ଅଯୋଧ୍ୟା ରାମ ମନ୍ଦିର ପରିସରରେ ଶେଷାବତାର ମନ୍ଦିରର ନିର୍ମାଣ କାର୍ଯ୍ୟ ମନ୍ଦିରରେ ଧ୍ୱଜାରୋହଣ ସହିତ ଶେଷ 

ଅଯୋଧ୍ୟା ସ୍ଥିତ ଶେଷାବତାର ମନ୍ଦିରରେ ଧ୍ୱଜାରୋହଣ ସହ ଶେଷ ହୋଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ମଙ୍ଗଳବାର (ଜୁନ୍ ୨୪) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜାରୋହଣ ସହ ସମାପ୍ତ ହୋଇଥିଲା। ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ପ୍ରାୟ ୪ ହଜାରରୁ ରାମ ଭକ୍ତ ସାମିଲ ହୋଇଥିଲେ। ୧୧ ଜଣ ସାଧୁ ସନ୍ଥଙ୍କ ମନ୍ତ୍ର ଜପ ସହିତ ପୂଜାର୍ଚ୍ଚନା କରିବା ସହ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜାରୋହଣ ହୋଇଥିଲା।
ଶେଷାବତାର ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ସହିତ, ରାମ ମନ୍ଦିରରେ ନିର୍ମିତ ହେଉଥିବା ଅନ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ବର୍ତ୍ତମାନ କେବଳ ଅଡ଼ିଟୋରିୟମ୍, ଟ୍ରଷ୍ଟ ମୁଖ୍ୟାଳୟ ଏବଂ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା କେନ୍ଦ୍ର ଭଳି ପ୍ରଶାସନିକ ଭବନର ନିର୍ମାଣ କାର୍ଯ୍ୟ ବାକି ରହିଛି। ମୁଖ୍ୟ ରାମ ମନ୍ଦିର ପରିସର ଏବଂ ଚାରିପାଖରେ ରହିଥିବା କାନ୍ଥରେ ଅନେକ ଉପ-ମନ୍ଦିର ନିର୍ମାଣ କରାଯାଇଛି। ଯେପରିକି ଗଣେଶ ମନ୍ଦିର, ସୂର୍ଯ୍ୟ ଦେବ ମନ୍ଦିର, ମାତା ଅନ୍ନପୂର୍ଣ୍ଣା ମନ୍ଦିର, ହନୁମାନ ମନ୍ଦିର ଏବଂ ଶିବ ମନ୍ଦିର। ପ୍ରାୟ ସମସ୍ତ ମନ୍ଦିରର ଶୀର୍ଷରେ ଧ୍ୱଜାରୋହଣ ପତାକା ଉତ୍ତୋଳନ ଉତ୍ସବ ସମାପ୍ତ ହୋଇସାରିଛି। ଶେଷାବତାର ମନ୍ଦିର ଥିଲା ଶେଷ ମନ୍ଦିର, ଯେଉଁଠି ଗତକାଲି ଧ୍ୱଜାରୋହଣ ଉତ୍ସବ ସହିତ ସମ୍ପୂର୍ଣ୍ଣ ମନ୍ଦିର ସ୍ଥାପନ କାର୍ଯ୍ୟ ସମାପ୍ତ ହୋଇଥିଲା।

ପ୍ରଭୁ ଶ୍ରୀରାମଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜାରୋହଣ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାୟ ୪ ହଜାରରୁ ଅଧିକ ରାମ ଭକ୍ତ ଯୋଗ ଦେଇଥିଲେ। ଏନେଇ ପ୍ରତିକ୍ରିୟା ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଅଯୋଧ୍ୟା ଧାମର ୧୧ ଜଣ ପୂଜ୍ୟ ସନ୍ଥ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଅବସ୍ଥିତ ଶେଷାବତାର ମନ୍ଦିର ଶୀର୍ଷରେ ଧ୍ୱଜର ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଆଖପାଖରୁ ଆସିଥିବା ହଜାର ହଜାର ରାମଭକ୍ତଙ୍କ “ଜୟ ଶ୍ରୀରାମ” ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଯୋଧ୍ୟା ନଗରୀ।

Leave a Reply

Your email address will not be published. Required fields are marked *