ଆଦରଣୀୟ ମୋହନ ଭାଗବତଜୀ ଏବଂ ଏଠାରେ ଉପସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ଦେବୀ ଓ ସଜ୍ଜନଗଣ। ଆପଣ ସମସ୍ତଙ୍କୁ ବିଜୟଦଶମୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ମୁଁ କୃତଜ୍ଞ ଯେ ଆପଣମାନେ ମତେ ଏହି ମହାନ ପର୍ବରେ ନିମନ୍ତ୍ରଣ କରିଛନ୍ତି ଏବଂ ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ସଂଘର ୧୦୧ତମ ପ୍ରତିଷ୍ଠା ଦିବସରେ ଏହି ଆୟୋଜନର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।
୧୦୧ ବର୍ଷ ପୂର୍ବେ ଯେତେବେଳେ ସଂଘ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ଭାରତ ସ୍ୱାଧୀନ ହୋଇ ନଥିଲା ଏବଂ ସେ ସମୟର ସାମାଜିକ ପରିସ୍ଥିତି ମଧ୍ୟ ଭିନ୍ନ ଥିଲା। ତେଣୁ ସଂଘ ପ୍ରତିଷ୍ଠାର ମୂଳ ଅବଧାରଣା ଏବଂ ଉଦ୍ଦେଶ୍ୟ ଥିଲା ହିନ୍ଦୁ ସମାଜର ଏକତା ଏବଂ ଏହାକୁ ସାମର୍ଥ୍ୟବାନ କରିବା , ସେହିପରି ରାଷ୍ଟ୍ରର ସ୍ୱାଧୀନତା ମଧ୍ୟ ଏହାର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ସଂଘର ସେତେବେଳର ଧାରଣା ଥିଲା ଯେ ସମାଜକୁ ପରାଧୀନତାର ମାନସିକତାରୁ ମୁକ୍ତ କରି ସ୍ୱବୋଧ ବିନା ପ୍ରକୃତ ସ୍ୱାଧୀନତାର କଳ୍ପନା କରାଯାଇ ପାରିବ ନାହିଁ।
ଭାରତ ସ୍ୱାଧୀନ ହେଲା ଏବଂ ସ୍ୱାଧୀନତା ପରେ ସଂଘ ବ୍ୟକ୍ତି ନିର୍ମାଣ ସହିତ ଭାରତୀୟତା ଏବଂ ରାଷ୍ଟ୍ରନିଷ୍ଠାକୁ ନିଜର ପ୍ରମୁଖ ଲକ୍ଷ୍ୟ କଲା। ସ୍ୱାଧୀନତା ପ୍ରାପ୍ତିପରେ ସଂଘର ଏହି ପବିତ୍ର ବିଚାରଧାରାକୁ, କ୍ଷତାସୀନ ରାଜନେତାମାନେ ଏବଂ ରାଜନୀତିର ଏକ ବର୍ଗ ଗ୍ରହଣ କଲେ ନାହିଁ, କାରଣ ସଂଘର ବିଚାରଧାରା ସେମାନଙ୍କ ତୁଷ୍ଟିକରଣ ଏଜେଣ୍ଡା ସହିତ ମେଳ ଖାଉ ନଥିଲା, ତଥାପି ସମସ୍ତ ଆହ୍ୱାନ ସତ୍ତ୍ୱେ ସଂଘ ନିଜ ମାର୍ଗରେ ନିରନ୍ତର ଆଗକୁ ବଢ଼ିଚାଲିଲା। ଭାରତ ଗଣତନ୍ତ୍ର ହେବାକ୍ଷଣି ସଂଘର କାର୍ଯ୍ୟ-ବିଚାର ଦ୍ୱାରା ପ୍ରେରଣାପ୍ରାପ୍ତ ହୋଇ ବିଶୁଦ୍ଧ ଭାରତୀୟତାରେ ବିଶ୍ୱାସ ରଖୁଥିବା ଅନେକ ରାଜନେତା ନିଜର ବିଚାର ବଦଳାଇଲେ ଏବଂ କିଛି ରାଷ୍ଟ୍ରନିଷ୍ଠ ବିଚାରକଙ୍କ ସହିତ ମିଶି ଜନସଂଘ ପ୍ରତିଷ୍ଠା କଲେ। ପରେ ଏହି ଜନସଂଘ, ଭାରତୀୟ ଜନତା ପାର୍ଟି (ବିଜେପି) ରୂପେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହୋଇପାରିଛି।
ଆଜି ଏହି ଦଳର ଶୀର୍ଷରେ ଥିବା ନେତାମାନଙ୍କ ସହିତ ଅନେକ ନେତାଙ୍କ ମଧ୍ୟରେ ଭାରତୀୟତା, ରାଷ୍ଟ୍ରୀୟତା ଏବଂ ଭାରତୀୟ ସଂସ୍କାରର ଯେଉଁ ବୋଧ ରହିଛି, ତାହା ସେମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘଠାରୁ ହିଁ ମିଳିଛି। ତେଣୁ ଏକଥା ମାନିବାରେ କୌଣସି ସଂକୋଚ ହେବା ଉଚିତ ନୁହେଁ ଯେ ଏହି ଦଳର ସଫଳତା ପଛରେ ସଂଘର ଦୃଢ଼ ବୈଚାରିକ ଏବଂ ସଂଗଠନ ଶକ୍ତି ରହିଛି। ସଂଘ ସହିତ ତା’ର ଆନୁଷଙ୍ଗିକ ଏବଂ ବିଚାରଦ୍ୱାରା ପ୍ରେରିତ ସଂଗଠନଗୁଡ଼ିକ ଯେଉଁଥିରେ ଭାରତୀୟ ଜନତା ପାର୍ଟି ସାମିଲ, ସେମାନଙ୍କ ଉପରେ କ୍ରମାଗତ ଅଭିଯୋଗ ଲାଗେ ଯେ ଏହା ହିନ୍ଦୁ ଅତିବାଦକୁ ପ୍ରୋତ୍ସାହିତ କରୁଛି। କିନ୍ତୁ ଆଜି ଯଦି ସଂଘ ନଥାନ୍ତା, ତେବେ ହିନ୍ଦୁ ସଂସ୍କାର, ହିନ୍ଦୁ ଜୀବନ ପଦ୍ଧତି କେବେଠାରୁ ବିଲୁପ୍ତ ହୋଇସାରିଥା’ନ୍ତା। ପ୍ରଥମେ ମୋଗଲମାନଙ୍କର ଏବଂ ପରେ ବ୍ରିଟିଶମାନଙ୍କ ଶାସନକାଳର ପ୍ରାୟ ଛଅ ଶହ ବର୍ଷର ଗୋଲାମୀ ପରେ ଯଦି ଆଜି ଭାରତୀୟତା ଏବଂ ହିନ୍ଦୁତ୍ୱର ବିଶ୍ୱରେ ନିଜର ପ୍ରଭାବ ରହିଛି, ତେବେ ଏହାର ଶ୍ରେୟ ମୁଖ୍ୟତଃ ସଂଘକୁ ଦିଆଯିବା ଉଚିତ।
ଶତାବ୍ଦୀ ବର୍ଷ ପରେ ସଂଘ ଆଗାମୀ ୧୦୦ ବର୍ଷ ପାଇଁ ସମାଜରେ ନିରନ୍ତର ପରିବର୍ତ୍ତନ ଆଣିବା ଏବଂ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧର ସ୍ଥାପନା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି, କାରଣ ଆହ୍ୱାନଗୁଡ଼ିକ ଏବେ ମଧ୍ୟ ବହୁତ ରହିଛି। ଯେଉଁ ସାମାଜିକ କୁସଂସ୍କାରଗୁଡ଼ିକ ସମୟ ସହିତ ଜଡ଼ିତ ହୋଇଯାଏ, ସେଗୁଡ଼ିକୁ ଦୂର କରିବା ପାଇଁ ସଂଘ ଭଳି ଅନୁଷ୍ଠାନଗୁଡ଼ିକର ସର୍ବଦା ଆବଶ୍ୟକତା ପଡ଼ିଥାଏ, କାରଣ ସଂଘ ନିଷ୍କାମ ଭାବରେ ନିଜର କାର୍ଯ୍ୟ କରିଥାଏ। ଯଦିଓ ସାମାଜିକ ସୁଧାର କରିବାର ଦାୟିତ୍ୱ ରାଜନୈତିକ ଦଳମାନଙ୍କ ଉପରେ ମଧ୍ୟ ରହିଛି, କିନ୍ତୁ ଭୋଟ୍ ରାଜନୀତି କାରଣରୁ ରାଜନୈତିକ ମହତ୍ତ୍ୱାକାଂକ୍ଷା ଏକ ଭିନ୍ନ ପ୍ରକାରର ସାମାଜିକ ରୋଗକୁ ଜନ୍ମ ଦେଇଥାଏ। ଏଭଳି ସ୍ଥିତିରେ କିଛି ରାଜନୈତିକ ନେତାଙ୍କୁ ଛାଡ଼ିଦେଲେ ଅଧିକାଂଶଙ୍କ ଉପରେ ଜନତାଙ୍କର କୌଣସି ଭରସା ନଥାଏ। ଏପରିସ୍ଥଳେ ସଂଘ ଏବଂ ସଂଘ ପ୍ରେରିତ ସଂଗଠନଗୁଡ଼ିକର ଆବଶ୍ୟକତା ଏବଂ ସାମୟିକତା ଅଧିକ ବୃଦ୍ଧି ପାଇଥାଏ।
ଆଜି ଭାରତ ଦ୍ରୁତ ଆର୍ଥିକ ପ୍ରଗତି ପଥରେ ଅଗ୍ରସର ଏବଂ ସବୁକିଛି ଠିକ୍ ଭାବେ ଚାଲିଲେ, ଆଗାମୀ ୨୦-୨୫ ବର୍ଷ ମଧ୍ୟରେ ଆମେ ପ୍ରକୃତରେ ଏକ ସମୃଦ୍ଧ ରାଷ୍ଟ୍ର ଭାବରେ ସାମ୍ନାକୁ ଆସିବା, କିନ୍ତୁ କ’ଣ ଏହି ସମୃଦ୍ଧି ଆମର ଚେତନା-ଅବଚେତନକୁ ମଧ୍ୟ ସମୃଦ୍ଧ କରିବ? ଏହାକୁ ନେଇ ସନ୍ଦେହ ରହିଛି, କାରଣ ଆଜିର ସମାଜ ଜାତି-ପ୍ରଥା, ବର୍ଗଭେଦ ଏବଂ ପନ୍ଥା-ମଜହବର ପ୍ରାଚୀରରେ ବିଭକ୍ତ ହୋଇ ରହିଛି, ଯାହାଫଳରେ ସହିଷ୍ଣୁତାର ଅତ୍ୟଧିକ ଅଭାବ ଦେଖାଯାଏ। ରାଷ୍ଟ୍ରପ୍ରତି ନିଷ୍ଠା ରହିଛି କିନ୍ତୁ ଏବେ ମଧ୍ୟ ବଡ଼ ସଂଖ୍ୟାରେ ନାଗରିକଙ୍କ ମଧ୍ୟରେ ସେହି ନୈତିକତା, କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱବୋଧର ଅଭାବ ରହିଛି, ଯାହାଦ୍ୱାରା ରାଷ୍ଟ୍ର ଏବଂ ସମାଜକୁ ଅଧିକ ଶ୍ରେଷ୍ଠ କରିବା ପାଇଁ ଯେଉଁ ବିଧି-ବିଧାନ ରହିଛି, ସେଗୁଡ଼ିକୁ ସେମାନେ ମାନିବେ ଏବଂ ପାଳନ କରିବେ।
ଆଜିର ସମାଜରେ ଆଉ ଏକ ଅଭାବ ଯାହା ଦୃଶ୍ଯମାନ ହେଉଛି ତାହା ହେଉଛି ଶୃଙ୍ଖଳିତ ନହେବା। ଅଧିକାଂଶ ନାଗରିକ ଏହି ଚିନ୍ତାଧାରାରେ ଥାଆନ୍ତି ଯେ ଏହି ଶାସନତନ୍ତ୍ର ବ୍ୟବସ୍ଥା ,ଏ ଦେଶ ମତେ କ’ଣ ଦେଉଛି, ଯେତେବେଳେ କି ସେମାନଙ୍କ ଚିନ୍ତାଧାରା ଏହା ହେବା ଉଚିତ ଯେ ଦେଶ ଆମକୁ ସବୁକିଛି ଦେଉଛି କିନ୍ତୁ ଆମେ ମଧ୍ୟ ଦେଶକୁ କିଛି ଦେବା ଶିଖିବା ଉଚିତ। ରାଷ୍ଟ୍ର ପାଇଁ ଜଣେ ନାଗରିକର କ’ଣ ସବୁ କର୍ତ୍ତବ୍ୟ ରହିଛି, ଏପରି ଚିନ୍ତାଧାରାର ପ୍ରାୟତଃ ଅଭାବ ଦେଖାଯାଏ। ଏହିସମସ୍ତ ଆହ୍ୱାନକୁ ସଂଘ ବହୁତ ଭଲ ଭାବରେ ବୁଝିଛି ଏବଂ କ୍ରମାଗତ ଭାବେ ଏଥିପାଇଁ କାର୍ଯ୍ୟ କରୁଛି।
‘ଏହାହିଁ ଦୈନିକ ଜାଗରଣ’ ଖବରକାଗଜର ସମ୍ପାଦକୀୟ ନୀତି ଅଟେ। ଆମର ସମାଚାର ପତ୍ରର ନୀତି କୁହେ ଯେ “ଦୈନିକ ଜାଗରଣ ଏକ ଆସ୍ତିକ, ଆସ୍ଥାବାନ, ରାଷ୍ଟ୍ରଭକ୍ତ ଏବଂ ସନାତନ ଭାରତୀୟ ମୂଲ୍ୟବୋଧର ସଂବାହକ ସମାଚାର ପତ୍ର ଅଟେ। ଯାହାର ସଂସ୍କାର ହିଁ ସନାତନ ଭାରତୀୟ ଅଟେ। ଏହା ଏପରି ଏକ ସମାଚାର ପତ୍ର, ଯାହାର ନିୟତି ଏବଂ ପ୍ରକୃତିରେ ପୂର୍ଣ୍ଣ ଆସ୍ଥା ରହିଛି। ଯାହା ସକରାତ୍ମକ ଚିନ୍ତାଧାରା ସହିତ ସମରସତା ଓ ସଦ୍ଭାବନାର ଆଚରଣ ଆପଣାଇ, ନିଜର ପାଠକମାନଙ୍କୁ ମଧ୍ୟ ଏହା ପାଇଁ ନିରନ୍ତର ପ୍ରେରଣା ଦେଇଥାଏ। ଯାହାର ଲକ୍ଷ୍ୟ ଦେଶବାସୀଙ୍କ ମଧ୍ୟରେ ଏହି ଭାବନା ଜାଗ୍ରତ କରିବା ମଧ୍ୟ ଯେ ସେମାନେ ଦେଶ ପାଇଁ କ’ଣ କରିପାରିବେ, ଦେଶକୁ କ’ଣ ଦେଇପାରିବେ?”
ଦେଖିବାକୁ ଗଲେ ସଂଘ ଏବଂ ଜାଗରଣର ବିଚାରଧାରା, ଭାରତୀୟ ସନାତନ ସଂସ୍କୃତି ଏବଂ ରାଷ୍ଟ୍ରପ୍ରତି ନିଷ୍ଠା ଓ ସମର୍ପଣ ବିନ୍ଦୁରେ ଏକାଭଳି ଅଟେ। ଏକ ବିଶାଳ ଏବଂ ଉତ୍ତରଦାୟୀ ସମାଚାର-ବିଚାର ସମୂହ ହୋଇଥିବାରୁ ‘ଦୈନିକ ଜାଗରଣ’ ନିଜର ଏହି ନୈତିକ ଦାୟିତ୍ୱ ବୁଝିଛି ଯେ ନାଗରିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପ୍ରତି କ୍ରମାଗତ ସଚେତନ କରାଉଥାଉ। ଜାଗରଣ ଏହାର ସାତୋଟି ସଂକଳ୍ପ ମାଧ୍ୟମରେ ସାମାଜିକ-ରାଷ୍ଟ୍ରୀୟ ଉତ୍ଥାନ ଦିଗରେ ନିରନ୍ତର ପ୍ରୟାସରତ ଅଛି। ଜାଗରଣର ଏହି ସଂକଳ୍ପ ହେଲା- ସୁଶିକ୍ଷିତ ସମାଜ, ପରିବେଶ ସଂରକ୍ଷଣ, ଜଳ ସଂରକ୍ଷଣ, ସ୍ୱସ୍ଥ ସମାଜ, ନାରୀ ସଶକ୍ତିକରଣ, ଦାରିଦ୍ର୍ୟ ଦୂରୀକରଣ ତଥା ଜନସଂଖ୍ୟା ନିୟନ୍ତ୍ରଣ।
ଆଜି ମଧ୍ୟ ଦେଶରେ କେତେକ ରାଜନୈତିକ ଦଳ ଏବଂ ଅନେକ ସାମାଜିକ ସଂଗଠନ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମହତ୍ତ୍ୱକୁ ବୁଝିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ଭାରତର ସ୍ୱାଧୀନତା ପରେ ଦେଶରେ କୌଣସି ଏଭଳି ସଂଗଠନ ନଥିଲା, ଯାହାକି ସନାତନ ଭାରତୀୟ ମୂଲ୍ୟବୋଧର ପ୍ରଚାର-ପ୍ରସାର କରୁଥା’ନ୍ତା ଏବଂ ଜନମାନସରେ ସେହି ମୂଲ୍ୟବୋଧର ମହତ୍ତ୍ୱକୁ ବୁଝାଉଥା’ନ୍ତା। ଯେକୌଣସି ରାଷ୍ଟ୍ରର ଲୋକଙ୍କର ସଂସ୍କାର ଏବଂ ମୂଲ୍ୟବୋଧ ହିଁ ତାହାକୁ ପରିଭାଷିତ କରିଥାଏ।
ଆଜି ଯଦି ଆନ୍ତର୍ଜାତୀୟ ପଟ୍ଟଭୂମିରେ ଭାରତର କୌଣସି ମହତ୍ତ୍ୱ ସ୍ୱାଧୀନତା ପରେ ରହିଛି, ତେବେ ତା’ର ନିଜର ଆର୍ଥିକ କ୍ଷମତାର ଏକ ବଡ଼ ଅବଦାନ ତ ରହିଛି, କିନ୍ତୁ ଯଦି ଏହି ଆୟାମକୁ ଥରେ ଅଲଗା ମଧ୍ୟ କରିଦିଆଯାଏ, ତେବେ ଏହି ଭୂଭାଗର ସଂସ୍କାରଗୁଡ଼ିକର ମଧ୍ୟ ଆଜିର ଯୁଗରେ ନିଜର ଏକ ମହତ୍ତ୍ୱ ରହିଛି, ଯେପରିକି ହଜାର ହଜାର ବର୍ଷ ପୂର୍ବେ ଥିଲା। ଆଜି ଭାରତୀୟ ସାଂସ୍କୃତିକ ଭୂଭାଗରେ ଅନେକ ପନ୍ଥା, ଜୀବନ ପଦ୍ଧତି ପ୍ରଚଳିତ ଅଛି। ନିଶ୍ଚିତ ଭାବରେ ଏହି କଥାର ପୂର୍ଣ୍ଣ ପ୍ରମାଣ ରହିଛି ଯେ ଏହିସମସ୍ତ ପନ୍ଥା, ପଦ୍ଧତିଗୁଡ଼ିକ ହିନ୍ଦୁ ମୂଳରୁ ହିଁ ବାହାରିଛି। ସେ ସମୟରେ ତାତ୍କାଳିକ ଭାବରେ ହିନ୍ଦୁ ଜୀବନ ଶୈଳୀରେ ଯେଉଁ ବିସଙ୍ଗତିଗୁଡ଼ିକ ଉତ୍ପନ୍ନ ହେଲା, ପ୍ରଚଳିତ ହେଲା, ଅନେକ ପନ୍ଥା ସେହି ବିସଙ୍ଗତିଗୁଡ଼ିକ କାରଣରୁ ହିଁ ଜନ୍ମ ନେଲା।
ସ୍ୱାଧୀନ ଭାରତର ଦୃଷ୍ଟିକୋଣରୁ ଏହାକୁ ଦେଖିଲେ, ଯଦି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କିମ୍ବା ଏହାର ମୂଲ୍ୟବୋଧଦ୍ୱାରା ପ୍ରେରିତ ସଂଗଠନ ନଥାନ୍ତେ, ତେବେ ସେ ଦିନ ଦୂର ନୁହେଁ ଯେତେବେଳେ ବର୍ତ୍ତମାନର ସ୍ୱରୂପର ହିନ୍ଦୁ ଜୀବନ ପଦ୍ଧତି ଜାତି-ପ୍ରଥା ଆଧାରରେ ସମ୍ବିଧାନରେ ଅଲଗା ଭାବରେ ପରିଭାଷିତ ହୋଇଯିବ ଏବଂ ଆଉଥରେ ହିନ୍ଦୁ ସମାଜ ବିଭକ୍ତ ହୋଇଯିବ।
ଗତ ଶତାବ୍ଦୀରେ ଯେଉଁଠାରେ ସଂଘର ଧ୍ୟାନ ତୁଷ୍ଟିକରଣ କାରଣରୁ ହିନ୍ଦୁ ସମାଜ ସମ୍ମୁଖରେ ଉତ୍ପନ୍ନ ସମସ୍ତ ଆହ୍ୱାନକୁ ଦୂର କରିବା ଥିଲା, ସେଠାରେ ଆଗାମୀ ଶତାବ୍ଦୀ ପାଇଁ ଯେଉଁ ଆହ୍ୱାନଗୁଡ଼ିକୁ ସଂଘ ଗ୍ରହଣ କରିଛି, ସେଥିରେ ଦେଶବାସୀଙ୍କ ମଧ୍ୟରେ ଚରିତ୍ର ନିର୍ମାଣ ସର୍ବୋପରି ଅଟେ। ଭଲ ଚରିତ୍ରର ବ୍ୟକ୍ତି ରାଷ୍ଟ୍ରପ୍ରତି ନିଜର କର୍ତ୍ତବ୍ୟଗୁଡ଼ିକୁ ଭଲଭାବରେ ବୁଝିଥାଏ। ରାଷ୍ଟ୍ର ପ୍ରତି ନିଷ୍ଠା ଏବଂ କର୍ତ୍ତବ୍ୟ ଜଣେ ଚରିତ୍ରବାନ ନାଗରିକ ପାଁଇ ଜରୁରୀ ଅଟେ। ଆଜି ଯଦି ଭାରତର ସେହି ସ୍ୱର୍ଣ୍ଣିମ କାଳକୁ ଫେରାଇ ଆଣିବାକୁ ହୁଏ, ତେବେ ଚରିତ୍ର ନିର୍ମାଣ ବିନା ଏହା ସମ୍ଭବ ନୁହେଁ।
ଅନ୍ୟାୟ ଉପରେ ନ୍ୟାୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ଏହି ପର୍ବରେ ସଂଘ ନେତୃତ୍ୱ ଆଜି ମତେ ଯେଉଁ ଅବସର ଦେଇଛନ୍ତି, ସେଥିପାଇଁ ଆମେ ପୁନର୍ବାର କୃତଜ୍ଞତା ଜ୍ଞାପନ କରୁଛୁ। ଆମେ ଆମର ସମଗ୍ର ଜାଗରଣ ସମୂହ ପକ୍ଷରୁ ସର୍ବଶକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ଭାରତକୁ ପରମ ବୈଭବର ଶିଖରକୁ ନେଇଯିବା ପାଇଁ କ୍ରମାଗତ ପ୍ରୟାସରତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଆହୁରି ସାମର୍ଥ୍ୟବାନ କରନ୍ତୁ।
ଭାରତ ମାତା କୀ ଜୟ!