ଓଡ଼ିଶା ପୁଲିସରେ ୩ ନୂଆ ବିଭାଗ

ଓଡ଼ିଶା ପୁଲିସକୁ ଆହୁରି ସୁଦୃଢ଼ କରିବା ପାଇଁ ଖୁବ୍‌ଶୀଘ୍ର ୩ଟି ନୂଆ ବିଭାଗ ଗଠନ ହେବ—

  1. ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ (ଏଟିଏସ୍‌) – ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ।
  2. ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ (ଏଏନ୍‌ଟିଏସ୍‌) – ବେଆଇନ ନିଶା କାରବାର ଓ ଚାଲାଣ ରୋକିବା ପାଇଁ। ଏଥିପାଇଁ ୧୦ଟି ସ୍ୱତନ୍ତ୍ର ଥାନା ଓ ୧୯ଟି ଇଣ୍ଟେଲିଜେନ୍ସ ୟୁନିଟ୍‌ ପ୍ରସ୍ତାବିତ।
  3. ରୋଡ୍‌ ସେଫ୍‌ଟି ୱିଙ୍ଗ୍‌ – ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ।

ରୋଡ୍‌ ସେଫ୍‌ଟି ୱିଙ୍ଗ୍‌ ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ କାର୍ଯ୍ୟ କରିବ ଏବଂ ଏଥିପାଇଁ ୨,୦୦୦ ପଦବି ରଖାଯାଇଛି।

ଏଟିଏସ୍‌ ପାଇଁ ସରକାରୀ ଅନୁମୋଦନ ଅପେକ୍ଷାରତ ଥିବାବେଳେ କ୍ଷେତ୍ରସ୍ତରରେ କମାଣ୍ଡୋଙ୍କ ତାଲିମ ଓ ଆଧୁନିକ ଉପକରଣ ଯୋଗାଣ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆଜି ଏନେଇ ପୁଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି। ସୂଚନାନୁସାରେ, ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏଥିପାଇଁ ରାଜ୍ୟରେ ୧୦ଟି ସ୍ୱତନ୍ତ୍ର ପୋଲିସ ଥାନା ଓ ୧୯ଟି ଇଣ୍ଟେଲିଜେନ୍ସ ୟୁନିଟ୍‌ ଗଠନ ପାଇଁ ପ୍ରସ୍ତାବ ରହିଛି। ନିଶା ଚାଲାଣକାରୀଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ଚଢ଼ାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଯାଏ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବ। ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପ ମୁକାବିଲା ପାଇଁ ଏଟିଏସ୍‌ ଗଠନ ନିମନ୍ତେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ତେବେ କ୍ଷେତ୍ରସ୍ତରରେ ଏଥିପାଇଁ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସ୍ୱତନ୍ତ୍ର କମାଣ୍ଡୋମାନଙ୍କୁ ତାଲିମ ଦିଆଯାଉଥିବା ବେଳେ ଆବଶ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି। ଅନ୍ୟପକ୍ଷରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଲକ୍ଷ୍ୟରେ ରୋଡ୍‌ ସେଫ୍‌ଟି ୱିଙ୍ଗ୍‌ ଗଠନ କରାଯିବ। ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ବିଭାଗ କାର୍ଯ୍ୟ କରିବ। ଏଥିପାଇଁ ୨,୦୦୦ ପଦବି ରଖାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ସରକାରଙ୍କ ଅନୁମୋଦନ ପରେ ଏହି ୩ଟି ନୂଆ ବିଭାଗ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ନିଶା କାରବାର ଦମନ, ଆତଙ୍କବାଦ ମୁକାବିଲା ଓ ସଡ଼କ ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।

Leave a Reply

Your email address will not be published. Required fields are marked *