ଜଗତସିଂହପୁର ଜିଲ୍ଲାରେ ଏବେ ବିପଦରେ ପଡ଼ିଛନ୍ତି ଗୋବଂଶ

ବିପଦରେ ଜିଲ୍ଲାର ଗୋବଂଶ, ୧୩ ଗୋରୁ ଉଦ୍ଧାର
ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲାରେ ଏବେ ବିପଦରେ ପଡ଼ିଛନ୍ତି ଗୋବଂଶ। କେଉଁଠି ମାଂସ ଜବତ ହେଉଛି ତ ଆଉ କେଉଁଠୁ ଗୋରୁ ଉଦ୍ଧାର ହେଉଛନ୍ତି। ଦୁଇ ଦିନରେ ୧୩ ଗୋରୁ ଉଦ୍ଧାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଲା କୃଷ୍ଣାନନ୍ଦପୁର ଅଞ୍ଚଳରେ କଂସେଇ ଖାନାରେ ଗୋରୁ କଟା ଚାଲିଥିବା ବେଳେ ଚଢ଼ଉ କରି ପୁଲିସ ୭ ଗାଈଙ୍କୁ ଉଦ୍ଧାର କରିଥିଲା ଓ ୧୫୦ କେଜି ମାଂସ ଜବତ କରିଥିଲା । ବିରିଡ଼ିରୁ ତିନି ଓ ବାଲିକୁଦା ଥାନା ଅଞ୍ଚଳରୁ ଦୁଇଟି ଗାଈ ଉଦ୍ଧାର ହୋଇଛନ୍ତି। ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଟାଟା ଏସ୍ ଗାଡ଼ି ଜବତ ହୋଇଛି।
ପୁଲିସ ସୂଚନା ଅନୁସାରେ, କୃଷ୍ଣାନନ୍ଦପୁର ମିର ମହଲା ଅଞ୍ଚଳରେ ବେଆଇନ ଭାବେ ଗୋରୁ କଟା ଯାଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ସେଠାରେ ୭ଟି ଗାଈ ଥିବା ବେଳେ ଗୋଟିଏ ଗୋରୁ କଟା ଚାଲିଥିଲା। ପୁଲିସ ଘଟଣାସ୍ଥଳରୁ ୭ ଗାଈଙ୍କୁ
ଉଦ୍ଧାର କରିଥିଲା। କଟା ଯାଇଥିବା ଗୋରୁ ମାଂସ ଜବତ କରି ଅନ୍ୟତ୍ର ପୋତି ଦେଇଥିଲା। ଏ ନେଇ କୃଷ୍ଣାନନ୍ଦପୁର ଥାନାରେ ମାମଲା ରୁଜୁ ହେବା ସହ ଏସ.କେ ଦିଲର ଅଲ୍ଲୀ ଓରଫ୍ ଦିଲା ଓ ମିର ସାହିଲ ଅଲ୍ଲାକୁ ଗିରଫ କରାଯାଇଛି। ଉଦ୍ଧାର ଗାଈମାନଙ୍କୁ ଛିଡି ଦିଆଯାଇଛି। ଏହି ମାଂସ କେଉଁଠିକୁ ଚାଲାଣ ହୋଇଥାନ୍ତା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ସେହିପରି ବିରିଡ଼ି ଥାନା ପୁଲିସ ହାଜିପୁରରୁ ତଳପାଟକ ଯାଉଥିବା ଏକ ଟାଟା ଏସକୁ ଜବତ କରିଛି । ସେଥିରେ ଥିବା ୩ ଗାଈଙ୍କୁ ଉଦ୍ଧାର କରାଯାଇଛି। ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ କରିବା ସହ ତଳପାଟକ ଅଞ୍ଚଳର ସଲାମତ ଅଲ୍ଲୀ ଖାଁ(୩୫)କୁ ଗିରଫ କରିଛି ଓ ଟାଟା ଏସ(ଓଡି୨୧-ଇ-୫୦୨୮) ଜବତ କରିଛି। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ତିନୋଟି ଗାଈକୁ ସଲାମତ ଅଲ୍ଲୀ ତିନି ଜଣଙ୍କ ଠାରୁ କିଣିଥିଲା। କିନ୍ତୁ ଏ ନେଇ କୌଣସି କାଗଜପତ୍ର ହୋଇନାହିଁ। ସେହିପରି ଅମାନୁଷିକ ଭାବେ ଗାଈର ଗୋଡ଼ ଓ ପାଟିକୁ ବାନ୍ଧି ନିଆ ଯାଉଥିଲା। ଗୋରୁକୁ କାଟି ମାଂସ ବିକ୍ରି କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ପୁଲିସ ଜାଣିବାକୁ ପାଇଛି। ସେହିପରି ୫୫ ନମ୍ବର ଜାତୀୟ ରାଜପଥର କଟକ-ବାଲିକୁଦା ରାସ୍ତାର ବାଲିଭଉଁରି ଛକ ନିକଟରେ ମଧ୍ୟ ଦୁଇ ଗାଈଙ୍କୁ ଧରି ଯାଉଥିବା ଏକ ଟାଟା ଏସ୍(ଓଡି୦୫-ବିଏଫ-୧୯୦୩) ଗାଡ଼ିକୁ ବଜରଙ୍ଗ କର୍ମୀମାନେ ଅଟକାଇଥିଲେ। ଏହା ପରେ ଗାଡ଼ି ସହ ଡ୍ରାଇଭରକୁ ପୁଲିସ ଜିମା ଦେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହ ଗାଡ଼ି ଜବତ କରିଥିଲା। ଡ୍ରାଇଭରକୁ ନୋଟିସ୍ ଦେଇ ଛାଡ଼ିଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବିପୁଳ ପରିମାଣର ଗୋ-ଚାଲାଣ ହେଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *