ଭୁବନେଶ୍ୱର ସଂଘ ଗଙ୍ଗାର ଭଗୀରଥ ଗୁରୁ ଚରଣ ଜେନାଙ୍କ ଦେହାନ୍ତ

ଭୁବନେଶ୍ୱର ସଂଘ ଗଙ୍ଗାର ଭଗୀରଥ ଗୁରୁ ଚରଣ ଜେନାଙ୍କ ଦେହାନ୍ତ
ଭୁବନେଶ୍ୱର,୨୦/ ୯: ଭୁବନେଶ୍ୱର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଙ୍ଗାର ଭଗୀରଥ,ପ୍ରାକୃତିକ ଚିକିତ୍ସକ,ସମାଜସେବୀ ତଥା ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଗୁରୁ ଚରଣ ଜେନାଙ୍କର ଆଜି ସକାଳେ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଚାର ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ସମାଜ ଏକ ଅମୂଲ୍ୟ ରତ୍ନ ହରାଇଲା ତତ୍‌ସହିତ ସଂଘ ଜଣେ କର୍ମଯୋଗୀଙ୍କୁ ହରାଇଲା।
କଟକ ଜିଲ୍ଲା କନ୍ଦରପୁର ନିକଟସ୍ତ ବ୍ରାହ୍ମଣବାଡ ଗ୍ରାମରେ ୨୧ ସେପ୍ଟେମ୍ବର ୧୯୪୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଯୁବକ ଅବସ୍ଥାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟରେ ଯୋଗଦେଇଥିଲେ । ସେ ଓୟୁଏଟି ରେ ଚାକିରୀ କରୁଥିବା ସମୟରେ ଜରୁରୀକାଳୀନ ପରିସ୍ଥିତିକୁ ସାମନା କରିଥିଲେ । ଏହି ସମୟରେ ସେ ଭୂମିଗତ ହୋଇ କାର୍ଯ୍ୟ କରିବା ସହିତ ମିସାବନ୍ଦୀରେ ଗିରଫ ହୋଇଥିଲେ ।
ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନିଷ୍ଠାବାନ ସ୍ୱୟଂସେବକ ଥିଲେ । ତାଙ୍କର ସରଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ପ୍ରତି ଅଟଳ ନିଷ୍ଠା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। ତାଙ୍କ ପ୍ରେରଣାରେ ଶହଶହ ଯୁବକ ସଂଘ କାର୍ଯ୍ୟରେ ଯୋଗ ଦେଇଥିଲେ । ଅନେକ ଯୁବକ ସଂଘର ପ୍ରଚାରକ ହୋଇ ବାହାରିଥିଲେ । ସେ ଅନେକ ଲୋକଙ୍କୁ ସ୍ୱାବଲମ୍ବୀକରି ଗଢି ତୋଳିଛନ୍ତି । ତାଙ୍କ ଦ୍ୱାରା ଭୁବନେଶ୍ୱରରେ ସଂଘକାର୍ଯ୍ୟ ବୃଦ୍ଧି ପାଇଛି । ସେ ଓୟୁଏଟିରେ ଅଧୟନ କରୁଥିବା ଛାତ୍ର ମାନଙ୍କୁ ସଂଘକୁ ଆଣୁଥିଲେ, ସେମାନଙ୍କ ମଧ୍ୟରୁ ଅନେକ ପ୍ରଚାରକ ବାହାରି ଆଜିସୁଦ୍ଧା ସଂଘ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ସେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଭୁବନେଶ୍ୱରରେ ରାଷ୍ଟ୍ରୀୟ ବିଚାରଧାରା ପତ୍ରିକା ରାଷ୍ଟ୍ରଦୀପ, ଅର୍ଗାନାଇଜର ଓ ପଞ୍ଚଜନ୍ୟର ପ୍ରସାରରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେ ଏଥିପାଇଁ ଏହି ସମସ୍ତ ପତ୍ରପତ୍ରିକାର ପାଠକମାନଙ୍କୁ ନେଇ ପ୍ରତିବର୍ଷ ପାଠକ ସମ୍ମିଳନୀର ଆୟୋଜନ କରୁଥିଲେ । ସେ ଚାକିରୀରେ ଥିବା ବେଳେ ଏବଂ ଅବସର ନେବାପରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଅନେକ ଲୋକଙ୍କର ସେବା କରୁଥିଲେ । ସେ ମଧ୍ୟ ଅନେକ ପ୍ରାକୃତିକ ଚିକିତ୍ସକଙ୍କୁ ତିଆରି କରିଛନ୍ତି ।
ତାଙ୍କ ମରଶରୀର ୟୁନିଟ ୬ ସ୍ଥିତ ସରକାରୀ ଚିକିତ୍ସାଳୟରୁ ସେ ରହୁଥିବା ସୂର୍ଯ୍ୟନଗର ବାସଭବନକୁ , ତାପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ ୮ କୁ ଅଣାଯାଇଥିଲା । ସେଠାରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଜନତା, ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା, ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା,ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କର ମରଶରୀରକୁ ମଞ୍ଚେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ପରିସରକୁ ଅଣାଯାଇଥିଲେ । ସେଠାର ବହୁ ସାଧୁସନ୍ଥଙ୍କ ସମେତ ସଂଘର ଅଖିଳ ଭାରତୀୟ ସଦ୍‌ଭାବନା ପ୍ରମୁଖ ଡ. ଗୋପାଳ ପ୍ରସାଦ ମହାପାତ୍ର, ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା, କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର, କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ପ୍ରାନ୍ତ ସଂଘଚାଳକ ବିପିନ ବିହାରୀ ନନ୍ଦ,ସଂଘର ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି, ସହପ୍ରାନ୍ତ ସଂଘଚାଳକ ମନସୁଖଲାଲ ସେଠିଆ, ସହ ପ୍ରାନ୍ତ କାର୍ଯ୍ୟବାହ ଇଂ. ସୁଦର୍ଶନ ଦାସ, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, ସମସ୍ତ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ, ଓଡିଶା ପଶ୍ଚିମ ପ୍ରାନ୍ତର ସଂଘଚାଳକ ଡ.ସନାତନ ପ୍ରଧାନ, ପ୍ରାନ୍ତ କାର୍ଯ୍ୟବାହ ଗଣେଶ ମହାପାତ୍ର, ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ଓ ଦୁଇ ପ୍ରାନ୍ତର ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ୱାଳ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ସଂଘର ଅଖିଳ ଭାରତୀୟ ସଦ୍‌ଭାବନା ପ୍ରମୁଖ ଡ. ଗୋପାଳ ପ୍ରସାଦ ମହାପାତ୍ର ସ୍ୱର୍ଗତ ଜେନାଙ୍କର ସଂଘମୟ ଜୀବନ ଉପରେ ଆଲୋକପାତ କରିଥିଲେ ।
ସ୍ୱର୍ଗତ ଜେନାଙ୍କ ମରଶରୀରକୁ ତାଙ୍କ ଜନ୍ମସ୍ଥାନକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ବର୍ଗ,ଆତ୍ମୀୟସ୍ୱଜନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ପରେ ତାଙ୍କ ଗ୍ରାମ ଶ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *