ବ୍ରିଟିସ୍ ଚାଲିଗଲେ କିନ୍ତୁ ଇଂରାଜୀବାଦ ଛାଡ଼ିଗଲେ

ନୂଆଦିଲ୍ଲୀ: ବ୍ରିଟିସ୍ ବିରୁଦ୍ଧରେ ସଂଗଠିତ ସଶସ୍ତ୍ର ସଂଗ୍ରାମ ଯେଉଁ ଦେଶପ୍ରେମ ବହ୍ନି ପ୍ରଜ୍ଜ୍ୱଳନ କରିଥିଲା ତାହାକୁ ଇତିହାସ ପୁସ୍ତକମାନଙ୍କରେ ଉପଯୁକ୍ତ ସ୍ୱୀକୃତି ଦିଆଯାଇନାହିଁ ବୋଲି ଦୁଃଖ ପ୍ରକାଶ କରି ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତି ଶାହ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆର୍ଥôକ ଉପଦେଷ୍ଟା ପରିଷଦ୍’ର ଅନ୍ୟତମ ସଦସ୍ୟ ସଞ୍ଜୀବ ସାନ୍ୟାଲ୍ଙ୍କ ରଚିତ ପୁସ୍ତକ ‘ରିଭୋଲ୍ୟୁସ୍ନାରିଜ୍: ଦି ଅଦର ଷ୍ଟୋରି ଅଫ୍ ହାଓ ଇଣ୍ଡିଆ ଓନ୍ ଇଟ୍ସ୍ ଫ୍ରିଡମ୍’ ନାମକ ପୁସ୍ତକ ଉନ୍ମୋଚନ ଉତ୍ସବରେ କହିବା ବେଳେ ଶାହ କହିଛନ୍ତି, ସଶସ୍ତ୍ର ବିପ୍ଳବର ଦେଶପ୍ରେମ କଂଗ୍ରେସ ନେତୃତ୍ୱାଧୀନ ସ୍ୱାଧୀନତା ଆନେ୍ଦାଳନକୁ ସଫଳ କରାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱକୁ ସଦାସର୍ବଦା ଭାରତର ସ୍ୱାଧୀନତା ସଂଗ୍ରାମର ଗୋଟିଏ ମାତ୍ର ବ୍ୟାଖ୍ୟା ବା ବର୍ଣ୍ଣନା ଦିଆଯାଇଛି । କିନ୍ତୁ, ଅସଲ କଥା ହେଲା, ଦେଶ ସ୍ୱାଧୀନତା ହାସଲ ଦିଗରେ ଅନେକ ବ୍ୟକ୍ତି, ଚିନ୍ତାଧାରା ଏବଂ ସଙ୍ଗଠନମାନଙ୍କର ମୂଲ୍ୟବାନ ଅବଦାନ ରହିଛି । ମୋ ଭଳି ଲୋକମାନଙ୍କର ବିଶ୍ୱାସ ସଶସ୍ତ୍ର ବିପ୍ଳବଦ୍ୱାରା ପ୍ରଜ୍ଜ୍ୱଳିତ ଦେଶପ୍ରେମ ବହ୍ନି କଂଗ୍ରେସ ନେତୃତ୍ୱାଧୀନ ସ୍ୱାଧୀନତା ଆନେ୍ଦାଳନକୁ ସଫଳ କରାଇଛି । ଏହା ମୋର ବିଶ୍ୱାସ ଓ ମୁଁ ଏହାକୁ ପ୍ରମାଣ କରିପାରିବି । ସମାନ୍ତରଳ ଧାରାରେ ସଶସ୍ତ୍ର ସଂଗ୍ରାମ ଚାଲି ନ ଥିଲେ ସ୍ୱାଧୀନତା ହାସଲ କରିବା ଲାଗି ଆଉ ଅଳ୍ପ କିଛି ଦଶନ୍ଧି ଲାଗି ଥାଆନ୍ତା ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି, ଦୁଃଖର ବିଷୟ, ଏହି ସବୁ ପ୍ରଚେଷ୍ଟା, ସଶସ୍ତ୍ର ସଂଗ୍ରାମର ଏହି ସବୁ ଅବଦାନକୁ ଐତିହାସିକମାନେ ଯଥୋଚିତ ମାନ୍ୟତା ଦେଇ ନାହାନ୍ତି । ମୁଁ କହୁନାହିଁ ଯେ, ସ୍ୱାଧୀନତା ସଂଗ୍ରାମରେ ଅହିଂସା ଆନେ୍ଦାଳନର ଅବଦାନ ନାହିଁ ବୋଲି । ସ୍ୱାଧୀନତା ଆନେ୍ଦାଳନରେ ଅହିଂସା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । କିନ୍ତୁ, ଏଥିରେ ଅନ୍ୟ କାହାରି ଅବଦାନ ନାହିଁ ବୋଲି କହିବା ଭୁଲ୍ । ଭାରତୀୟ ଦୃଷ୍ଟିକୋଣରୁ ଯେଉଁମାନେ ଭାରତର ସ୍ୱାଧୀନତା ସଂଗ୍ରାମ କହାଣୀ କହିଛନ୍ତି, ମୋ ବିଚାରରେ ସେମାନେ କିଛି ତ୍ରୁଟି କରିଛନ୍ତି । ବ୍ରିଟିସ୍ ଚାଲିଗଲେ କିନ୍ତୁ, ‘ଅଂଗ୍ରେଜିୟାତ୍’ (ଇଂରାଜୀବାଦ) ଛାଡ଼ିଗଲେ । ଏହି ‘ଇଂରାଜୀବାଦ’ ଦୃଷ୍ଟିଭଙ୍ଗୀରେ ଲେଖାଯାଇଥିବା ଇତିହାସ ସମସ୍ତ ବିଭ୍ରାନ୍ତି ସୃଷ୍ଟି କରିଛି ବୋଲି ଶାହ କହିଛନ୍ତି ।

Leave a Reply

Your email address will not be published. Required fields are marked *