ହିନ୍ଦୁତ୍ଵ ଜାଗରଣ ପାଇଁ ହିନ୍ଦୁ ସମ୍ମିଳନୀ

ହିନ୍ଦୁତ୍ଵ ଜାଗରଣ ପାଇଁ ହିନ୍ଦୁ ସମ୍ମିଳନୀ
ନିମାପଡ଼ା : ଧାର୍ମିକ ଉତ୍ସାହ, ସାମାଜିକ ସଚେତନତା, ସଂଗଠନାତ୍ମକ ଏକତା ତଥା ହିନ୍ଦୁତ୍ବର ଜାଗରଣ ପାଇଁ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବାରବାଟୀ ପଡିଆ ନିକଟସ୍ଥ ପୁର୍ଣ୍ଣେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ପ୍ରଭାତରୁ ନାମ ସଙ୍କୀର୍ତ୍ତନ ସହିତ ଶତାଧିକ ଭକ୍ତମାନଙ୍କ ଗହଣରେ ହରି ହାଟ କରାଯାଇଥିଲା। ପ୍ରାତଃ ୯ ଟାରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାବୀର ମନ୍ଦିର ଠାରୁ ନଗରକୀର୍ତ୍ତନ ବାହାରି ପୁର୍ଣ୍ଣେଶ୍ଵରୀ ମନ୍ଦିର ନିକଟରେ ପହଞ୍ଚିବା ପରେ ପୂର୍ବାହ୍ନ ୧୧ଟାରେ ଧର୍ମସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥଲା। ସହସ୍ରାଧିକ ହିନ୍ଦୁ ଭକ୍ତ, ସାଧୁ ସନ୍ଥ, ମହନ୍ତ, ମଠାଧୀଶ ପ୍ରମୁଖ ସାମିଲ ହୋଇଥିବା ବେଳେ ହରେକୃଷ୍ଣ ହରେରାମ ହରିନାମ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ନାମ ସଂକୀର୍ତ୍ତନ ସହ ହିନ୍ଦୁ ଧର୍ମର ମୂଲ୍ୟବୋଧ, ସଂସ୍କୃତି ଓ ପରମ୍ପରାର ପ୍ରଚାର ହୋଇଥିଲା । ହିନ୍ଦୁ ସମାଜର ଏକତା, ଧର୍ମୀୟ ଚେତନା, ଯୁବପିଢ଼ୀଙ୍କ ଦାୟିତ୍ଵ ଓ ଗୁରୁତ୍ବ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ପୁରୀଜିଲ୍ଲା ଗ୍ରାମ୍ୟ ବିକାଶ ମୁଖ୍ୟ କୈଳାଶ ଚନ୍ଦ୍ର ମହାପାତ୍ର, ଗୋ-ସୁରକ୍ଷା ମଞ୍ଚର ମୁଖ୍ୟ ପ୍ରଭାତ ମହାପାତ୍ର, ସମାଜସେବୀ ଡଃ ଅମୁଲ୍ୟ ପ୍ରସାଦ ଦାଶ, ଉମାଶଙ୍କର ଆଚାର୍ଯ୍ୟ ପ୍ରମୁଖ ସଭାରେ ଯୋଗଦେଇ ଦେଶରେ ଶିକ୍ଷା, ସେବା ଓ ରାଷ୍ଟ୍ରଭକ୍ତିର ଭାବନା, ସାମାଜିକ ସମନ୍ବୟ, ନାଗରିକ କର୍ତ୍ତବ୍ୟ ସମେତ ହିନ୍ଦୁ ସମାଜକୁ ସଂଗଠିତ କରି ଦେଶ ଓ ସମାଜ ଗଢ଼ି ବା ଏହାର ମୁଖ୍ୟଲକ୍ଷ୍ୟ ବୋଲି ମତପ୍ରକାଶ କରିଥିଲେ। ହିନ୍ଦୁ ସର୍ବଦା ପରମାତ୍ମାଙ୍କଠାରୁ ହିଁ ଉତ୍ପତ୍ତି ହୋଇଥିବା ଜ୍ଞାନୀ ସନ୍ଥ ମାନେ ମତ ବ୍ଯକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସହସ୍ରାଧିକ ମହିଳା, ପୁରୁଷ, ଯୁବକ ଓ ବୃଦ୍ଧଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ସମଗ୍ର ଅଞ୍ଚଳରେ ଏହି ହିନ୍ଦୁ ସମ୍ମିଳନୀ ଦ୍ଵାରା ଧାର୍ମିକ ଓ ସାମାଜିକ ଚେତନାର ଏକ ନୂତନ ଜାଗରଣ ସୃଷ୍ଟି ହୋଇଥିବା ଲୋକମାନେ ମତପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *