ଜୈବିକ କୃଷିର ବାର୍ତ୍ତାବହ ସଫଳ ଦମ୍ପତି

ଜୈବିକ କୃଷିର ବାର୍ତ୍ତାବହ ସଫଳ ଦମ୍ପତି
ନିମ୍ୱପତ୍ରରେ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ
ନିରାକାରପୁର: ବିନା ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର କରି ଜମିରେ ଉନ୍ନତ୍ତମାନର ଫସଲ ଅମଳ କରିବାରେ ସଫଳ ହୋଇଛନ୍ତି ଏକ ଦମ୍ପତି । ଜମିରେ ଅଧିକରୁ ଅଧିକ ଫସଲ ଅମଳ ହୋଇପାରୁଛି। ଏହାଦ୍ବାରା କେବଳ ନିଜେ ସ୍ବାବଲମ୍ବୀ ହୋଇଛନ୍ତି ତା’ ନୁହେଁ ଆଖପାଖ ଅଞ୍ଚଳର ଅନେକ ଚାଷୀଙ୍କୁ ସ୍ବାବଲମ୍ବନର ରାସ୍ତା ଦେଖାଇବା ସହ ଚାଷ ପ୍ରତି ସେମାନଙ୍କୁ ଆକୃଷ୍ଟ କରିପାରିଛନ୍ତି। ଲୋକମାନେ ଚାଷକରିବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଜୈବିକ ଚାଷ କରି ଏକ ନିଆର ଉଦାହରଣ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା ଜିଲା ଗୋଡିପଡା ଗ୍ରାମପଞ୍ଚାୟତ ଲହଙ୍ଗା ଗ୍ରାମର ସଫଳ ଚାଷୀ ଲୋକନାଥ ଦାସ୍ ଓ ତାଙ୍କ ସ୍ତ୍ରୀ । ଖୋର୍ଦ୍ଧା ଜିଲା ଗୋଡିପଡା ଗ୍ରାମର ଗ୍ରାମପଞ୍ଚାୟତ ଲହଙ୍ଗା ଲୋକନାଥ ଦାସ୍। ପ୍ରକୃତି ଓ ପରିବେଶ ପ୍ରତି ପିଲାବେଳୁ ମନରେ ଥିବା ଅହେତୁକ ଦୁର୍ବଳତା ଯୋଗୁଁ ଜୀବନକୁ କୃଷି ଓ କୃଷକଙ୍କ ଲାଗି ସମର୍ପିତ କରିବାକୁ ସ୍ଥିର କରିଥିଲେ। ପ୍ରଥମେ ସେ ନିଜ ଚାଷ ଜମିରେ ଜୈବିକ ପ୍ରଣାଳିରେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରୁ ସଫଳତା ପାଇବା ପରେ ନିଜ ଅଞ୍ଚଳର ଲୋକଙ୍କୁ ସଚେତନ କରାଇବା ସହ ଜୈବିକ କୃଷି ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜର ନିଷ୍ଠା ଏକାଗ୍ରତା ବଳରେ ୨ ଏକର ଟାଙ୍ଗରା ଜମିକୁ ଶସ୍ୟ ଶ୍ୟାମଳା କରିବା ସହ ଚାଷୀଙ୍କୁ ଜୈବିକ କୃଷି ମାଧ୍ୟମରେ ସ୍ବରୋଜଗାର ଓ ସ୍ବାବଲମ୍ବୀ ହେବା ପାଇଁ ମାର୍ଗଦର୍ଶନ କରୁଛନ୍ତି।
ଲୋକନାଥ ନିଜ ଜମିରେ ବାଇଗଣ, ଟମାଟୋ, କାକୁଡି ଜହ୍ନି, ବୋଦି ମୂଳାନଆଦି ଜୈବିକ ପଦ୍ଧତିରେ ଚାଷ କରିଛନ୍ତି । ସ୍ଥାନୀୟ ଲୋକମାନେ ଲୋକନାଥଙ୍କ ବାରିକୁ ଆସି ଅତି ଆଗ୍ରହ ସହକାରେ ପନିପରିବା କିଣି ନେଉଛନ୍ତି। ଅନେକ ସମୟରେ ଲୋକନାଥ ସାମାଜିକ କାର୍ଯ୍ୟ, ଯଜ୍ଞ, ହୋମ, ଠାକୁର ଠାକୁରାଣୀଙ୍କ ପର୍ବ ପର୍ବାଣିରେ ବିନା ମୂଲ୍ୟରେ ତାଙ୍କ ଜମିରେ ଥିବା ଫସଲ ଦାନ କରିଥାନ୍ତି। ଗରିବ ଲୋକ ତାଙ୍କ ବାରି ପାଖକୁ ଗଲେ ସେ ତାଙ୍କୁ କେବେ ଖାଲି ହାତରେ ଫେରାଇନଥାନ୍ତି । ନିଜ ବାରିରୁ ଅମଳ ପନିପରିବାକୁ ବିନା ମୁଲ୍ୟରେ ପ୍ରଦାନ କରିଥାନ୍ତି । ତାଙ୍କ କହିବା କଥା ବର୍ତ୍ତମାନ ପରିସ୍ଥିତିରେ ଯେଉଁ ପନିପରିବା ବଜାରକୁ ଆସୁଛି, ସେଥିରେ ପ୍ରବଳ ମାତ୍ରାରେ ବିଷ ପ୍ରୟୋଗ କରାଯାଉଛି । ଯାହାକୁ ଖାଇ ଲୋକମାନେ ପରୋକ୍ଷରେ ବିଭିନ୍ନ ପ୍ରକାର ରୋଗରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଅଧିକ ଅମଳ ଆଶାରେ ଚାଷୀମାନେ ଜମିରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ରାସାୟନିକ ସାର କୀଟନାଶକ ଔଷଧ ବ୍ୟବହାର କରୁଛନ୍ତି । ମୋ ଜମିରେ ମୁଁ ଯେତିକି ପରିମାଣରେ ଫସଲ କରୁଛି, ବିନା ସାର ଔଷଧ ପିଡିଆରେ ଚାଷ କରୁଛି। ମୋର ଉତ୍ପାଦିତ ଦ୍ରବ୍ୟ ବଜାରରେ ବିକ୍ରି କରିବାକୁ ପଡୁନାହିଁ। ଲୋକମାନେ ବହୁ ଆଗ୍ରହ ସହକାରେ ବାରି ପାଖରୁ କିଣି ନେଉଛନ୍ତି। ଗାଁ
ଗହଳିରେ ଥିବା ନିମ୍ବ ଗଛରୁ ଓ ବାରିର ଚାରିପଟେ ଲାଗିଥିବା ନିମ୍ବ ଗଛରୁ ପତ୍ର ଗୁଡିକୁ ସଂଗ୍ରହ କରି ତାକୁ ସୁଖାଇ ହେମଦସ୍ତାରେ ଗୁଣ୍ଡ କରି ଚାଷ କାର୍ଯ୍ୟରେ ବ୍ୟବହାର କରୁଛି। ଏହି କାର୍ଯ୍ୟରେ ମୋ ସ୍ତ୍ରୀ ମୋତେ ସହଯୋଗ କରୁଛନ୍ତି। ଯାହାଫଳରେ ପନିପରିବା ଗୁଡିକ ଅତି ସ୍ବାଦିଷ୍ଟ ହେଉଛି । ଗରାଖ ଅପକ୍ଷା କରି ମୋ ବାରିରୁ ପନିପରିବା କିଣି ନେଉଛନ୍ତି। ଯଦିଓ ଜୈବିକ ପ୍ରଣାଳିରେ ଅମଳ କମୁଛି, ତଥାପି ଚାଷରେ ବିଶେଷ କ୍ଷତି ହେଉନାହିଁ। ଲୋକନାଥଙ୍କ କହିବା ଅନୁଯାୟୀ, ରାସାୟନିକ ସାର ପ୍ରୟୋଗ ଦ୍ବାରା ଜମିରେ ଉର୍ବର ଶକ୍ତି ଓ ଉତ୍ପାଦନ କ୍ଷମତା ହ୍ରାସ ପାଉଛି । ତେଣୁ ଜୈବିକ କୃଷିକୁ ଆପଣାଇବା ଦ୍ବାରା ମାଟି ସୁରକ୍ଷିତ ରହିବା ସହ ପନିପରିବାର ସ୍ଵାଦ ରହିବ ବୋଲି ସେ ମତ ଦେଇଛନ୍ତି।

Leave a Reply