ଭାଗବତ ଜନ୍ମ

ଆମ ଓଡ଼ିଶାରେ ଇନ୍ଦୁ ପୂର୍ଣ୍ଣମୀକୁ ଭାଗବତ ଜନ୍ମ ରୂପେ ପାଳନ କରାଯାଏ। ଇନ୍ଦୁ ପୂର୍ଣ୍ଣମୀ ହେଉଛି ଭାଦ୍ରବ ବା ଭାଦ୍ରପଦ ମାସର ପୂର୍ଣ୍ଣମୀ। ଭାଦ୍ରବ ଶୁକ୍ଳ ନବମୀଠାରୁ ଆରମ୍ଭ ହେଉଥିବା ଭାଗବତ ପାରାୟଣ ଏହିଦିନ ପୂର୍ଣ୍ଣ ହୁଏ। ଏହାକୁ ‘ଭାଗବତ ବଢ଼ା’ କୁହାଯାଏ। ସେଥିରେ ଭାଗବତ ପୋଥି ବା ଭାଗବତ ଗ୍ରନ୍ଥକୁ ଭଗବାନ ଶ୍ରୀକୃଷ୍ଣଙ୍କର ବାଙ୍‌ମୟ ବିଗ୍ରହ ମନେ କରି ଭୋଗନୈବେଦ୍ୟ ଅର୍ପଣ କରାଯାଏ। ତାହା ପରେ, ସେହି ଭୋଗକୁ ବିତରଣ କରି ଦିଆଯାଏ। ସାତଦିନ ବ୍ୟାପୀ ଭାଗବତ ପାରାୟଣର ଯେଉଁ ବିଧି, ତାହା ‘ଭାଗବତ ସପ୍ତା’ ଭାବରେ ପ୍ରସିଦ୍ଧ। ‘ଭାଗବତ ସପ୍ତା’ର ଅର୍ଥ ‘ଭାଗବତ ସପ୍ତାହ’ ବା ସପ୍ତାହବ୍ୟାପୀ ଭାଗବତ ପାଠ।

ତେବେ, କେବଳ ଭାଦ୍ରବ ଶୁକ୍ଳ ନବମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସାତଦିନ ଯେ ‘ଭାଗବତ ସପ୍ତା’ ପାଳିତ ହେବ, ସେପରି କୌଣସି ବିଧି ନାହିଁ। ବର୍ଷର ଯେ କୌଣସି ସମୟରେ ସାତଦିନ ବ୍ୟାପୀ ଭାଗବତ ପାଠ କରାଯିବା ପାଇଁ ଆମ ପୁରାଣ ପରମ୍ପରାରେ କୌଣସି ବାରଣ ନାହିଁ। ଏହି ଭାଗବତ ପାଠ ବା ଭାଗବତ ପାରାୟଣ ଦିନ ଅବା ରାତିରେ କରାଯିବ, ସେ ନେଇ ମଧ୍ୟ କୌଣସି ନିଷେଧ ନାହିଁ। ଏହା ସୂଚାଏ, ଯେ ଭାଗବତ ପାଠରେ ଭେଦର ବିଚାର ଗୌଣ। ଶ୍ରଦ୍ଧା ଓ ଭକ୍ତି ମୁଖ୍ୟ।

ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ, ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ, ତାହା ହେଉଛି ‘ଶ୍ରୀମଦ୍‌ଭାଗବତ’। କିନ୍ତୁ କେଉଁ ସାତଦିନ ଶୁକଦେବ ତାହା ଶୁଣାଇଥିଲେ, ସେ ସଂପର୍କରେ ‘ଶ୍ରୀମଦ୍‌ଭାଗବତ’ରେ କୌଣସି ଉଲ୍ଲେଖ ନାହିଁ। କିନ୍ତୁ ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା। ସେଇଥିପାଇଁ ସମ୍ଭବତଃ, ଭାଦ୍ରବ ପୂର୍ଣ୍ଣମୀ ଭାଗବତ ଜନ୍ମର ପୁଣ୍ୟ ତିଥି ରୂପେ ପାଳିତ ହୋଇ ଆସୁଛି।

Leave a Reply

Your email address will not be published. Required fields are marked *