ରାଷ୍ଟ୍ରଦୀପର ସାପ୍ତାହିକ ୩୨ତମ ବସନ୍ତ ମିଳନ ଉତ୍ସବ

ରାଷ୍ଟ୍ରଦୀପର ସାପ୍ତାହିକ ୩୨ତମ ବସନ୍ତ ମିଳନ ଉତ୍ସବ
ଏବଂ “୧୦୦ ବର୍ଷ ସଂଘ ଯାତ୍ରା ବିଶେଷାଙ୍କ’ ଉନ୍ମୋଚନ
ତା ୧.୩.୨୬ ରିଖ କଟକ ସ୍ଥିତ ସହିଦ ଭବନ ଠାରେ ରାଷ୍ଟ୍ରଦୀପ ସାପ୍ତାହିକ ପକ୍ଷରୁ ୩୨ତମ ବସନ୍ତ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଷ୍ଟ୍ରଦୀପ ପରିଚାଳନା ସମିତିର ଉପ-ସଭାପତି ଦିଲୀପ କୁମାର ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ଉପସ୍ଥିତ ରହି ରାଷ୍ଟ୍ରଦୀପ ସହ ତାଙ୍କ ପରିଚୟ ତଥା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ରାଷ୍ଟ୍ରଦୀପର ମାର୍ଗଦର୍ଶନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହପ୍ରଚାର ପ୍ରମୁଖ ପ୍ରଦୀପ ଯୋଶୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷରେ ରାଷ୍ଟ୍ରଦୀପ ଭଳି ରାଷ୍ଟ୍ରୀୟ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ପତ୍ରିକାମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ତଥା ସମାଜରେ ତା’ର ପ୍ରଭାବ ନେଇ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଏହି ଭବ୍ୟ ଉତ୍ସବରେ ଅତିଥିମାନଙ୍କ କରକମଳରେ ରାଷ୍ଟ୍ରଦୀପର ବାସନ୍ତିକ ବିଶେଷାଙ୍କ “୧୦୦ ବର୍ଷ ସଂଘ ଯାତ୍ରା’ ଉନ୍ମୋଚନ କରାଯାଇଥିଲା । ଓଡ଼ିଶାର ଗଣ୍ୟମାନ୍ୟ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ଡ. ବାଞ୍ଛାନିଧି ପଣ୍ଡାଙ୍କୁ ଶ୍ରେଷ୍ଠ ପ୍ରାବନ୍ଧିକ ସମ୍ମାନରେ, ଡ. ସତ୍ୟନାରାୟଣ ଠାକୁରଙ୍କୁ ଶ୍ରେଷ୍ଠ ସ୍ତମ୍ଭଲେଖକ, ପ୍ରତିଭା ପ୍ରିୟଦର୍ଶିନୀଙ୍କୁ ଶ୍ରେଷ୍ଠ ସ୍ତମ୍ଭକାର ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଶ୍ରେଷ୍ଠ ଲେଖକ, ସୁଶୀଲ କୁମାର ମହାନ୍ତିଙ୍କୁ ଶ୍ରେଷ୍ଠ ବିତରକ ଏବଂ ଗଗନ ବେହେରାଙ୍କୁ ମଧ୍ୟ ଶ୍ରେଷ୍ଠ ବିତରକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରୁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ତୁଳସୀପୁରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସାଇ ସାର୍ଥକ ପ୍ରଧାନ ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ । ସହ-ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ ଏବଂ ରାଷ୍ଟ୍ରଦୀପ ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରଦୀପର ପରିଚାଳକ ଜ୍ୟୋତି ପ୍ରକାଶ ମିଶ୍ର, ବ୍ୟବସ୍ଥା ପ୍ରମୁଖ କୁଳମଣି ପ୍ରଧାନ, କୋଷାଧ୍ୟକ୍ଷ ଆଶୁତୋଷ ମହାପାତ୍ର, କରୁଣାକର ସ୍ୱାଇଁ, ଅରଜିତ୍ ପାଣ୍ଡେ, ବିକ୍ରମ ରାଉତ, ଗଣନାଥ ଲେଙ୍କା ଆଦିଙ୍କ ସହଯୋଗରେ ସଭାକାର୍ଯ୍ୟ ସଫଳ ହୋଇପାରିଥିଲା । ଏତଦ୍‌ବ୍ୟତୀତ ବହୁ ଲେଖକ, ସାମ୍ବାଦିକ, ପାଠକ/ପାଠିକା, ଶୁଭେଚ୍ଛୁ, ବୁଦ୍ଧିଜୀବୀ ତଥା ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସଭାଟିକୁ ମହିମା ମଣ୍ଡିତ କରିଥିଲେ । ଶେଷରେ ବନ୍ଦେ ମାତରମ୍ ଗାନ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *