Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶାରେ ଯୋଜନା ସବୁ କେବଳ କାଗଜ ପତ୍ରରେ ଚାଲିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାରେ ଯୋଜନା ସବୁ କେବଳ କାଗଜ ପତ୍ରରେ ଚାଲିଛି


ରାଜ୍ୟ ସମୁଦାୟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଜନଜାତି ସଂପ୍ରଦାୟର । ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନା ରହିଛି । କିନ୍ତୁ ଓଡ଼ିଶାରେ ସେହି ଯୋଜନା ସବୁ କେବଳ କାଗଜ ପତ୍ରରେ ଚାଲିଛି । ୨୦୦୮ ମସିହାରୁ ଜଙ୍ଗଲ ଜମି ଅଧିକାର ଆଇନ ଓଡ଼ିଶାରେ ଲାଗୁ ହେଲାଣି । କିନ୍ତୁ ଓଡ଼ିଶାରେ ୧୫ବର୍ଷ ପରେ ବି ମାତ୍ର ସାଢ଼େ ତିନି ଲକ୍ଷ ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳିଛି ବୋଲି ଅଗଷ୍ଟ ୯ ତାରିଖ ଦିନ ରାଜ୍ୟ ସରକାର ଘୋଷଣା କରିବା ଦର୍ଶାଉଛି ଯେ, ଆହୁରି ଲକ୍ଷ ଲକ୍ଷ ପରିବାର ଏବେ ବି ଜଙ୍ଗଲ ଜମି ଅଧିକାରରୁ ବଂଚିତ ହୋଇ ଅଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୨ରେ \”ଟ୍ରାଇବାଲ ଆଡଭାଇଜରୀ କାଉନସିଲ\”ର ଏକ ବୈଠକରେ ଘୋଷଣା କରିଥିଲେ ଯେ, ୨୦୧୬ ସୁଦ୍ଧା ଓଡ଼ିଶାର ସମସ୍ତ ଭୂମିହୀନ ଆଦିବାସୀମାନଙ୍କୁ ସରକାର ଜମି ଅଧିକାର ଦେବେ । ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି । କାହିଁକି ଆଜିବି ଲକ୍ଷ ଲକ୍ଷ ଆଦିବାସୀ ପରିବାର ଭୂମିହୀନ ହୋଇ ଅଛନ୍ତି, ଜମି ପଟ୍ଟା ପାଇ ନାହାନ୍ତି, ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା \”ମୋ ଜଙ୍ଗଲ ଜମି ଯୋଜନା\”ରେ କିଛି ନୂତନତ୍ୱ ନାହିଁ ବରଂ ଏହା ଆଦିବାସୀଙ୍କ ପ୍ରତି ବିଜୁ ଜନତା ଦଳ ସରକାରର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରିପାରିବାର ଏକ ପ୍ରମାଣ ପତ୍ର । ମାତ୍ର ୫୩ଟି ଆଦିବାସୀ ଜଙ୍ଗଲୀ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତନ କରିବା ଦର୍ଶାଉଛି ଯେ, ସରକାର ସେ ପ୍ରସଙ୍ଗରେ ମଧ୍ୟ ବିଫଳ ହୋଇଛନ୍ତ । ରାଜ୍ୟରେ ଆହୁରି ୫୦୦ରୁ ଅଧିକ ଜଙ୍ଗଲ ଗ୍ରାମ ଅଛି ଯାହାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହେଉଛି କିନ୍ତୁ ସରକାର ତାହାକୁ ପୂରଣ କରୁନାହାନ୍ତି । ରାଜ୍ୟରେ ମାତ୍ର ୭,୮୧୩ଟି ସତ୍ୱ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦିଆଯାଇଛି ବୋଲି ସରକାର ବିଜ୍ଞାପନରେ ପ୍ରକାଶ କରିଛନ୍ତି । ଯାହା ଆବଂଟିତ ହେବାକୁ ଥିବା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସଂଖ୍ୟାର ମାତ୍ର ୫ପ୍ରତିଶତ । ଏଥିରୁ ଜଣାପଡୁଛି, ଏ ସରକାର କେତେ ଚିନ୍ତିତ ଆଦିବାସୀମାନଙ୍କ ବିକାଶ ପାଇଁ । ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) ନାଁରେ କେବଳ ବିଜୁ ଜନତା ଦଳର ଲୋକମାନକୁ ଥଇଥାନ କରି ନିର୍ବାଚନ ପୂର୍ବ ବର୍ଷରେ ସରକାରୀ ଅର୍ଥକୁ ନିଜର ରାଜନୈତିକ ଦଳୀୟ କାମରେ ଲଗାଇବା ପାଇଁ ନବୀନ ବାବୁ ଏଭଳି ନାଟକ କରୁଛନ୍ତି । ୨୩ ବର୍ଷ ଶାସନ କରିଥିବା ବିଜେଡି ସରକାରଙ୍କ ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ମୋଟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଦିନକୁ ଦିନ ପଛେଇବାରେ ଲାଗିଛନ୍ତି । ରାଜ୍ୟର ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ । ଗତ ପଂଚାୟତ ଓ ପୌର ନିର୍ବାଚନରେ ଷଡଯନ୍ତ୍ର କରି ଆଦିବାସୀବର୍ଗଙ୍କୁ ସେମାନଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ । ଆଦିବାସୀମାନଙ୍କ ଐତିହ୍ୟ, ପରମ୍ପରା ଓ ବିକାଶ କିଭଳି ହେବ ସେନେଇ ଟିଏସି ବୈଠକ ହୋଇଥାଏ ଏବଂ ଏହାର ଏକ ବିସ୍ତୃତ ରିପୋର୍ଟ ମାନ୍ୟବର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ । ଦୀର୍ଘ ୫ ବର୍ଷ ଅନ୍ତରରେ ଆଗାମୀ ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ବାଧ୍ୟ ବାଧ୍ୟକତାରେ ଜୁଲାଇ ୧୨ ତାରିଖରେ ଟିଏସି ବୈଠକ କରିଥିଲେ । ଭର୍ଚୁଆଲ ମୋଡରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ମଝିରୁ ଉଭାନ ହୋଇଯାଇଥିଲେ । ଆଦିବାସୀଙ୍କ ବିକାଶକୁ ନେଇ ବହୁ ପ୍ରସଙ୍ଗ ଆଲୋଚନା ବି ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ବିକାଶ ପାଇଁ କେତେ ତତ୍ପର, ତାହା ଗତ ଜୁଲାଇ ୧୨ତାରିଖରେ ଟିଏସି ବୈଠକରୁ ସ୍ପଷ୍ଟ ହୋଇଥିଲା । ରାଜ୍ୟର ଜନଜାତିଙ୍କ ପ୍ରତି ରାଜ୍ୟ ସରକାର କେଉଁ ଭଳି ଅନ୍ୟାୟ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଛି । ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ, ଏହା ତାଙ୍କ ପ୍ରତି ବଡ ଅପମାନ । ଆଦିବାସୀଙ୍କ ଉନ୍ନତି ନୁହଁ ବରଂ ଶାସକ ଦଳ କର୍ମୀମାନଙ୍କୁ ଥଇଥାନ କରିବା ପାଇଁ ନୀତିନିୟମକୁ ଖିଲାପ କରାଯାଇ ଏସଡିସି ଗଠନ ହୋଇଛି । ୨୦୧୭ ନିର୍ବାଚନ ପାଇଁ ଗଠନ ହୋଇଥିବା ଏସଡିସି ୨୦୧୯ ନିର୍ବାଚନ ସରିବା ପରେ ଏହା ଅକାମି ହୋଇଯାଇଥିଲା । ପୁନଃର୍ବାର ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ପୁଣି ଥରେ ଏସଡିସି ଗଠନ କରିଛନ୍ତି ରାଜ୍ୟ ସରକାର । ଏସଡିସି ଏକ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ଏବଂ ଏଥିରେ ଆଦିବାସୀମାନଙ୍କର କୌଣସି ବିକାଶ ସମ୍ଭବ ନୁହେଁ ।ଏମଏମଡିଆର ଆଇନ-୧୯୫୭ରେ ପ୍ରଣୋଦିତ ଆଇନକୁ ମୋଦିଜୀ ୨୦୧୫ରେ ପୁନଃର୍ବାର \’ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା\’ ରେ ପାଣ୍ଠି ଗଠନ କରାଯାଇ ସେହି ଅଚଂଳର ସର୍ବଙ୍ଗୀନ ଉନ୍ନତି ପାଇଁ ଖର୍ଚ୍ଚ କରାଯିବା ମୂଳ ଲକ୍ଷ୍ୟକୁ ପୁରଣ କରିବାରେ ବିଫଳ ହେଲେ ରାଜ୍ୟ ସରକାର । ବ୍ୟାପକ ଦୁର୍ନୀତି ଓ ଦଳୀୟ ନେତାଙ୍କ ସ୍ୱାର୍ଥ ହାସଲ ପାଇଁ ବ୍ୟବହାର କରାଗଲା । ପଂଚଦଶ ଅର୍ଥ କମିଶନଙ୍କ ସୁପାରିକ୍ରମେ ଆସୁଥିବା ଅନୁଦାନ ଅର୍ଥକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉନାହିଁ । ରାଜ୍ୟ ସରକାର ଗ୍ରାମସଭାକୁ କୋଣଠେସା କରିଦେଇ ଆଦିବାସୀମାନଙ୍କୁ ପ୍ରତାରଣା କରୁଛନ୍ତିି । \’ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିନିୟମ (ପେସା)-୧୯୯୬\’ ଅଧିନିୟମାନୁଯାୟୀ ଅନୁସୁଚୀତ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱତନ୍ତ୍ର କ୍ଷମତା ରହିଛି । କିନ୍ତୁ ଶାସକ ବିଜେଡି ଓଡିଶାରେ ଏହି ନିୟମକୁ ସଂପୂର୍ଣ୍ଣ ଜଳାଳୀ ଦେବା ସହ ଆଦିବାସୀ ବିକାଶ ପରିଷଦରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରି ହୀନ ରାଜନୀତି କରୁଛି । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି । ବାରମ୍ବାର ଦାବି ସତ୍ୱେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ପେସା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ବିଧାୟକ ତଥା ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Leave a Reply