛୁରିତ ହୋଇଥିବା ଯୋଗ ବିଦ୍ୟାକୁ ସଠିକ ଭାବେରେ ବର୍ଗୀକରଣ କରିଥିଲେ । ଏହା ପରେ ଯୋଗର ପ୍ରଚଳନ ବଢ଼ିଥିଲା । ଯୋଗ ସଂସ୍ଥାନ, ପୀଠ ଓ ଆଶ୍ରମ ଆଦି ହେବାକୁ ଲାଗିଲା । କୁହାଯାଏ, ଭଗବାନ ଶଙ୍କରଙ୍କ ପରେ ବୈଦିକ ଋଷିମୁନି ଯୋଗର ପ୍ରାରମ୍ଭ କରିଥିଲେ । ପରେ କୃଷ୍ଣ, ମହାବୀର ଓ ବୁଦ୍ଧ ଏହାକୁ ନିଜ ଅନୁସାରେ ବିସ୍ତାର କରିଥିଲେ । ମାତ୍ର ପତଞ୍ଜଳି ଏହାକୁ ସୁବ୍ୟବସ୍ଥିତ ରୂପ ଦେଇଥିଲା । ଏହି ରୂପକୁ ପରେ ସିଦ୍ୱପନ୍ଥି, ଶୈବପନ୍ଥି, ନାଥପନ୍ଥି, ବୈଷ୍ଣବ ଓ ଶକ୍ତି ପନ୍ଥି ମାନେ ନିଜ ନିଜ ଅନୁସାରେ ବିସ୍ତାର କରିଥିଲେ । ଯୋଗ ପରମ୍ପରା ଓ ଶାସ୍ତ୍ରକୁ ନେଇ ଏକ ବିସ୍ତୃତ ଇତିହାସ ରହିଛି ମାତ୍ର, ଏହି ଇତିହାସ ମଧ୍ୟରୁ କେତେକ ହଜିଯାଇଥିବା ବେଳେ କେତେକ ଆଫଗାନିସ୍ଥାନ, ହିମାଳୟର ଗୁମ୍ଫା, ତାମିଲନାଡୁ, ଆସାମ ସହିତ ବର୍ମାର ଜଙ୍ଗରେ ରହିଥିବାର କୁହାଯାଏ । ଯେପରି ପ୍ରଭୁ ରାମଙ୍କ ଚିହ୍ନ ଭାରତର ଦ୍ୱୀପ ମହାଦ୍ୱୀପରେ ଦେଖିବାକୁ ମିଳିଥାଏ, ସେହିପରି ଯୋଗ କରୁଥିବା ଯୋଗୀ ଓ ତପସ୍ୱୀଙ୍କ ଚିହ୍ନ ବିଭିନ୍ନ ଜଙ୍ଗଲ, ପାହାଡ଼ ଓ ଗୁମ୍ଫାରେ ଆଜି ବି ଦେଖିବାକୁ ମିଳେ । ଦୈନନ୍ଦିନ ଜୀବନ ସାଧନାରେଯୋଗ ଅତ୍ୟନ୍ତ ଉପାଦେୟ ।
See insights and ads
All reactions: