ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି

ଭୁବନେଶ୍ବର: ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ରାଜ୍ୟ ସରକାର ଏହି ୩ଟି ସୁନା ଖଣିକୁ ନିଲାମ କରିବେ। ନିଲାମ ପ୍ରକ୍ରିୟା ଚାଲିଛି। ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ କିପରି ଠିକ୍ ଭାବେ ହେବ ସେନେଇ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ (ଜିଏସଆଇ) ସଂସ୍ଥା ରାଜ୍ୟର କେତେକ ସ୍ଥାନରେ ସୁନା ଖଣି ରହିଥିବା ଚିହ୍ନଟ କରିଛି। ସେସବୁକୁ ଆସନ୍ତା ୩ ଜାନୁଆରୀ ୨୦୨୬ ସୁଦ୍ଧା ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି।
ସୂଚନାଯୋଗ୍ୟ ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ସୁନା ଖଣି ସନ୍ଧାନ ମିଳିଛି। ସେଠାରେ ଜିଏସଆଇ ପକ୍ଷରୁ ୧୦୦ଫୁଟ ପର୍ଯ୍ୟନ୍ତ ଖୋଳି ମାଟି ପରୀକ୍ଷା କରାଯିବ। ମୟୂରଭଞ୍ଜ ଜିଲାର କାଞ୍ଜିଆ ଓ ମଦନାସାହିରେ ସୁନା ଖଣିଥିବା ସନ୍ଧାନ ମିଳିଥିବା ବେଳେ କେନ୍ଦୁଝର ଜିଲାର ଜଳଡିହା ଅଞ୍ଚଳରେ ସୁନା ଖଣି ସନ୍ଧାନ କରାଯାଇଛି। ଏଥିସହିତ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ହେବ ଚୂଡାନ୍ତ ନିଷ୍ପତ୍ତି। ପ୍ରସ୍ତାବିତ ଖଣି ଅନୁସନ୍ଧାନ ବ୍ଲକଗୁଡିକର ସ୍ଥିତି ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ କରାଯିବ। ନିଲାମ କ୍ୟାଲେଣ୍ଡରରେ ଖଣି ଗୁଡିକ ସାମିଲ ହେବ। କେବଳ କେନ୍ଦୁଝର, ଦେବଗଡ ଓ ମୟୂରଭଞ୍ଜରେ ସୁନା ଖଣି ରହିଛି ତାହା ନୁହେଁ, ବରଂ ରାଜ୍ୟର ଅନୁଗୋଳ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ସମ୍ବଲପୁର ଜିଲାରେ ସୁନା ଖଣି ଥିବା ରାଜ୍ୟ ସରକାର ବିଧାନସଭାରେ ତଥ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *