ଫିଲ୍ଡ ମାର୍ଶାଲ ସାମ ହୋର୍ମୁସ୍ଜି ଫ୍ରମ୍ଜୀ ଜାମସେଦଜୀ ମାନେକ୍ଶା ଏମସି (୩ ଏପ୍ରିଲ ୧୯୧୪ – ୨୭ ଜୁନ ୨୦୦୮), ସାମବାହାଦୁର (“ସାମ ଦି ବ୍ରେଭ”) ନାମରେ ମଧ୍ୟ ପରିଚିତ, ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନାର ସେନା ମୁଖ୍ୟ ଥିଲେ ଏବଂ ପ୍ରଥମ ଭାରତୀୟ ସେନା ଅଧିକାରୀ ଯିଏ ଫିଲ୍ଡ ମାର୍ଶାଲ ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତାଙ୍କ ସକ୍ରିୟ ସାମରିକ ଜୀବନ ଚାରି ଦଶନ୍ଧି ଏବଂ ପାଞ୍ଚଟି ଯୁଦ୍ଧ ପର୍ଯ୍ୟନ୍ତ ବ୍ୟାପିଥିଲା, ଯାହା ଦ୍ବିତୀୟ ବିଶ୍ବଯୁଦ୍ଧରୁ ଆରମ୍ଭ ହୋଇଥିଲା ।
ମାନେକଶା ୧୯୩୨ ମସିହାରେ ଡେରାଡୁନରେ ଥିବା ଭାରତୀୟ ସାମରିକ ଏକାଡେମୀର ପ୍ରଥମ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଚତୁର୍ଥ ବାଟାଲିୟନ, ଦ୍ୱାଦଶ ଫ୍ରଣ୍ଟିୟର ଫୋର୍ସ ରେଜିମେଣ୍ଟରେ ନିଯୁକ୍ତ ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ସାହସିକତା ପାଇଁ ମିଲିଟାରୀ କ୍ରସ ପ୍ରଦାନ କରାଯାଇଥିଲା । ୧୯୪୭ରେ ଭାରତ ବିଭାଜନ ପରେ ତାଙ୍କୁ ଅଷ୍ଟମ ଗୋର୍ଖା ରାଇଫଲରେ ପୁନଃ ନିଯୁକ୍ତ କରାଯାଇଥିଲା । ସେ ୧୯୫୨ ମସିହାରେ ୧୬୭ ଇନଫେଣ୍ଟରି ବ୍ରିଗେଡର କମାଣ୍ଡର ହୋଇଥିଲେ ଏବଂ ୧୯୫୪ ମସିହା ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିଥିଲେ ଯେତେବେଳେ ସେ ସେନା ମୁଖ୍ୟାଳୟରେ ସାମରିକ ପ୍ରଶିକ୍ଷଣ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଇମ୍ପେରିଆଲ ଡିଫେନ୍ସ କଲେଜରେ ହାୟର କମାଣ୍ଡ ପାଠ୍ୟକ୍ରମ ଶେଷ କରିବା ପରେ ସେ ୨୬ତମ ଇନଫେଣ୍ଟରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ଭାବେ ନିଯୁକ୍ତ ହୋଇଥିଲେ। ସେ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜର କମାଣ୍ଡାଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୬୩ମସିହାରେ ମାନେକସାଙ୍କୁ ସେନା କମାଣ୍ଡର ପଦରେ ପଦୋନ୍ନତି ଦିଆଯାଇ ପଶ୍ଚିମ କମାଣ୍ଡକୁ ଦାୟିତ୍ୱ ଗ୍ରହଣ କରାଯାଇଥିଲା ଏବଂ ୧୯୬୪ ମସିହାରେ ପୂର୍ବ କମାଣ୍ଡକୁ ବଦଳି କରାଯାଇଥିଲା ।
ଡିଭିଜନ, କୋର ଏବଂ ଆଞ୍ଚଳିକ ସ୍ତରରେ ସୈନ୍ୟଙ୍କ ନେତୃତ୍ୱ ନେଇସାରିଥିବା ମାନେକ୍ସା ୧୯୬୯ରେ ସପ୍ତମ ସେନା ମୁଖ୍ୟ ହୋଇଥିଲେ। ତାଙ୍କ ଅଧୀନରେ ଭାରତୀୟ ସେନା ୧୯୭୧ ମସିହାଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ବିରୋଧରେ ବିଜୟୀ ଅଭିଯାନ ଚଳାଇଥିଲା, ଯାହା ଫଳରେ ଡିସେମ୍ବର ୧୯୭୧ରେ ବାଂଲାଦେଶ ଗଠନ ହୋଇଥିଲା । ତାଙ୍କୁ ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା, ଯାହା କି ଭାରତର ଦ୍ୱିତୀୟ ଏବଂ ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।