ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ସମାରୋହଭବ୍ୟ ପଥ ସଞ୍ଚଳନ, ଶରତ ପୂର୍ଣ୍ଣିମା ଉତ୍ସବ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ସମାରୋହ
ଭବ୍ୟ ପଥ ସଞ୍ଚଳନ, ଶରତ ପୂର୍ଣ୍ଣିମା ଉତ୍ସବ
ବାଲେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ଶତାବ୍ଦୀ ବର୍ଷରେ ପଦାର୍ପଣ କରିଛି। ୧୯୨୫ ବିଜୟା ଦଶମୀରେ ଡାକ୍ତର କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ସଂଗଠନ ଏବେ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ସଂଘ ଶତାବ୍ଦୀ ବର୍ଷର ଉଦଘାଟନ ସମାରୋହ ଜିଲ୍ଲାର ୫୩ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବାବେଳେ ବାଲେଶ୍ୱର ନଗରରେ ସୋମବାର ଭବ୍ୟ ପଥ ସଞ୍ଚଳନ ସହ ଶରତ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ମନ୍ତ୍ରୀ ଗୌରୀପ୍ରସାଦ ରଥ କୁମାର ପୂର୍ଣ୍ଣିମା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନଗରର ଶତାଧିକ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ଉପସ୍ଥିତ ରହି ଘୋଷ ବାଦ୍ୟ ସହ ନଗର ପରିକ୍ରମା କରିଥିଲେ। ପଥ ସଞ୍ଚଳନ ମାନସିଂବଜାର ରାଧାକୃଷ୍ଣ ମନ୍ଦିରରୁ ବାହାରି ହେମକାପାଦ ଛକ, ଗଡ଼ଗଡିଆ, ଆର୍ତ୍ତକବିରାଜ ରୋଡ଼, ମୋତିଗଞ୍ଜରୁ ସିନେମା ଛକ, ହସ୍ପିଟାଲ ରୋଡ଼ ଦେଇ ମିଶନ ପଡିଆରେ ଶେଷ ହୋଇଥିଲା।
ଶତାବ୍ଦୀ ବର୍ଷରେ ସଂଘ ସମାଜର ଉତ୍ଥାନ ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି। କୁଟୁମ୍ବ ପ୍ରବୋଧନ ମାଧ୍ୟମରେ ଭାରତୀୟ ପରିବାର ବ୍ୟବସ୍ଥାକୁ ସୁଦୃଢ କରିବା। ପର୍ଯ୍ୟବରଣ ସଂରକ୍ଷଣ ମାଧ୍ୟମରେ ବ୍ୟପକ ଜନ ସଚେତନତା ସୃଷ୍ଟି କରିବା ସହ ବୃକ୍ଷ ରୋପଣ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରିବା ବାର୍ତ୍ତା ସ୍ୱୟଂସେବକମାନେ ବାଣ୍ଟିବେ। ସ୍ବଦେଶୀ ଦ୍ରବ୍ୟ ବ୍ୟବହାର ତଥା ସ୍ବଦେଶୀ ବିଚାର ସମସ୍ତଙ୍କ ପାଖରେ ପହଞ୍ଚାଇବ। ସାମାଜିକ ସମରସତା ଦ୍ୱାରା ସମାଜରେ ଥିବା ବିଭିନ୍ନ ବିଷମତା ଯଥା ଉଚ୍ଚନୀଚ ଏବଂ ଛୁଆଁ ଅଛୁଆଁକୁ ଦୂର କରିବାକୁ ଯୋଜନା କରାଯାଇଛି। ସେହିପରି ନାଗରିକ କର୍ତ୍ତବ୍ୟବୋଧ ସମ୍ପର୍କରେ ସଂଘର ସ୍ୱୟଂସେବକମାନେ ବର୍ଷ ବ୍ୟପୀ କାର୍ଯ୍ୟକ୍ରମ ଜାରି ରଖିବେ।
ପୂର୍ବରୁ ବାଲେଶ୍ୱର ନଗରର ରାମେଶ୍ୱର, ଝାଡ଼େଶ୍ୱର, ଈଶାନେଶ୍ୱର ଓ ବାଣେଶ୍ୱର ଉପନଗର ଭଳି ୮ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମକୁ ନଗର ସଙ୍ଘଚାଳକ ଗୋପାଳ ନାୟକ ଭାରତମାତା ପୂଜନ କରିଥିଲେ। ନଗର କାର୍ଯ୍ୟବାହ ରମେଶ ମହାକୁଡ଼, ସହ ନଗର କାର୍ଯ୍ୟବାହ ରମାକାନ୍ତ ଜେନା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Leave a Reply