ଏପ୍ରିଲ ୧୪ ଜନ୍ମ ଜୟନ୍ତୀ ଉପଲକ୍ଷେ
ରାଷ୍ଟ୍ରପୁରୁଷ ଡ. ଆମ୍ବେଦକର
- ସର୍ବେଶ୍ୱର ବେହେରା –
ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର ସ୍ୱତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ । ସେଥିପାଇଁ ସେ ରାଜନୈତିକ ସ୍ୱାଧୀନତା ଠାରୁ ସାମାଜିକ ସ୍ୱାଧୀନତାକୁ ମହତ୍ୱ ଦେଇଥିଲେ । ଏଥିପାଇଁ ତତ୍କାଳିନ କୌଣସି ନେତା ତାଙ୍କୁ ସହଯୋଗ କରିନଥିବା ସମୟରେ ସେ ଏକୁଟିଆ ଏହି ମହାନ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିଲେ । ତାଙ୍କ ମତରେ ଦେଶରେ ରାଜନୈତିକ ସ୍ୱାଧୀନତା ପ୍ରାପ୍ତ କରିବା ସହଜ, କିନ୍ତୁ ସହସ୍ର ବର୍ଷ ଧରି ଭାରତୀୟ ସମାଜରେ ବ୍ୟାପ୍ତ ଅସ୍ପୃଶ୍ୟତା ଦୂର କରିବା ଅତ୍ୟନ୍ତ କଠୋର କାର୍ଯ୍ୟ । ଅସ୍ପୃଶ୍ୟତା ଦୂର କରିବା ରାଷ୍ଟ୍ରହିତ ପାଇଁ କେବଳ ଆବଶ୍ୟକ ନୁହେଁ, ମାନବ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ ସର୍ବଦା କହୁଥିଲେ ଇଂରେଜମାନଙ୍କ କବଳରୁ ସ୍ୱାଧୀନ ହେବା ପାଇଁ ଯେପରି ସମସ୍ତେ ସଂଘର୍ଷ କରୁଛନ୍ତି, ସେହିପରି ସ୍ୱଦେଶୀ ବନ୍ଧୁ ତଥା ସାମାଜିକ ଓ ଆର୍ଥିକ ଦାସତ୍ୱରୁ ସ୍ୱାଧୀନ ହେବା ପାଇଁ ପ୍ରଚେଷ୍ଟା ଆବଶ୍ୟକ । ଏହି ଦୁଇ ପ୍ରକାର ସଂଘର୍ଷ କରିବା ଆବଶ୍ୟକ ।
ଦେଶଭକ୍ତିର ସଙ୍କଳ୍ପନା କେବଳ ରାଜନୈତିକ ସ୍ୱାଧୀନତା ମଧ୍ୟରେ ସୀମିତ ନୁହେଁ । ସାମାଜିକ ସ୍ୱତନ୍ତ୍ରତା ପାଇଁ ମଧ୍ୟ ପ୍ରଚେଷ୍ଟା ହେବା ଆବଶ୍ୟକ । ଡ. ଆମ୍ବେଦକର ନିଜର ସମଗ୍ର ଜୀବନ ଏହି ଯଜ୍ଞରେ ଆହୁତି ଦେଇଥିଲେ । ସମାଜରୁ ଅସ୍ପୃଶ୍ୟତା ଦୂର କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଥିପାଇଁ ସେ କଦାପି ରାଷ୍ଟ୍ରହିତ ସହିତ ସାଲିସ କରିନାହାନ୍ତି । ରାଷ୍ଟ୍ରହିତ ସର୍ବୋପରି ରୂପେ ସେ କାର୍ଯ୍ୟ କରୁଥିଲେ । ଡ. ଆମ୍ବେଦକର ସର୍ବଦା କହୁଥିଲେ ମୁଁ ଜଣେ ପ୍ରକୃତ ଦେଶଭକ୍ତ । ସ୍ୱାଧୀନତା ଆନ୍ଦୋଳନରେ ତ୍ୟାଗ କରିଥିବା ନେତାମାନଙ୍କ ସହିତ ମୁଁ ମଧ୍ୟ ସମକକ୍ଷ । ତାଙ୍କର ରାଷ୍ଟ୍ର ପ୍ରତି ନିଷ୍ଠା ସମ୍ବନ୍ଧରେ ଅନେକ ଉଦାହରଣ ଦେଖିବାକୁ ମିଳେ । ଯେତେବେଳେ ହାଇଦ୍ରାବାଦକୁ ଭାରତ ରାଷ୍ଟ୍ର ସଂଘ ସହିତ ସମ୍ମିଳିତ କରିବା ପାଇଁ ସାଧାରଣ ଜନତା ଆନ୍ଦୋଳନ କରୁଥିଲେ ସେତେବେଳେ ନିଜାମର ସୈନ୍ୟବାହିନୀ ଦଳିତ ଓ ଅସ୍ପୃଶ୍ୟମାନଙ୍କୁ ଇସଲାମ ଗ୍ରହଣ କରିବା ପାଇଁ ବହୁ ଚାପ ପକାଇବା ସହିତ ଅନେକ ଆକର୍ଷଣୀୟ ଓ ଲୋଭନୀୟ ପ୍ରସ୍ତାବ ରଖିଥିଲେ । ସେମାନେ ଆମ୍ବେଦକରଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ଆମ୍ବେଦକର ସ୍ପଷ୍ଟ ଘୋଷଣା କରିଥିଲେ ଯେ ‘ନିଜାମଙ୍କ କୌଣସି ଚାପ କିମ୍ବା ଆକର୍ଷଣ କଦାପି ଗ୍ରହଣଯୋଗ୍ୟ ନୁହେଁ । ଆମର ଏକମାତ୍ର ଲକ୍ଷ୍ୟ ଅଖଣ୍ଡ ଭାରତ । ନିଜାମ ଏ ରାଷ୍ଟ୍ର ଓ ମାତୃଭୂମିର ଶତ୍ରୁ । ହାଇଦ୍ରାବାଦକୁ ଭାରତ ସହିତ ବିଲୀନ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ହେବା ଉଚିତ । ଏଥିପାଇଁ ସମସ୍ତେ ନିଜର ତନ, ମନ ଓ ଧନ ସମର୍ପଣ କରି କାର୍ଯ୍ୟ କରିବା ଉଚିତ ।’
ଏହିପରି ଆମ୍ବେଦକରଙ୍କ ରାଷ୍ଟ୍ରନିଷ୍ଠା ସମ୍ବନ୍ଧିତ ଅନେକ ମହାନ ବିଚାର ଆଜି ଲୋକଲୋଚନକୁ ଆସିପାରି ନାହିଁ । ତାଙ୍କୁ କେବଳ ଦଳିତ ନେତା ରୂପେ ଆଜି ଅଭିହିତ କରାଯାଉଛି ଓ ତାଙ୍କର ରାଷ୍ଟ୍ରନିଷ୍ଠା ପ୍ରତି ସନ୍ଦେହାସ୍ପଦ ଚକ୍ଷୁରେ ଦେଖାଯାଉଛି । ଏହା ଜାଣିପାରି ସେ ସମ୍ବିଧାନ ନିର୍ମାଣ ପରେ ଉଦ୍ବୋଧନ ପ୍ରଦାନ କରି କହିଥିଲେ- “ମୋତେ ସମସ୍ତେ କେବଳ ଦଳିତ ନେତା ଓ ଇଂରେଜମାନଙ୍କ ଚାଟୁକାର କହି ଅପମାନିତ କରାଯାଇଛି । ମୋର ରାଷ୍ଟ୍ର ପ୍ରତି ନିଷ୍ଠା ଉପରେ ସନ୍ଦେହ କରାଯାଉଛି । ସମ୍ବିଧାନ ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଲା ପରେ ବୋଧହୁଏ ସମଗ୍ର ଭାରତ ମୋତେ ଜଣେ ରାଷ୍ଟ୍ରଭକ୍ତ ରୂପେ ଦେଖିବେ ବୋଲି ମୁଁ ଆଶା କରୁଛି ।” ଅନେକ ନେତା ସେତେବେଳେ ଆମ୍ବେଦକରଙ୍କୁ ଇଂରେଜମାନଙ୍କ ଚାଟୁକାର ରୂପେ ମନ୍ତବ୍ୟ ପ୍ରଦାନ କରିଥିଲେ । କିନ୍ତୁ ସେ ସର୍ବଦା ଜଣେ ପ୍ରକୃତ ରାଷ୍ଟ୍ରଭକ୍ତ ଥିଲେ । ୧୯୩୦ ମସିହାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଗୋଲ ମେଜ (ରାଉଣ୍ଡ ଟେବୁଲ) ବୈଠକରେ ତାଙ୍କର ସଂକ୍ଷିପ୍ତ ଭାଷଣ ସମସ୍ତଙ୍କୁ ଚମତ୍କୃତ କରିଥିଲା । ସେ ସେଠାରେ ଭାଷଣ ଦେଇ କହିଥିଲେ ‘ଭାରତ ରାଷ୍ଟ୍ର ଭାରତୀୟମାନଙ୍କର । ସାମ୍ରାଜ୍ୟବାଦୀ ଇଂରେଜମାନେ ତୁରନ୍ତ ଭାରତ ପରିତ୍ୟାଗ କରିବା ଆବଶ୍ୟକ ।’ ଏପରି ଉଦ୍ଘୋଷ କରିବା ଓ ଇଂରେଜମାନଙ୍କ ସମ୍ମୁଖରେ ଇଂରେଜମାନଙ୍କୁ ଅପମାନିତ କରିବା ସେ ପ୍ରଥମ ଭାରତୀୟ ଥିଲେ । ପ୍ରକାଶ ଥାଉକି ସେ ବୈଠକକୁ ଇଂରେଜମାନଙ୍କ ନିମନ୍ତ୍ରଣ କ୍ରମେ ଡ. ଆମ୍ବେଦକର ଯୋଗ ଦେଇଥିଲେ । ସେଠାରେ ସେ ଇଂରେଜମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ପରିବର୍ତ୍ତେ ନିଜର ରାଷ୍ଟ୍ରଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଏହା ଦେଖି ସମେସ୍ତ ଚକିତ ହୋଇଯାଇଥିଲେ ।
ଅସବର୍ଣ୍ଣମାନଙ୍କୁ ନିଜର ନାର୍ଯ୍ୟ ଦାବି ପାଇଁ ସବର୍ଣ୍ଣମାନଙ୍କ ବିରୋଧରେ ସଂଘର୍ଷ ଓ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ଇଂରେଜମାନଙ୍କ ବିରୋଧରେ ସଂଘର୍ଷ, ଏହିପରି ଦୁଇଟି ସଂଘର୍ଷରେ ସେ ଅବତୀର୍ଣ୍ଣ ହୋଇଥିଲେ । ଦୁଇଟି ସଂଘର୍ଷକୁ ସେ ସମାନ ଗୁରୁତ୍ୱ ପ୍ରଦାନ କରିଥିଲେ । ନାସିକ୍ ଠାରେ କାଲାରାମ ମନ୍ଦିର ପ୍ରବେଶ ସତ୍ୟାଗ୍ରହ ସମୟରେ ଇଂରେଜମାନେ ଯେତେବେଳେ ପକ୍ଷପାତ ନୀତି ଅବଲମ୍ବନ କରିଥିଲେ, ଆମ୍ବେଦକର ତତ୍କ୍ଷଣାତ୍ ବ୍ରିଟିଶ ଗଭର୍ଣ୍ଣରଙ୍କୁ ଚିଠି ଲେଖି ଉଲ୍ଲେଖ କରିଥିଲେ – “ସବର୍ଣ୍ଣମାନଙ୍କ ସହିତ ଆମର ସାମାଜିକ ସଂଘର୍ଷ ଚାଲିଛି, ଏଣୁ ଇଂରେଜମାନେ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଯଦି ଇଂରେଜମାନେ ଏହିପରି ପକ୍ଷପାତପୂର୍ଣ୍ଣ ନୀତି ଅବଲମ୍ବନ କରିବେ ତେବେ ସମଗ୍ର ସମାଜ ଏକତ୍ର ହୋଇ ଇଂରେଜ ବିରୋଧରେ ସ୍ୱର ଉତ୍ତୋଳନ କରିବେ ।” ସେହିପରି କାର୍ଯ୍ୟକାରିଣୀରେ ଭାଇସରାୟଙ୍କୁ କଠୋର ଶବ୍ଦରେ କହିଥିଲେ -ମୁଁ କଦାପି ହିନ୍ଦୁ ବିରୋଧୀ ନୁହେଁ । ମୋର ରାଷ୍ଟ୍ରର ହିତ ସର୍ବପ୍ରଥମ । ମୁଁ ସମସ୍ତ ଶକ୍ତି ବିନିଯୋଗ କରି ଇଂରେଜମାନଙ୍କ ବିରୁଦ୍ଧରେ ସଂଘର୍ଷ କରିବି ଓ ଅସ୍ପୃଶ୍ୟମାନଙ୍କୁ ସମୁଚିତ ନ୍ୟାୟ ପ୍ରଦାନ କରିବି । ଏଥିରୁ ସେ କିପରି ଜଣେ ଶ୍ରେଷ୍ଠ ରାଷ୍ଟ୍ରଭକ୍ତ ଥିଲେ ତା’ର ପ୍ରମାଣ ମିଳୁଛି ।
କେତେକ ଇତିହାସକାର ଆମ୍ବେଦକରଙ୍କୁ ହିନ୍ଦୁଧର୍ମ ବିରୋଧୀ ଓ ନାସ୍ତିକ ରୂପେ ବର୍ଣ୍ଣନା କରି ସମାଜରେ ଭ୍ରାନ୍ତ ଧାରଣା ସୃଷ୍ଟି କରିଛନ୍ତି । ବାସ୍ତବରେ ହିନ୍ଦୁ ଧର୍ମକୁ ସ୍ୱୀକାର କରି ନିଜର ଅନୁଗତମାନଙ୍କୁ ସମସ୍ତ ମାନବବାଦୀ ଅଧିକାର ମିଳୁ, ଏହା ସେ ସର୍ବଦା ଚାହୁଁଥିଲେ । ଏଥିପାଇଁ ସେ ବହୁ ଆଜୀବନ ବହୁ ପରିଶ୍ରମ ଓ ପରାକାଷ୍ଠା କରିଛନ୍ତି । ଶେଷରେ ସେ ଯେବେ ଦେଖିଲେ ଏହା ସଫଳ କ୍ରିୟାନ୍ୱୟନ ହୋଇପାରୁ ନାହିଁ । ତେବେ ସେ ଧର୍ମ ପରିବର୍ତ୍ତନ କରିବାକୁ ନିର୍ଣ୍ଣୟ ନେଲେ । ଧର୍ମ ପରିବର୍ତ୍ତନ କରିବା ସମୟରେ ତାଙ୍କ ମନରେ ହିନ୍ଦୁ ବିରୋଧୀ ମାନସିକତା ଆଦୌ ନଥିଲା । ଏ ସମ୍ବନ୍ଧରେ ସେ ସ୍ପଷ୍ଟ କହିଛନ୍ତି- “ମୋର ଅନୁଗାମୀମାନେ ମୁସଲମାନ ଧର୍ମ ସ୍ୱୀକାର କରିପାରିଥାଆନ୍ତେ । ଏଥିପାଇଁ ସେ ମତାବଲମ୍ବୀଙ୍କ ପକ୍ଷରୁ ବହୁ ଆକର୍ଷଣ ଓ ପ୍ରଲୋଭନ ଦିଆଯାଇଥିଲା । ମୋ ମନରେ ଯଦି ହିନ୍ଦୁ ଧର୍ମ ବିରୋଧୀ ମାନସିକତା ଥାଆନ୍ତା, ତେବେ ଏ ଦେଶର ବହୁତ କ୍ଷତି ହୋଇଥାଆନ୍ତା । ଭାରତର ଆଗାମୀ ବଂଶଧର ମୋତେ ବିଧ୍ୱଂସକ ରୂପେ ବର୍ଣ୍ଣନା କରିଥାଆନ୍ତେ । ମୁଁ ଏହା କଦାପି ଚାହୁଁନାହିଁ । ସମତା, ବନ୍ଧୁତା, ସାମାଜିକ ନ୍ୟାୟ ତଥା ଗଣତନ୍ତ୍ରର ସଫଳତା ପାଇଁ ଭାରତରୁ ଉଦୟ ହୋଇଥିବା ତଥା ଭାରତୀୟ ସଂସ୍କୃତିର ସମନ୍ୱୟ ସୃଷ୍ଟି କରୁଥିବା ବୌଦ୍ଧ ଧର୍ମକୁ ମୁଁ ସ୍ୱୀକାର କରୁଛି । ମୋର ଅନୁଗାମୀମାନଙ୍କ ସହିତ ସୁଦୀର୍ଘ ବାର୍ତ୍ତାଳପ ପରେ ମୁଁ ଏହି ନିର୍ଣ୍ଣୟ ନେଇଛି । “
ଡ. ଆମ୍ବେଦକରଙ୍କ ସମ୍ପୂର୍ଣ୍ଣ ଜୀବନ ଗାଥା ଗୋଟିଏ ମହାକାବ୍ୟ । ଦେଶଭକ୍ତିର ଜ୍ୱଳନ୍ତ ଉଦାହରଣ । ନିଜର ୬୫ ବର୍ଷ ଜୀବନ ମଧ୍ୟରେ ସର୍ବାଧିକ ଅବହେଳାର ଶିକାର ହୋଇ ଭାରତର ସମଗ୍ର ସନ୍ତୁଳିତ ବିକାଶ ପାଇଁ ତାଙ୍କ ବହୁମୂଲ୍ୟ ଯୋଗଦାନ ଅତୁଳନୀୟ । ସ୍ୱତନ୍ତ୍ର ଭାରତର ସମସ୍ତ ପ୍ରଶ୍ନକୁ ସେ ବ୍ୟାପକ ଓ ଗଭୀର ଅଧ୍ୟୟନ କରି ଗମ୍ଭୀରତା ସହ ବିଚାର କରି ସମାଧାନର ସୂତ୍ର ବାହାର କରିଛନ୍ତି । ଆଧୁନିକ ଭାରତରେ ଏପରି ସାମାଜିକ ଓ ରାଜନୈତିକ ବିଦ୍ୱାନ କମ୍ ଦେଖିବାକୁ ମିଳନ୍ତି । ଆମ୍ବେଦକର ସମାଜରୁ ଅସ୍ପୃଶ୍ୟତାକୁ ଦୂର କରି ଭାରତକୁ ଏକ ସଙ୍ଗଠିତ ଓ ସଶକ୍ତ ରାଷ୍ଟ୍ର ରୂପେ ନିର୍ମାଣ କରିବାକୁ ଚାହୁଁଥିଲେ । ନବ ଭାରତର ସମ୍ବିଧାନ ନିର୍ମାତା, ଗଣତନ୍ତ୍ରର ସଂସ୍ଥାପକ, ମାନବ ସ୍ୱତନ୍ତ୍ରତାର ବାସ୍ତୁକାର ଆମ୍ବେଦକରଙ୍କ ଜୀବନୀ ଆଧୁନିକ ଭାରତର ପ୍ରେରଣାଦାୟୀ ପ୍ରସଙ୍ଗ । ଏହା ମାନବ ସ୍ୱତନ୍ତ୍ରତା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ସେ ନିଜର ବୁଦ୍ଧି ଉପରେ ପ୍ରଗାଢ଼ ବିଶ୍ୱାସ ରଖି ଘୋର ତପସ୍ୟା, ଅସାଧାରଣ ସାହସ ଓ ନିରନ୍ତର ପ୍ରଚେଷ୍ଟା କରି ନିଜର ଶ୍ରେଷ୍ଠ ଲକ୍ଷ୍ୟ ହାସଲ କରିଛନ୍ତି । ତୃଣମୂଳ ସ୍ତରରୁ ସମାଜର ଶ୍ରେଷ୍ଠତମ ଭାରତରତ୍ନ ଉପାଧିରେ ଭୂଷିତ ହେବାର ଯାତ୍ରା ପ୍ରତ୍ୟେକ ଭାରୀତୟମାନଙ୍କ ପାଇଁ ପ୍ରେରଣାଦାୟକ । ତାଙ୍କର ସମାଜ କଲ୍ୟାଣର ଭାବନା ତଥା ରାଷ୍ଟ୍ର ପ୍ରତି ନିଷ୍ଠା ଅତୁଳନୀୟ । ଏପରି ରାଷ୍ଟ୍ରପୁରୁଷ ଓ ମହାମାନବଙ୍କୁ କୋଟି କୋଟି ପ୍ରଣାମ ।
ଆଡ଼ଭୋକେଟ
ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪
-ଠ-