୮୩ଲକ୍ଷ ସିଲିଣ୍ଡରର ମାଗଣା ରିଫିଲିଂ

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ହିତାଧିକାରୀଙ୍କୁ ମାଗଣାରେ ତିନିଟି ରନ୍ଧନଗ୍ୟାସ ସିଲିଣ୍ଡର ଗ୍ୟାସ ଭରିବାର ସୁଯୋଗ ମିଳିଥିବାବେଳେ ଓଡିଶାର ହିତାଧିକାରୀମାନେ ବିନା ମୂଲ୍ୟରେ ୮୩ଲକ୍ଷରୁ ଅଧିକ ଗ୍ୟାସି ସିଲିଣ୍ଡର ଭରିଛନ୍ତି । ତେବେ ପଡୋଶୀ ପଶ୍ଚିମବଙ୍ଗରେ ମାଗଣା ଗ୍ୟାସ ସିଲିଣ୍ଡର ସଂଖ୍ୟା ଏକ କୋଟିରୁ ଅଧିକ ରହିଥିଲା ।ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା (ପିଏମୟୁୱାଇ)ରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସହିତ ଅନ୍ୟାନ୍ୟ କେତେକ ବର୍ଗର ଲୋକଙ୍କୁ ରିହାତି ଦରରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି । ୨୦୧୯-୨୦ ରେ ଦେଶରେ ଏହି ଯୋଜନାର ହିତାଧିକାରୀମାନେ ମୁଣ୍ଡପିଛା ୩.୦୧ ଟି ୧୪.୨ କିଲୋର ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବାବେଳେ ୨୦୨୧-୨୨ ରେ ତାହାର ୩.୬୮କୁ ବୃଦ୍ଧି ପାଇଛି । ତେବେ ହିତାଧିକାରୀମାନେ କିଭଳି ଅଧିକରରୁ ଅଧିକ ରନ୍ଧନଗ୍ୟାସ ବ୍ୟବହାର କରିବେ ସେଥିପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିହାତି ଦିଆଯାଉଛି । ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ଏହି ରିହାତି ମିଳିବ । ତେବେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ପିଏମୟୁୱାଇ ହିତାଧିକାରୀଙ୍କୁ କରୋନା ସମୟରେ ଅର୍ଥାତ୍ ୨୦୨୦ ଏପ୍ରିଲ୍ରୁ ମାଗଣାରେ ୩ଟି ସିଲିଣ୍ଡର ରିଫିଲିଂ କରିବାର ସୁଯୋଗ ମିଳିଥିଲା । ଏହି ଯୋଜନାକୁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏଥିରେ ସମଗ୍ର ଦେଶରେ ୧୪.୧୭ କୋଟି ସିଲିଣ୍ଡର ମାଗଣାରେ ରିଫିଲିଂ ହୋଇଥିଲା ।ଜଣାଯାଇଛି ଯେ ଏହି ମାଗଣା ରିଫିଲିଂ ସମୟ ମଧ୍ୟରେ ଓଡିଶାରେ ମୋଟ୍ ୮୩,୭୩,୦୭୩ଟି ସିଲିଣ୍ଡରକୁ ହିତାଧିକାରୀମାନେ ମାଗଣାରେ ପାଇଛନ୍ତି । ତେବେ ପଶ୍ଚିମବଙ୍ଗରେ ଏହି ସମୟରେ ହିତାଧିକାରୀମାନେ ପାଖାପାଖି ୧.୭୩ କୋଟି ସିଲିଣ୍ଡର ରିଫିଲିଂ କରିଥିଲେ ।

Leave a Reply

Your email address will not be published. Required fields are marked *