ଆନ୍ଧ୍ରପ୍ରଦେଶ – ଅଗଷ୍ଟ ୧୯ ରୁ ୨୧ ପର୍ଯ୍ୟନ୍ତ ଗୁଡିଲୋଭାରେ ଅନୁଷ୍ଠିତ ହେବ ଅଖିଳ ଭାରତୀୟ ସମନ୍ୱୟ ବୈଠକ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରେରିତ ବିବିଧ ସଂଗଠନଗୁଡ଼ିକର “ଅଖିଳ ଭାରତୀୟ ସମନ୍ୱୟ ବୈଠକ” ଏହି ବର୍ଷ ଯୁଗାବ୍ଦ ୫୧୨୮, ବିକ୍ରମ ସଂବତ୍ ୨୦୮୩ ଶ୍ରାବଣ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଅର୍ଥାତ୍ ୧୯-୨୧ ଅଗଷ୍ଟ ୨୦୨୬ ତାରିଖରେ ଗୁଡିଲୋଭା, ବିଶାଖାପାଟଣା ଜିଲ୍ଲା (ଆନ୍ଧ୍ର ପ୍ରଦେଶ) ଠାରେ ଅନୁଷ୍ଠିତ ହେବ । ଏହି ବୈଠକ ପ୍ରତିବର୍ଷ ଆୟୋଜିତ ହୋଇଥାଏ।

ଏହି ବୈଠକରେ ସଂଘ ପ୍ରେରିତ ମୋଟ ୩୨ଟି ସଂଗଠନର ପ୍ରମୁଖ ପଦାଧିକାରୀମାନେ ଅଂଶଗ୍ରହଣ କରିବେ, ଯେଉଁଥିରେ ସଂଗଠନଗୁଡ଼ିକର ଅଖିଳ ଭାରତୀୟ ଅଧ୍ଯକ୍ଷ, ସାଧାରଣ ସମ୍ପାଦକ, ସଂଗଠନ ମନ୍ତ୍ରୀ ଏବଂ କେତେକ ଚୟନିତ ପଦାଧିକାରୀ ଉପସ୍ଥିତ ରହିବେ। ଏହି ସମସ୍ତ ସଂଗଠନ ବିଗତ ଅନେକ ବର୍ଷ ଧରି ସାମାଜିକ ଜୀବନରେ ନିରନ୍ତର ସକ୍ରିୟ ରହିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ସହ ରାଷ୍ଟ୍ର ହିତରେ ଜନଜାଗରଣ ଏବଂ ବ୍ୟବସ୍ଥାରେ ଆବଶ୍ୟକ ସୁଧାର ତଥା ପରିବର୍ତ୍ତନର ଦୂରଗାମୀ କାର୍ଯ୍ୟରେ ନିଷ୍ଠାର ସହିତ ନିୟୋଜିତ ଅଛନ୍ତି।

ବୈଠକରେ ମୁଖ୍ୟତଃ ସମସ୍ତେ ନିଜ ନିଜ କାର୍ଯ୍ୟର ବିବରଣୀ ପ୍ରଦାନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଜର ଅନୁଧ୍ୟାନ ଏବଂ ପରାମର୍ଶ ପ୍ରସ୍ତୁତ କରିବେ। ସମସ୍ତ ସଂଗଠନ ମଧ୍ୟରେ ପାରସ୍ପରିକ ସମନ୍ୱୟ ଏବଂ ସହଯୋଗକୁ ଆହୁରି ପ୍ରଭାବଶାଳୀ କରିବା, ଜନକଲ୍ୟାଣ ଏବଂ ନୀତିଗତ ବିଷୟଗୁଡ଼ିକ ଉପରେ ସଂବାଦ ଆଦି ବିଷୟରେ ବୈଠକରେ ଚର୍ଚ୍ଚା ହେବ। ଏହା ସହିତ ଜନସଂଖ୍ୟା ଅସନ୍ତୁଳନ, ନିଶା ମୁକ୍ତି, ଯୁବବର୍ଗଙ୍କ ମଧ୍ୟରେ ଜାଗରଣ, ‘ପଞ୍ଚ ପରିବର୍ତ୍ତନ’ର କାର୍ଯ୍ୟକାରିତା, ବିକାଶର ଭାରତୀୟ ସଂକଳ୍ପନା ସମେତ ବର୍ତ୍ତମାନ ପରିସ୍ଥିତିର ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା ଆଶା କରାଯାଉଛି।

ଏହି ବୈଠକରେ ସରସଂଘଚାଳକ ଡ. ମୋହନ ଜୀ ଭାଗବତ, ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ, ସମସ୍ତ ସହ ସରକାର୍ଯ୍ୟବାହ ଏବଂ ଅଖିଳ ଭାରତୀୟ କାର୍ଯ୍ୟ ବିଭାଗ ପ୍ରମୁଖ ଉପସ୍ଥିତ ରହିବେ। ଭାରତୀୟ ମଜଦୁର ସଂଘ, ଭାରତୀୟ କିଷାନ ସଂଘ, ଭାରତୀୟ ଜନତା ପାର୍ଟି, ବିଶ୍ୱ ହିନ୍ଦୁ ପରିଷଦ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସକ୍ଷମ, ରାଷ୍ଟ୍ର ସେବିକା ସମିତି ଆଦି ମୋଟ ୩୨ଟି ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି ବୈଠକରେ ସାମିଲ ହେବେ।

Leave a Reply

Your email address will not be published. Required fields are marked *