ସମାନ ନାଗରିକ ସଂହିତା ସୁସ୍ଥ ସମାଜ ଗଠନରେ ସହାୟକ ହେବ

କଟକ, ତା୧୩।୮-ସମାନ ନାଗରିକ ସଂହିତା ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ ବୋଲି ବିଶିଷ୍ଟ ଶିକ୍ଷାବିତ୍ ତଥା ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶୁକଦେଵ ନନ୍ଦ କହିଛନ୍ତି। ଓଡ଼ିଶା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ପକ୍ଷରୁ ଶନିବାର ସନ୍ଧ୍ୟାରେ ‘ଦି ୟୁନିଭର୍ସ’ ପ୍ରେକ୍ଷାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଫେସର ନନ୍ଦ ଏହା କହିଥିଲେ।
ଏହି ଆଲୋଚନାଚକ୍ରରେ ପରିଷଦର ସଭାପତି ନିଲୁରାମ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ରୂପେ ଯୋଗଦେଇ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଲେ ଯେ, ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ହେଉଥିବା ଗୋଆରେ ଏଥିଲାଗି କୌଣସି ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ। ସମଗ୍ର ଦେଶରେ ଏହାକୁ ଲାଗୁ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକାଧିକବାର ପରାମର୍ଶ ଦେଇଥିବା କଥା ସେ ଉଲ୍ଲେଖ କରିଥିଲେ।
ଡକ୍ଟର ପବିତ୍ର କୁମାର ରଥ ସ୍ୱାଗତ ଭାଷଣ ଦେଲାପରେ ଡକ୍ଟର ନାରାୟଣ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାଧୁ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦିନେଶ ପଟ୍ଟନାୟକ, ଡକ୍ଟର ମିହିର ଦାସ, ଡକ୍ଟର ଗୌର ମହାନ୍ତି, ଡକ୍ଟର ସଂକର୍ଷଣ ମିଶ୍ର, ଡକ୍ଟର ଶଚୀନ୍ଦ୍ର ରାଉଳ, ପ୍ରାଧ୍ୟାପକ ଚିତ୍ତରଞ୍ଜନ ବେହେରା, ଡକ୍ଟର କମଳ ପ୍ରସାଦ ମହାନ୍ତି, ଗୋପାଳକୃଷ୍ଣ ପାଢ଼ୀ, ରୋଟାରିଆନ ଅଶୋକ ବିହାରୀ ମହାପାତ୍ର, ଆଡ଼ଭୋକେଟ ସର୍ବେଶ୍ୱର ବେହେରା, ସମାଜସେବୀ ଦୀପକ କୁମାର ମହାନ୍ତ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।

Leave a Reply

Your email address will not be published. Required fields are marked *