ଘେଁସରେ ବିର ମାଟିରେ ଭିଏଚପି ତରଫରୁ ଜାତିମୁଖିଆ ସମ୍ମିଳନୀ


ବରଗଡ : ବିଶ୍ୱହିନ୍ଦୁ ପରିଷଦ ସାମାଜିକ ସମରସତା ବିଭାଗ ପକ୍ଷରୁ ଅଗଷ୍ଟ ୧୩ ତାରଖ ଦିନ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସବିର ମାଟି ରେ ସ୍ଥିତ ବୈଦିକ ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଜାତି ମୁଖିଆ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଭାରତମାତାଙ୍କ ଫଟୋଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ହେଲାପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତାପରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସମରସତା ପ୍ରମୁଖ ଗୌତମ ସରକାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛୁଆଁଅଛୁଆଁ, ଭେଦଭାବ ଭଳି ଏକ କୁପ୍ରଥା ଯୋଗୁଁ ପରସ୍ପର ଭିତରେ ସୃଷ୍ଟି ହୋଇଥିବା ଦୂରତା ସମ୍ୱନ୍ଧରେ ଆଲୋଚନା କରିଥିବା ବେଳେ ଏଭଳି କୁପ୍ରଥା ଯୋଗୁଁ ହିନ୍ଦୁ ସମାଜ ଓ ସଂସ୍କୃତି ପ୍ରତି ଦେଖା ଦେଇଥିବା ସଙ୍କଟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତାଛଡା ଇଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ ବୋଲି ସେ ଦୃଢୋକ୍‌ତି ପ୍ରକାଶ କରିଥିବା ବେଳେ ଜାତି ନାମରେ ହିନ୍ଦୁ ସମାଜ ଭିତରେ ଛିଡା ହୋଇଥିବା ଭେଦଭାବର ପ୍ରାଚୀରକୁ ଭାଙ୍ଗିବା ପାଇଁ ସମସ୍ତେ ଆଗକୁ ଆସିବାକୁ ଉପସ୍ଥିତ ପ୍ରତିନିଧି ମାନଙ୍କୁ ଆହ୍‌୍ୱାନ କରିଥିଲେ ।
ମୁଖ୍ୟବକ୍ତା ଭାବରେ ବିଶ୍ୱହିନ୍ଦୁ ପରିଷଦ ସମରସତା ବିଭାଗର ପଶ୍ଚିମ ଓଡିଶା ମୁଖ୍ୟ ଶାନ୍ତନୁ କୁସୁମ ଯୋଗଦେଇ ୧୯୬୪ ରେ ବିଶ୍ୱହିନ୍ଦୁ ପରିଷଦ ଗଠନ ହେବାର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ହିନ୍ଦୁ ସମାଜ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ତନ,ମନ,ଧନ ଅର୍ପଣ ପୂର୍ବକ ସହଭାଗୀ ହେବାକୁ ନିବେଦନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବୈଦିକ ଆର୍ଯ୍ୟ ସମାଜ ମନ୍ଦିରର ସମ୍ପାଦକ ବିନୋଦ ମେହେର, ଭିଏଚପିର ପ୍ରାନ୍ତ ଧର୍ମାଚାର୍ଯ୍ୟ ପ୍ରମୁଖ ସୁଦର୍ଶନ ଦାଶ, ବିଭାଗ ସମ୍ପାଦକ ଭୁବନେଶ୍ୱର ସାହୁ ଏବଂ ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ମିଶ୍ର ପ୍ରମୁଖ ମଂଚାସିନ ହୋଇ ସାମାଜିକ ସମରସତା ସମ୍ବନ୍ଧରେ ଆଲୋଚନା କରିଥିଲେ । ସବାଶେଷରେ ସମସ୍ତେ ଅନ୍ନ ପ୍ରସାଦର ଆନନ୍ଦ ନେଇଥିଲେ । ବିଭାଗ ସମ୍ପାଦକ ଭୁବନେଶ୍ୱର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ନାଏକ, ଲୋକେଶ ଚନ୍ଦ୍ର ବହିଦାର, ଗୋବିନ୍ଦ ବରିହା, ଦିନବନ୍ଧୁ ସାହୁ, ଶିବପ୍ରସାଦ ମେହେର, ରାଜେଶ ନନ୍ଦ, ହୃଷିକେଶ ନାୟକ, ହିମାଂଶୁ ମାଝୀ, ବେଦମତୀ ବରିହା, ହେମଚନ୍ଦ୍ର ମହାଳିକ, ରୁପେଶ କୁମାର ଦାଶ, ଛତ୍ରପତି ବେହେରା, ଚିରଞ୍ଜନ ସୁନା, ସୌରି ମହାନନ୍ଦ, ଅନିଲ ମହାପାତ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *