Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି । ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବୁଦ୍ଧିଜୀବୀ, ଐତିହାସିକ ଓ କଳାହାଣ୍ଡିବାସୀଙ୍କ ମନରେ ଉତ୍ସୁକତା ବଢ଼ିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ବରିଷ୍ଠ ଗବେଷକ ଲୋକେଶ ଦୁର୍ଗା ଓ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଦମୟନ୍ତୀ ବାଗ ୨୦୧୮ରେ ଉକ୍ତ ଅଞ୍ଚଳରେ ପ୍ରାୟ ମାସେ ଧରି ଅନୁସନ୍ଧାନ କରିଥିଲେ । ଗବେଷକମାନଙ୍କ ଅନୁସନ୍ଧାନମୂଳକ ତଥ୍ୟ ଅନୁଯାୟୀ, ଜୁନାଗଡ଼ ସହର ଏବଂ ହାତୀନଦୀ ଅବବାହିକାରେ ପ୍ରାଚୀନ ଯୁଗରୁ ମଧ୍ୟଯୁଗ ପର୍ଯ୍ୟନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ରହିଛି । ୨୦୧୮ରେ ପ୍ରାଥମିକ ପର୍ଯ୍ୟାୟ ଅନୁସନ୍ଧାନବେଳେ ଜୁନାଗଡ଼ ଓ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରୁ ସ୍ମୃତି ସ୍ତମ୍ଭ, ସତୀ ସ୍ତମ୍ଭ, ଭଗ୍ନ ମନ୍ଦିର, ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି, ଅଟ୍ଟାଳିକା, ଜଳକୂପ, ମାଟିପାତ୍ର ଭଳି କେତେକ ପ୍ରସ୍ତର ଇଟା ନିର୍ମିତ ସାମଗ୍ରୀ ମିଳିଥିଲା । ଗବେଷଣା ଅନୁଯାୟୀ, ତୃତୀୟ/ଚତୁର୍ଥ ଶତାବ୍ଦୀରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ସହରର ନିରନ୍ତର ସାଂସ୍କୃତିକ ବିକାଶ ହୋଇଥିଲା । ପ୍ରତ୍ନତାତ୍ତ୍ୱିକ ଅବଶେଷରେ ପରିପୂର୍ଣ୍ଣ ପ୍ରାଚୀନ ନଗର ସଭ୍ୟତାର ବୈଶିଷ୍ଟ୍ୟ ଏଠାରେ ପରିଲକ୍ଷିତ ହୁଏ । ଉନ୍ନତ ଜଳସେଚନ ଏବେ ଜଳ ସମ୍ପ୧ଦର ପରିଚାଳନା, ଧର୍ମୀୟ ଭିତ୍ତିଭୂମି, କଳା ଓ ସଂସ୍କୃତି, କୃଷି, ରାଜନୈତିକ ଗତିବିଧି ଏବଂ ବାଣିଜ୍ୟିକ ବିକାଶ ଭଳି ବୈଶିଷ୍ଟ୍ୟ ଏକ ଜନବସତିକୁ ବୃହତ୍ ଜନପତରେ ପରିଣତ କରିଥାଏ । ଜୁନାଗଡ଼ରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଉପାଦାନ ଉପରୋକ୍ତ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରେ । ପ୍ରାକ୍ ମଧ୍ୟଯୁଗରେ ଛକୋଡ଼ି ବନ୍ଧ (୧୨୦) ଓ ନ କୋଡ଼ି ତୋଟା (୧୮୦) ପାଇଁ ଜୁନାଗଡ଼ ସହର ଏବଂ ଏହାର ଆଖପାଖ ଅଞ୍ଚଳ ପ୍ରସିଦ୍ଧ ଥିଲା । ସହରର ରାଣୀବନ୍ଧ, ସମିଅ ବନ୍ଧ, ହୀରା ନୀଳ ବନ୍ଧ, ତଳ ବନ୍ଧ ଏହି ବନ୍ଧଗୁଡ଼ିକର ପ୍ରମାଣ ବହନ କରେ । ସେହିପରି ତୋଟାଗୁଡ଼ିକର ପ୍ରମାଣ ହାତୀ ନଦୀକୂଳ ଭୈରିଗୁଡା ନିକଟରେ ଥିବା ଆମ୍ବତୋଟାରୁ ମିଳେ । ଏହି ପ୍ରମାଣଗୁଡ଼ିକ ଐତିହାସିକ ଜୁନାଗଡ ସହରର ଏକ ଉନ୍ନତ ଜଳସେଚନ ଏବଂ ଜଳ ପରିଚାଳନାର ମୂକସାକ୍ଷୀ । ଭୈରିଗୁଡା, ବ୍ଲକ କଲୋନୀ, ସମୀୟାବନ୍ଧପଡ଼ାରେ ଥିବା ହିନ୍ଦୁ ଦେବଦେବୀଙ୍କ ପ୍ରସ୍ତର ମୂର୍ତ୍ତି ପଞ୍ଚମରୁ ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି । ଏହାବ୍ୟତୀତ ସୋମେଶ୍ୱର ମନ୍ଦିର, ଦଧିବାମନ ମନ୍ଦିର, ପୋଡା ମହାଦେବ ମନ୍ଦିର, ଲଙ୍କେଶ୍ୱରୀ ମନ୍ଦିର, କନକଦୁର୍ଗା ମନ୍ଦିର ମଧ୍ୟ ସପ୍ତମ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳା ସଂସ୍କୃତିର ବିକାଶକୁ ଉପସ୍ଥାପନ କରେ ।

Leave a Reply