ପାକିସ୍ତାନର ଜଣେ ହିନ୍ଦୁ ଝିଅକୁ ଜବରଦସ୍ତି ଇସଲାମ୍ ଧର୍ମରେ ଦୀକ୍ଷିତ କରାଇ ବିବାହ ଦିଆଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ : ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ଜଣେ ହିନ୍ଦୁ ଝିଅକୁ ଅପହରଣ କରି ନିଆଯାଇ ଜବରଦସ୍ତି ଇସଲାମ୍ ଧର୍ମରେ ଦୀକ୍ଷିତ କରାଇ ବିବାହ ଦିଆଯାଇଥିବା କଥା ତାଙ୍କର ବାପା ଅଭିଯୋଗ କରିଥିବା କଥା “ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି । ସୁହାନା ନାମକ ସେ ଝିଅକୁ ତା’ର ଟୁ୍ୟସନ୍ ଶିକ୍ଷକ ଅଖତର୍ ଅପହରଣ କରିନେଇ ସିନ୍ଧ୍ ପ୍ରଦେଶର ବେନାଜିର୍ବାଦ୍ ଜିଲ୍ଲା ଅନ୍ତର୍ଗତ କାଜି ଅହମଦ୍ ତାଲୁକାକୁ ପଠାଇ ଦେଇଥିଲେ । ଘଟଣା ସଂକ୍ରାନ୍ତରେ ସୂଚନା ଦେଇ ୧୪ ବର୍ଷୀୟ ସୁହାନାର ବାପା ଦିଲୀପ କୁମାର କହିଛନ୍ତି, ଅଖତାର୍ ଗାବୋଲ୍, ଫୈଜାନ୍ ଜାଟ୍ ଏବଂ ସାରଙ୍ଗ୍ ଖସଖେଲି ନାମରେ ୩ଜଣ ସଶସ୍ତ୍ର ବ୍ୟକ୍ତି ଆମ ଘରେ ପଶି ସୁନା ଗହଣା ଲୁଟ୍ କରିବା ସହିତ ବନ୍ଧୁକ ଦେଖାଇ ସୁହାନାକୁ ଅପରହଣ କରିନେଲେ । ଦିଲୀପ କୁମାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଝିଅକୁ ଆଉ ଫେରି ପାଇବେ ବୋଲି ଆଶା ରଖି ନାହାନ୍ତି । କାରଣ, ପୁଲିସ କହୁଛି କି, ସୁହାନା ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିଛି । ପାକିସ୍ତାନରେ ହିନ୍ଦୁ ଝିଅ ଓ ମହିଳାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ମାମଲା ନିରବଚ୍ଛିନ୍ନ ଭାବେ ଚାଲିଛି । ସୂଚନାଯୋଗ୍ୟ, ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ହିଁ ଅଧିକାଂଶ ହିନ୍ଦୁ ବସବାସ କରୁଛନ୍ତି । ପାକିସ୍ତାନ ମାନବ ଅଧିକାର କମିସନ୍ ସୂଚନା ଅନୁସାରେ, ଦେଶର ସମୁଦାୟ ଜନସଂଖ୍ୟା ୨୦୭ ନିୟୁତରୁ ୯୬ ପ୍ରତିଶତ ହେଉଛନ୍ତି ମୁସଲମାନ୍, ୨.୧ ପ୍ରତିଶତ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ପ୍ରାୟ ୧.୬ ପ୍ରତିଶତ ।

Leave a Reply

Your email address will not be published. Required fields are marked *