ପୁରୀ ଗୋବର୍ଦ୍ଧନ ପୀଠ ଓ ଆଧ୍ୟାତ୍ମିକ ବେଳାଭୂମିର ବିକାଶକୁ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି।
ବୈଠକରେ ଗୋବର୍ଦ୍ଧନ ପୀଠର ସମ୍ପତ୍ତି ସୁରକ୍ଷା ସହ ପୁରୀର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇବା ନେଇ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଛି।
ସେହିପରି, ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ହେଉଥିବା ‘ସନ୍ଧ୍ୟା ମହୋଦଧି ଆରତୀ’ ସ୍ଥଳର ସୌନ୍ଦର୍ଯ୍ୟକରଣ କରି ଏହାକୁ ଆହୁରି ଭବ୍ୟ କରାଯିବ। ସମଗ୍ର ପୁରୀ ବେଳାଭୂମିକୁ ଏକ ଆକର୍ଷଣୀୟ ‘ଆଧ୍ୟାତ୍ମିକ ବେଳାଭୂମି’ ଭାବେ ବିକଶିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଲୋକସେବା ଭବନ ଅନୁଷ୍ଠିତ ବୈଠକରେ ଗୋବର୍ଦ୍ଧନ ପୀଠର ସମସ୍ତ ପୂର୍ବାଚାର୍ଯ୍ୟ ମାନଙ୍କ ପବିତ୍ର ସମାଧି ସ୍ଥଳର ସୁରକ୍ଷା ଓ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ମଠର ପାରିପାର୍ଶ୍ୱିକ ବିକାଶ ସହିତ ମଠ ପରିସରରେ ଥିବା ‘ଶ୍ରୀ ଗୋବର୍ଦ୍ଧନ ଗୋଶାଳା’ର ସୁପରିଚାଳନା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗେଇଦେବା ଉପରେ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋବର୍ଦ୍ଧନ ପୀଠର ସାଧୁସନ୍ଥ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ପୀଠର ଉନ୍ନତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।