ଆଜି ହେଉଛି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ଭାଗର ଅନ୍ୟତମ ଅମର ବୀର, ମାଟିର ପ୍ରକୃତ ସନ୍ତାନ ଜୟକୃଷ୍ଣ ରାଜଗୁରୁ ମହାପାତ୍ର—ଯାହାଙ୍କୁ ଆମେ ସମସ୍ତେ ଆଦରରେ ‘ଜୟୀ ରାଜଗୁରୁ’ ବୋଲି ଜାଣୁ—ତାଙ୍କର ଜନ୍ମଦିବସ। ୧୭୩୯ ମସିହା ଆଜିର ଏହି ଦିନରେ ସେ ପୁରୀ ନିକଟସ୍ଥ ବୀରହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ଖୋର୍ଦ୍ଧା ରାଜଦରବାରର ପୁରୋହିତ ବା ‘ରାଜଗୁରୁ’ ଥାଇ ମଧ୍ୟ ସେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମର ମଙ୍ଗ ଧରିଥିଲେ। ନରସିଂହ ରାଜଗୁରୁଙ୍କ ମୃତ୍ୟୁ ପରେ ତାଙ୍କୁ ଗଜପତି ମହାରାଜାଙ୍କ ସେନାମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା ଏବଂ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ରାଜଗୁରୁ ଭାବେ ନିଯୁକ୍ତି ଦେଇଥିଲେ।
ସେତେବେଳେ ଇଂରେଜମାନେ ଆନ୍ଧ୍ର ପ୍ରଦେଶର ଏକ ଅଂଶ ଅଧିକାର କରି ଗଞ୍ଜାମ ମଧ୍ୟକୁ ପ୍ରବେଶ କରିବା ସହ ଏକ ଦୁର୍ଗ ନିର୍ମାଣ କରିଥିଲେ। ଗଞ୍ଜାମ-ମେଦିନୀପୁର ଯାତାୟାତ ପଥ ଅଧିକାର କରିବା ଥିଲା ସେମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ। ୧୭୯୮ରେ ଗଜପତି ମହାରାଜାଙ୍କ ପ୍ରଜା-ପ୍ରପୀଡ଼କ ଭାଇ ଶ୍ୟାମସୁନ୍ଦର ଦେବଙ୍କ ସହାୟତାରେ ସେମାନେ ଖୋର୍ଦ୍ଧା ଆକ୍ରମଣ କଲେ। ଠିକ୍ ସେହି ସମୟରେ ଗଜପତିଙ୍କ ଅକାଳ ବିୟୋଗ ଘଟିଲା। ତଥାପି, ଜୟୀ ରାଜଗୁରୁ ଦବିଯାଇ ନଥିଲେ।
ସେ ଇଂରେଜମାନଙ୍କୁ ସେମାନଙ୍କ ଲକ୍ଷ୍ୟରେ ସଫଳ ହେବାକୁ ଦେଇ ନଥିଲେ। ଗଜପତିଙ୍କ ନାବାଳକ ପୁତ୍ର ଦ୍ୱିତୀୟ ମୁକୁନ୍ଦଦେବଙ୍କୁ ସିଂହାସନରେ ବସାଇ ସେ ଯୁଦ୍ଧ ଜାରି ରଖିଥିଲେ। ଶେଷରେ ଇଂରେଜ ପକ୍ଷ ଚୁକ୍ତି କରିବାକୁ ବାଧ୍ୟ ହୋଇଥିଲା। ଗଞ୍ଜାମ-ମେଦିନୀପୁର ମଧ୍ୟରେ ଯାତାୟାତ ପାଇଁ ଖୋର୍ଦ୍ଧା ରାଜକୋଷକୁ ଏକ ଲକ୍ଷ ଟଙ୍କା ତଥା ଚାରିଟି ପ୍ରଗଣା ଫେରାଇବା ସର୍ତ୍ତ ରହିଥିଲା। କିନ୍ତୁ ଇଂରେଜମାନେ ସେହି ସର୍ତ୍ତ ପାଳନ କଲେ ନାହିଁ।
ଏହାର ଜବାବରେ, ୧୮୦୩ ମସିହାରେ ଜୟୀ ରାଜଗୁରୁ ପ୍ରାୟ ଦୁଇ ହଜାର ସଶସ୍ତ୍ର ପାଇକଙ୍କୁ ନେଇ କଟକସ୍ଥିତ ବାରବାଟୀ ଦୁର୍ଗ ଘେରାଉ କରିଥିଲେ। ସେଠାରେ ଅବସ୍ଥାପିତ ବ୍ରିଟିସ୍ ପ୍ରଶାସକ ତାଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ। ସେଠାରୁ ଫେରି ସେ ନିଜ ବଳରେ ଚାରିଟିଯାକ ପ୍ରଗଣା ଅଧିକାର କରିଥିଲେ।
ଏହାପରେ ଆରମ୍ଭ ହୋଇଥିଲା ଓଡ଼ିଶାକୁ ଇଂରେଜମୁକ୍ତ କରିବା ପାଇଁ ବଡ଼ ଅଭିଯାନ। ୧୮୦୫ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଜୟୀ ରାଜଗୁରୁ ସଫଳ ହୋଇପାରି ନଥିଲେ। ତାଙ୍କର ଜଣେ ବାର୍ତ୍ତାବାହକଙ୍କୁ ଇଂରେଜ ସେନା ବନ୍ଦୀ କରିବାରୁ ତାଙ୍କର ସମସ୍ତ ଗୁପ୍ତ ଯୋଜନା ଓ ଠିକଣା ବ୍ରିଟିସ୍ମାନଙ୍କୁ ଜଣାପଡ଼ିଯାଇଥିଲା ଏବଂ ପରିସ୍ଥିତି ବଦଳିଯାଇଥିଲା।
୩ ଜାନୁଆରି ୧୮୦୫ରେ ଏହି ମହାନ ଯୋଦ୍ଧା ବନ୍ଦୀ ହୋଇଥିଲେ ଏବଂ ୬ ଡିସେମ୍ବର ୧୮୦୬ରେ ମେଦିନୀପୁରର ବାଘିତୋଟାରେ ଏକ ବରଗଛରେ ଝୁଲାଇ ତାଙ୍କୁ ଅତ୍ୟନ୍ତ ବର୍ବରୋଚିତ ଭାବେ ହତ୍ୟା କରାଯାଇଥିଲା।
ଆଜିର ଏହି ପବିତ୍ର ଦିନରେ, ସେହି ମହାନ ଦେଶପ୍ରେମୀ, ମାତୃଭୂମିର ସୁପୁତ୍ର ବୀର ଜୟୀ ରାଜଗୁରୁଙ୍କୁ ଆମର ଶତ ଶତ ପ୍ରଣାମ!