ବାଲିଯାତ୍ରା ପଡ଼ିଆରେ ନାଦ-ବ୍ରହ୍ମର ଝଙ୍କାର

ବାଲିଯାତ୍ରା ପଡ଼ିଆରେ ନାଦ-ବ୍ରହ୍ମର ଝଙ୍କାର: ସଂଘ ପକ୍ଷରୁ ଅଖିଳ ଭାରତୀୟ ଘୋଷ ଦିବସ ଓ ‘ସୂର୍ଯ୍ୟନମସ୍କାର ପକ୍ଷ’ର ଶୁଭାରମ୍ଭ
କଟକ:
ପବିତ୍ର ମହାଶିବରାତ୍ରି ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଯୋଜନା ଅବସରରେ ଆଜି କଟକର ଐତିହାସିକ ବାଲିଯାତ୍ରା ତଳ ପଡ଼ିଆଠାରେ ଏକ ଭବ୍ୟ ‘ଅଖିଳ ଭାରତୀୟ ଘୋଷ ଦିବସ’ ଏବଂ ସାମୁହିକ ସୂର୍ଯ୍ୟନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଲେଫ୍ଟନନ୍ତ୍ କର୍ଣ୍ଣେଲ ଅଶୋକ ମହାପାତ୍ରଙ୍କ ବାର୍ତ୍ତା:
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲେଫ୍ଟନନ୍ତ୍ କର୍ଣ୍ଣେଲ ଅଶୋକ ମହାପାତ୍ର ସ୍ୱୟଂସେବକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, “ଶୃଙ୍ଖଳା ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ସେନାବାହିନୀ ପରି ସଂଘର ଏହି ଶୃଙ୍ଖଳିତ ପ୍ରଦର୍ଶନ ପ୍ରମାଣ କରୁଛି ଯେ ଆମର ଯୁବପିଢ଼ି ଶାରୀରିକ ଓ ମାନସିକ ସ୍ତରରେ ଦେଶର ସେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସୂର୍ଯ୍ୟନମସ୍କାର କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଆତ୍ମବିଶ୍ୱାସ ବୃଦ୍ଧି କରିବାର ଏକ ମାଧ୍ୟମ।” ସେ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ସୁସ୍ଥ ନାଗରିକ ହିଁ ସମର୍ଥ ଭାରତ ଗଠନରେ ସହାୟକ ହୋଇପାରିବ।
ଘୋଷ ଦିବସର ଆଧ୍ୟାତ୍ମିକ ଗୁରୁତ୍ୱ:
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତ ର ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ୱାଳ କହିଥିଲେ ଯେ, ଭଗବାନ ଶିବ ହେଉଛନ୍ତି ନାଦ-ବ୍ରହ୍ମ ବା ଧ୍ୱନିର ଜନକ। ତେଣୁ ସଂଘ ପକ୍ଷରୁ ମହାଶିବରାତ୍ରିକୁ ଅଖିଳ ଭାରତୀୟ ଘୋଷ ଦିବସ ଭାବେ ପାଳନ କରାଯାଏ। ଘୋଷର ଓଁକାର ଧ୍ୱନି ଓ ତାଳ ମଧ୍ୟରେ ରାଷ୍ଟ୍ର ଭକ୍ତିର ସ୍ୱର ପ୍ରତିଧ୍ୱନିତ ହୁଏ।
ଏକ କୋଟି ସୂର୍ଯ୍ୟନମସ୍କାର ଲକ୍ଷ୍ୟ ସହ ‘ସୂର୍ଯ୍ୟନମସ୍କାର ପକ୍ଷ’:
ଆଜିଠାରୁ ସାରା ଓଡ଼ିଶାରେ ‘ସୂର୍ଯ୍ୟନମସ୍କାର ପକ୍ଷ’ (୧୫ ଦିନିଆ ଅଭିଯାନ) ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶା ପ୍ରାନ୍ତରେ ଏକ କୋଟି ସୂର୍ଯ୍ୟନମସ୍କାର ଅର୍ଘ୍ୟ ଅର୍ପଣ କରିବାର ଲକ୍ଷ୍ୟ ରଖାଯାଇଛି। କଟକର ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ୱୟଂସେବକ ଘୋଷର ତାଳେ ତାଳେ ସାମୁହିକ ସୂର୍ଯ୍ୟନମସ୍କାର କରି ଏହି ମହାନ ଅଭିଯାନର ଶୁଭାରମ୍ଭ କରିଛନ୍ତି।
କଟକ ଜିଲ୍ଲା ସଂଘ ବିଚାର ପରିବାରର କାର୍ଯ୍ୟକର୍ତ୍ତା ଓ ସ୍ୱୟଂସେବକମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *