ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଜର ଦ୍ୱାଦଶ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧିନରେ ପଞ୍ଜୀକରଣକୁ ସହଜ କରୁଥିବା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ ଲାଇଭ୍ ହୋଇଛି।

କେନ୍ଦ୍ର କ୍ୟାବିନେଟ ୧ ଜୁଲାଇ, ୨୦୨୫ ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାମକ ଏକ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଥିଲେ। ୯୯,୪୪୬ କୋଟି ଟଙ୍କାର ବ୍ୟୟ ସହିତ, ଏହି ଯୋଜନା ଦୁଇ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଏହି ଯୋଜନାର ଲାଭ ୧ ଅଗଷ୍ଟ, ୨୦୨୫ ରୁ ୩୧ ଜୁଲାଇ, ୨୦୨୭ ମଧ୍ୟରେ ସୃଷ୍ଟି ହୋଇଥିବା ନିଯୁକ୍ତି ପାଇଁ ପ୍ରଯୁଜ୍ୟ ହେବ।

ଏହି ଯୋଜନା ଅଧିନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀଙ୍କୁ ଦୁଇଟି କିସ୍ତିରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ନିଯୁକ୍ତିଦାତାଙ୍କୁ ପ୍ରତି ନୂତନ କର୍ମଚାରୀ ପିଛା ମାସକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ।

ଯୋଜନାର ଭାଗ ଏ ଅନ୍ତର୍ଗତ ପ୍ରଥମ ଥର ପାଇଁ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ସମସ୍ତ ଦେୟ ଆଧାର ବ୍ରିଜ୍ ପେମେଣ୍ଟ ସିଷ୍ଟମ୍ (ଏବିପିଏସ) ବ୍ୟବହାର କରି ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ମୋଡ୍ ମାଧ୍ୟମରେ କରାଯିବ। ଭାଗ ବି ଅନ୍ତର୍ଗତ ନିଯୁକ୍ତିଦାତାମାନଙ୍କୁ ଦେୟ ସିଧାସଳଖ ସେମାନଙ୍କର ପାନ-ଲିଙ୍କ୍ ହୋଇଥିବା ଆକାଉଣ୍ଟରେ କରାଯିବ।

ନିଯୁକ୍ତିଦାତାମାନେ ଏବେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ (https://pmvbry.epfindia.gov.in କିମ୍ବା https://pmvbry.labour.gov.in) ପରିଦର୍ଶନ କରି ଏକକାଳୀନ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିପାରିବେ।

ସମସ୍ତ ପ୍ରଥମ ଥର ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଉମଙ୍ଗ ଆପରେ ଉପଲବ୍ଧ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ମାଧ୍ୟମରେ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ) ଜେନେରେଟ୍ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *