ଅଶୋକ ସିଂହଲଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ସେବା, ସମରସତା, ହିନ୍ଦୁ ସଶକ୍ତିକରଣ ଓ ମନ୍ଦିର ମୁକ୍ତି ଭଳି କାର୍ଯ୍ୟଗୁଡ଼ିକୁ ଆଗକୁ ବଢ଼ାଇବୁ – ଆଲୋକ କୁମାର

ଅଶୋକ ସିଂହଲଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ସେବା, ସମରସତା, ହିନ୍ଦୁ ସଶକ୍ତିକରଣ ଓ ମନ୍ଦିର ମୁକ୍ତି ଭଳି କାର୍ଯ୍ୟଗୁଡ଼ିକୁ ଆଗକୁ ବଢ଼ାଇବୁ – ଆଲୋକ କୁମାର
ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର ୨୦୨୬। ଶ୍ରୀ ଅଶୋକ ସିଂହଲ ଜୀଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଇନ୍ଦ୍ରପ୍ରସ୍ଥ (ଦିଲ୍ଲୀ)ରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ତଥା ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ସେପ୍ଟେମ୍ବର ୨୭ ତାରିଖରୁ ଶ୍ରଦ୍ଧେୟ ଅଶୋକ ସିଂହଲ ଜୀଙ୍କ ପ୍ରେରଣାଦାୟୀ ଜୀବନ, ସେମାନଙ୍କ ଦୂରଦର୍ଶୀ ଚିନ୍ତନ ତଥା ରାଷ୍ଟ୍ର ଏବଂ ସମାଜ ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଓ କୃତଜ୍ଞତା ଜ୍ଞାପନ କରାଯିବ। ଅଯୋଧ୍ୟା ଧାମର ମୁକ୍ତି ପରେ ଆଶା କରାଯାଉଛି ଯେ, ଏହି ବର୍ଷ ଆମେ କାଶୀ ଏବଂ ମଥୁରା ମୁକ୍ତିର ସେମାନଙ୍କ ମହାନ ସଂକଳ୍ପକୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ାଇବୁ। ବେଆଇନ ଧର୍ମାନ୍ତରୀକରଣ ଉପରେ ପ୍ରତିବନ୍ଧକ, ଘରବାହୁଡାକୁ ପ୍ରୋତ୍ସାହନ, ବୈଦିକ ଜ୍ଞାନ-ବିଜ୍ଞାନର ପ୍ରଚାର ପ୍ରସାର, ମନ୍ଦିରଗୁଡ଼ିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତି ତଥା ସାମାଜିକ ସମରସତା ଓ ସେବାର ସେମାନଙ୍କ ଅସମାପ୍ତ କାର୍ଯ୍ୟଗୁଡ଼ିକୁ ଗତି ପ୍ରଦାନ କରି ସେମାନଙ୍କୁ ପୁଣ୍ୟ ସ୍ମରଣ କରାଯିବ। ଏଥିପାଇଁ ଆମେ ବର୍ଷସାରା ହଜାର ହଜାର ବିଚାର ଗୋଷ୍ଠୀ, ସଭା ଏବଂ ଅନ୍ୟାନ୍ୟ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବୁ।

ଇନ୍ଦ୍ରପ୍ରସ୍ଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅଶୋକ ସିଂହଲ ଫାଉଣ୍ଡେସନ ଦ୍ୱାରା ଜନ୍ମ ଶତାବ୍ଦୀ ବର୍ଷର ଉଦ୍ ଘାଟନ ସମାରୋହ ସେପ୍ଟେମ୍ବର ୨୭ ତାରିଖ ରବିବାର ଦିନ ଅପରାହ୍ନ ୪ଟାରେ ଭାରତ ମଣ୍ଡପମର ପ୍ଲେନାରୀ ହଲ୍, ଲେବଲ-୩ରେ ଅନୁଷ୍ଠିତ ହେବ। ଏହି ଅବସରରେ ସେମାନଙ୍କ ଜୀବନ, ଆଧ୍ୟାତ୍ମିକ ସଂସ୍କାର, ସାଂଗଠନିକ କାର୍ଯ୍ୟ, ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ସେମାନଙ୍କ ଭୂମିକା ତଥା ଭାରତୀୟ ସଂସ୍କୃତି ପ୍ରତି ସେମାନଙ୍କ ସମର୍ପଣ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯିବ ଏବଂ ‘ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦିବ୍ୟ ପଦଚିହ୍ନ’ ବିଷୟବସ୍ତୁ ଉପରେ ଆଧାରିତ ଏକ କଫି ଟେବୁଲ୍ ପୁସ୍ତକ ଲୋକାର୍ପିତ ହେବ। ଏହା ସହିତ ‘ଶ୍ରୀରାମ ସ୍ତମ୍ଭ’ର ପ୍ରତିରୂପର ଉନ୍ମୋଚନ ଏବଂ ‘ଶ୍ରୀରାମ ସ୍ତମ୍ଭଗୁଡ଼ିକ’ର ଡିଜିଟାଲ୍ ଲୋକାର୍ପଣ ମଧ୍ୟ କରାଯିବ। ଏହି ସ୍ତମ୍ଭଗୁଡ଼ିକ ଜରିଆରେ ଭଗବାନ ଶ୍ରୀରାମଙ୍କ ଜୀବନ, ବନ-ଗମନ ମାର୍ଗ ଏବଂ ଏହା ସହିତ ଜଡ଼ିତ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସ୍ଥଳଗୁଡ଼ିକର ସ୍ମୃତିକୁ ଜନମାନସ ସହିତ ଯୋଡ଼ିବାର ପ୍ରୟାସ କରାଯିବ।

ଅଶୋକ ସିଂହଲ ଫାଉଣ୍ଡେସନ ଏବଂ ବିଶ୍ୱ ହିନ୍ଦୁ ପରିଷଦର ସହଯୋଗରେ ଅଯୋଧ୍ୟାସ୍ଥିତ କାରସେବକପୁରମରେ ଦିବ୍ୟାଙ୍ଗ ବନ୍ଧୁମାନଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଏବଂ ସହାୟତା ଉପକରଣ ବଣ୍ଟନ ଶିବିରର ଶୁଭାରମ୍ଭ ମଧ୍ୟ ସେପ୍ଟେମ୍ବର ୨୭ ତାରିଖରେ ହିଁ କରାଯିବ। ଏହି ସେବା କାର୍ଯ୍ୟ ୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ନିରନ୍ତର ଚାଲିବ। ଶିବିର ମାଧ୍ୟମରେ ଆବଶ୍ୟକତା ଥିବା ଦିବ୍ୟାଙ୍ଗଜନମାନଙ୍କୁ କୃତ୍ରିମ ଅଙ୍ଗ ଏବଂ ଆବଶ୍ୟକୀୟ ସହାୟତା ଉପକରଣ ଯୋଗାଇ ଦେଇ ସେମାନଙ୍କ ଜୀବନକୁ ଅଧିକ ସହଜ କରିବାର ପ୍ରୟାସ କରାଯିବ।

ଜନ୍ମ ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଶ୍ରଦ୍ଧେୟ ଅଶୋକ ସିଂହଲ ଜୀଙ୍କ ଜୀବନ-ସନ୍ଦେଶକୁ ବ୍ୟାପକ ସମାଜ ନିକଟରେ ପହଞ୍ଚାଇବା, ଭାରତୀୟ ସଂସ୍କୃତି ପ୍ରତି ଗୌରବବୋଧ ଜାଗ୍ରତ କରିବା ତଥା ସେବା, ସଂଗଠନ, ସଂସ୍କାର ଏବଂ ସାମାଜିକ ସମରସତାର କାର୍ଯ୍ୟଗୁଡ଼ିକୁ ନୂତନ ଶକ୍ତି ପ୍ରଦାନ କରିବା। ଏହି ସଂକଳ୍ପ ଅନ୍ତର୍ଗତ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୪ ଭିତରେ ଦେଶର ୪୭ଟି ପ୍ରମୁଖ ସ୍ଥାନରେ ବିଭିନ୍ନ ପ୍ରାନ୍ତର ଉଦ୍ଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏବଂ ବର୍ଷସାରା ସମ୍ପୂର୍ଣ୍ଣ ବିଶ୍ୱରେ ହଜାର ହଜାର ସ୍ଥାନରେ ସେବା, ସମରସତା, ଜନ-ଜାଗରଣ, ଗୋଷ୍ଠୀ, ପ୍ରଦର୍ଶନୀ ଇତ୍ୟାଦିର କାର୍ଯ୍ୟକ୍ରମ ନିରନ୍ତର ଚାଲିବ।

ପରମ ପୂଜ୍ୟ ଯୁଗପୁରୁଷ ମହାମଣ୍ଡଳେଶ୍ୱର ସ୍ୱାମୀ ପରମାନନ୍ଦ ଗିରି ଜୀ ମହାରାଜଙ୍କ ପାବନ ସାନ୍ନିଧ୍ୟ, ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କ ଉପସ୍ଥିତି ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀଙ୍କ ଅତି ବିଶିଷ୍ଟ ଅତିଥି ଭାବରେ ଭାରତ ମଣ୍ଡପମରେ ଉପସ୍ଥିତି ରହି ମାର୍ଗ ଦର୍ଶନ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *