ନାଗପୁର ଆରଏସଏସ ମୁଖ୍ୟାଳୟରେ ଚାଲିଛି ‘କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୨’ ଶିବିର, ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ହେବେ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା
ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ମଧ୍ୟରୁ ଅନ୍ୟତମ ‘କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ଦ୍ୱିତୀୟ’ ଚଳିତ ମଇ ୧୧ ତାରିଖରୁ ନାଗପୁରସ୍ଥିତ ପ୍ରସିଦ୍ଧ ଡଃ. ହେଡ଼ଗେୱାର ସ୍ମୃତିଭବନ ପରିସରରେ ଜାରି ରହିଛି। ସାରା ଦେଶରୁ ନିର୍ବାଚିତ ହୋଇ ଆସିଥିବା ପ୍ରମୁଖ ସ୍ୱୟଂସେବକ ଓ କାର୍ଯ୍ୟକର୍ତ୍ତାମାନେ ଏହି ଶିବିରରେ ଯୋଗ ଦେଇ ସାଂଗଠନିକ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ୨୫ ଦିନ ଧରି ଚାଲିବାକୁ ଥିବା ଏହି ମହାପ୍ରଶିକ୍ଷଣ ବର୍ଗର ଉଦ୍ଯାପନୀ କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବ, ଯେଉଁଥିରେ ଦେଶର ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ନାଗପୁରର ରେଶିମବାଗ୍ ସ୍ଥିତ ସ୍ମୃତିଭବନ ପରିସରରେ ଚାଲିଥିବା ଏହି ବର୍ଗରେ ସ୍ୱୟଂସେବକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା, ସାଂଗଠନିକ ଦକ୍ଷତା, ଶାରୀରିକ ଏବଂ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ମଇ ୧୧ ରୁ ଆରମ୍ଭ ହୋଇଥିବା ଏହି କଠିନ ପ୍ରଶିକ୍ଷଣ ବର୍ଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍ୱୟଂସେବକ ସାମିଲ ହୋଇଛନ୍ତି।
ଆସନ୍ତା ଜୁନ୍ ୪ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ସମାରୋପ ବା ଉଦ୍ଯାପନୀ ଉତ୍ସବରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଉଦ୍ୟୋଗପତି କୁମାର ମଙ୍ଗଳମ ବିର୍ଲା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ। ଆରଏସଏସର ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ବରୁ ମଧ୍ୟ ଦେଶର ବହୁ ବଡ଼ ବଡ଼ ଉଦ୍ୟୋଗପତି (ଯେପରିକି ରତନ ଟାଟା ଏବଂ ଅଜିମ ପ୍ରେମଜୀ) ସାମିଲ ହୋଇଥିବା ବେଳେ, ଏଥର କୁମାର ମଙ୍ଗଳମ ବିର୍ଲାଙ୍କ ଯୋଗଦାନକୁ ନେଇ ଜାତୀୟ ରାଜନୈତିକ ଓ ଶିଳ୍ପ ଜଗତରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସମାରୋପ କାର୍ଯ୍ୟକ୍ରମରେ ସଂଘର ସର୍ବୋଚ୍ଚ ନେତୃତ୍ୱ ମଧ୍ୟ ଉପସ୍ଥିତ ରହି ସ୍ୱୟଂସେବକମାନଙ୍କୁ ମାର୍ଗ ଦର୍ଶନ କରିବେ ା
ଏହି ଶିବିରରେ ଜଣେ ସ୍ୱୟଂସେବକକୁ ସମାଜର ନେତୃତ୍ୱ ନେବା ଭଳି ଏକ ସଜାଗ କାର୍ଯ୍ୟକର୍ତ୍ତାରେ ପରିଣତ କରାଯାଏ।
ଏହି ୨୫ ଦିନର କଠିନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ଶାରୀରିକ ପ୍ରଶିକ୍ଷଣ ବର୍ଗରେ କାର୍ଯ୍ୟକର୍ତ୍ତାମାନଙ୍କୁ ସକାଳ ଓ ସନ୍ଧ୍ୟା ସମୟରେ କଠିନ ଶାରୀରିକ ଅଭ୍ୟାସ କରାଯାଏ, ଯାହା ସେମାନଙ୍କ ମଧ୍ୟରେ ଅନୁଶାସନ ଓ ଶକ୍ତି ବୃଦ୍ଧି କରିଥାଏ । ସାମରିକ ଢାଞ୍ଚାରେ ଏକାଠି ମାର୍ଚ୍ଚ କରିବା ଓ ଆଦେଶ ପାଳନ କରିବାର ଶିକ୍ଷା ଦିଆଯାଏ। ଆତ୍ମରକ୍ଷା ଏବଂ ସାହସିକତା ପାଇଁ ଲାଠି ଚାଳନା ଏବଂ ବିନା ଅସ୍ତ୍ରରେ ଲଢ଼ିବାର କଳା ,ଆୟୁଦ୍ଧ ଶିକ୍ଷା ଦିଆଯାଏ । ଶାରୀରିକ ଏବଂ ମାନସିକ ସନ୍ତୁଳନ ପାଇଁ ସୂର୍ଯ୍ୟ ନମସ୍କାର ଏବଂ ବିଭିନ୍ନ ଯୋଗାସନ ଶିକ୍ଷା ଦିଆଯାଏ । କେବଳ ଶାରୀରିକ ନୁହେଁ, ଜଣେ କାର୍ଯ୍ୟକର୍ତ୍ତାର ଚିନ୍ତାଧାରାକୁ ରାଷ୍ଟ୍ରପ୍ରେମରେ ଦୀକ୍ଷିତ କରିବା ପାଇଁ ପ୍ରତିଦିନ ‘ବୌଦ୍ଧିକ ବର୍ଗ’ ବା ଚର୍ଚ୍ଚା ସଭା ହୋଇଥାଏ । ଭାରତର ସଂସ୍କୃତି, ଇତିହାସ, ଏବଂ ସଂଘର ବିଚାରଧାରା ଉପରେ ଗମ୍ଭୀର ଆଲୋଚନା କରାଯାଇଥାଏ । ଦେଶର ବର୍ତ୍ତମାନର ସାମାଜିକ, ଅର୍ଥନୈତିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ଉପରେ କାର୍ଯ୍ୟକର୍ତ୍ତାମାନଙ୍କୁ ସଜାଗ କରାଯାଇଥାଏ। ସମାଜରୁ ଜାତିଗତ ଭେଦଭାବ ଦୂର କରି ସାମାଜିକ ସମରସତା କେମିତି ଆଣିବାକୁ ହେବ, ସେନେଇ ମାର୍ଗଦର୍ଶନ ଦିଆଯାଏ।
କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ରେ କିଛି ସ୍ୱତନ୍ତ୍ର କଳା ଶିଖାଯାଏ । ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏକ କଡ଼ା ରୁଟିନ୍ ଭିତରେ ରହି ପ୍ରତିଟି ମିନିଟ୍ର ସଠିକ୍ ବ୍ୟବହାର ଶିକ୍ଷା ଦିଆଯାଏ । ସାରା ଦେଶରୁ ଆସିଥିବା ଅଲଗା ଅଲଗା ଭାଷା ଓ ପ୍ରାନ୍ତର କାର୍ଯ୍ୟକର୍ତ୍ତାମାନେ ଏକାଠି ରୁହନ୍ତି, ଗୋଟିଏ ପଙ୍ଗତରେ ଖାଆନ୍ତି। ଏହାଦ୍ୱାରା ଦଳଗତ କାର୍ଯ୍ୟ ଏବଂ ସାଂଗଠନିକ ଏକତା ବୃଦ୍ଧି ପାଏ। ନିଜ ନିଜ ଅଞ୍ଚଳରେ ସଂଗଠନର କାର୍ଯ୍ୟ ବଢ଼ାଇବା ସମୟରେ ଆସୁଥିବା ଆହ୍ୱାନକୁ କେମିତି ଧୈର୍ଯ୍ୟର ସହ ସାମ୍ନା କରିବାକୁ ହେବ, ସେ ବିଷୟରେ ବରିଷ୍ଠ ଅଧିକାରୀମାନେ ନିଜ ଅନୁଭୂତି ବାଣ୍ଟିଥାନ୍ତି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପ୍ରଶିକ୍ଷଣ ଶିବିରଗୁଡ଼ିକରେ କେବଳ ଭାଷଣ ଦେଇ ନୁହେଁ, ବରଂ ଜୀବନଶୈଳୀ ଓ କାର୍ଯ୍ୟକଳାପ ମାଧ୍ୟମରେ “ଦେଶପ୍ରେମ” ବା “ଦେଶକୁ ଭଲ ପାଇବା”ର ପ୍ରାୟୋଗିକ ଶିକ୍ଷା ଦିଆଯାଇଥାଏ। ସଂଘର ବିଚାରଧାରାରେ ଦେଶପ୍ରେମ କୌଣସି ପ୍ରଦର୍ଶନର ବିଷୟ ନୁହେଁ, ବରଂ ଏହା ଏକ ନିତିଦିନିଆ ଅଭ୍ୟାସ ହୋଇଥାଏ ।
ଏହି ପ୍ରଶିକ୍ଷଣ ବର୍ଗରେ ଦେଶକୁ ଭଲ ପାଇବା ପାଇଁ ସବୁ ନିଆରା ଉପାୟରେ ଶିକ୍ଷା ଦିଆଯାଏ, ତା’ର ପ୍ରମୁଖ ଦିଗଗୁଡ଼ିକ ନିମ୍ନରେ ଦିଆଗଲା: ଯେପରିକି ‘ଭାରତ ମାତା’ଙ୍କୁ ସର୍ବୋପରି ମାନିବା । ସଂଘ ଶିବିରରେ କୌଣସି ବ୍ୟକ୍ତି ବା ଦେବଦେବୀଙ୍କ ପୂଜା ପରିବର୍ତ୍ତେ ‘ଭାରତ ମାତା’ଙ୍କ ଚିତ୍ରପଟ ସାମ୍ନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସଂଘର ପବିତ୍ର ‘ଭଗବା ଧ୍ୱଜ’ (ଗେରୁଆ ପତାକା) କୁ ତ୍ୟାଗ ଓ ସମର୍ପଣର ପ୍ରତୀକ ଭାବେ ଗ୍ରହଣ କରାଯାଏ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଧ୍ୱଜାରୋହଣ ସହ ତାଙ୍କୁ ପ୍ରଣାମ କରାଯାଇ ରାଷ୍ଟ୍ର ପ୍ରତି ସମର୍ପିତ ହେବାର ପ୍ରତିଜ୍ଞା କରାଯାଏ। ପ୍ରତିଦିନ ସନ୍ଧ୍ୟାରେ “ନମସ୍ତେ ସଦା ବତ୍ସଲେ ମାତୃଭୂମେ” ପ୍ରାର୍ଥନା ଗାନ କରାଯାଏ, ଯାହାର ପ୍ରତିଟି ଶବ୍ଦର ଅର୍ଥ ହେଉଛି—”ହେ ମାତୃଭୂମି, ମୋର ଏହି ଶରୀର ତୁମ ସେବାରେ ସମର୍ପିତ ହେଉ।”
ଶିବିରରେ କୌଣସି ଜାତି, ଧର୍ମ, ଗରିବ କିମ୍ବା ଧନୀର ଭେଦଭାବ ନଥାଏ। ସମସ୍ତେ ଗୋଟିଏ ପ୍ରକାରର ପୋଷାକ ,ଗଣବେଶ ପିନ୍ଧନ୍ତି, ଏକାଠି ଗୋଟିଏ ବଡ଼ ହଲ୍ରେ ଶୁଅନ୍ତି ଏବଂ ଗୋଟିଏ ପଙ୍ଗତରେ ବସି ମଧ୍ୟାହ୍ନ ଭୋଜନ ଓ ସାନ୍ଧ୍ୟ ଭୋଜନ କରନ୍ତି।
ନିଜର ବାସନ ମାଜିବା ଠାରୁ ଆରମ୍ଭ କରି ନିଜ ରହିବା ସ୍ଥାନ ସଫା କରିବା ପର୍ଯ୍ୟନ୍ତ ସବୁ କାମ ସ୍ୱୟଂସେବକମାନେ ନିଜେ କରନ୍ତି। ଏହାଦ୍ୱାରା ଶ୍ରମ ପ୍ରତି ସମ୍ମାନ ଏବଂ ସମାଜର ନିମ୍ନ ସ୍ତରର ଲୋକଙ୍କ ପ୍ରତି ସହାନୁଭୂତି ଜାଗ୍ରତ ହୁଏ।
ଦେଶକୁ ଭଲ ପାଇବା ପାଇଁ ପ୍ରଥମେ ଦେଶର ମାଟି ଓ ଇତିହାସକୁ ଜାଣିବା ଜରୁରୀ। ସେଥିପାଇଁ ଭାରତର ସ୍ୱାଧୀନତା ସଂଗ୍ରାମୀ, ବୀର ମହାପୁରୁଷ ,ଯେପରିକି ଛତ୍ରପତି ଶିବାଜୀ ମହାରାଜ, ମହାରାଣା ପ୍ରତାପ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ସଂଗ୍ରାମୀ କାହାଣୀ ଉପରେ ବୌଦ୍ଧିକ ଆଲୋଚନା କରାଯାଏ। ଭାରତର ନଦୀ, ପର୍ବତ, ଓ ପ୍ରତିଟି ପ୍ରାନ୍ତକୁ ପବିତ୍ର ମାନି ସାରା ଦେଶକୁ ଏକ ସୂତ୍ରରେ ଦେଖିବାର ଦୂରଦୃଷ୍ଟି ଦିଆଯାଏ। ସଂଘ ଶିବିରରେ ଶିଖାଯାଏ ଯେ ଜଣେ ଭଲ ଏବଂ ଶୃଙ୍ଖଳିତ ନାଗରିକ ହେବା ହିଁ ଦେଶ ସେବା। ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟ ବିନା କୌଣସି ପ୍ରତିବାଦରେ ଆଦେଶ ପାଳନ କରିବା ଏବଂ ନିଜର ଦାୟିତ୍ୱ ନିଷ୍ଠାର ସହ ତୁଲାଇବାର ପ୍ରଶିକ୍ଷଣ ମିଳେ। ନିଜ ସ୍ୱାର୍ଥ ତ୍ୟାଗ କରି ସମାଜ ଏବଂ ଦେଶର ବିପତ୍ତି ସମୟରେ , ଯେପରିକି ବନ୍ୟା, ବାତ୍ୟା କିମ୍ବା ଦୁର୍ଘଟଣାବେଳେ ସବୁଠୁ ଆଗରେ ପହଞ୍ଚି ସେବା କରିବାର ମାନସିକତା ଏଠାରେ ଗଢ଼ାଯାଏ।