ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତକୁ ଏକ ଭରସାଯୋଗ୍ୟ ବିଶ୍ୱ ଅଂଶୀଦାର ଭାବରେ ସ୍ଥାନିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି

ଭାରତରେ ବିଶ୍ୱର ପ୍ରାୟ ୨୦% ଚିପ୍ ଡିଜାଇନ୍ ଇଞ୍ଜିନିୟର ଅଛନ୍ତି। ଏହି ଦୃଢ଼ ପ୍ରତିଭା ଆଧାରକୁ ନେଇ ସରକାର ଭାରତରେ ଏକ ସ୍ୱୟଂସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକାଶ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ୍ ପ୍ରସାଦ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକ ଭାରତରେ ଚିପ୍ ଡିଜାଇନ୍ ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି। ଭାରତରେ ଡିଜାଇନ୍ ହୋଇଥିବା ଏକ ଥ୍ରୀ ଏନଏମ ସେମିକଣ୍ଡକ୍ଟର ଚିପ୍ ନିକଟରେ ଉନ୍ମୋଚିତ ହୋଇଥିଲା। ଏହା ଭାରତୀୟ ଇଞ୍ଜିନିୟରମାନଙ୍କର ବୈଷୟିକ କ୍ଷମତା ଏବଂ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଭାରତୀୟ ଡିଜାଇନ୍ କେନ୍ଦ୍ରଗୁଡ଼ିକର ଗୁରୁତ୍ୱକୁ ପ୍ରଦର୍ଶନ କରେ।

ସେ ଆହୁରି କହିଛନ୍ତି, ସେମିକଣ୍ଡକ୍ଟର ଚିପ୍ ଡିଜାଇନରେ ପ୍ରତିଭା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭିଏଲଏସଆଇ ଡିଜାଇନ୍ ଏବଂ ପ୍ରଯୁକ୍ତିବିଦ୍ୟା, ସମନ୍ୱିତ ସର୍କିଟ୍ (ଆଇସି) ଉତ୍ପାଦନ ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ନୂତନ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି । ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ୮୫ ହଜାର କୁଶଳୀ ମାନବ ସମ୍ବଳ ବିକଶିତ କରିବା ଏବଂ ସେମିକଣ୍ଡକ୍ଟର ଚିପ୍ସ ଡିଜାଇନ୍ କରିବା ପାଇଁ ଇଡିଏ ଉପକରଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନସୁଦ୍ଧା ୧୦୦ଟି ପ୍ରତିଷ୍ଠାନରୁ ୪୫ ହଜାରରୁ ଅଧିକ ଛାତ୍ର ପଞ୍ଜୀକୃତ ହୋଇଛନ୍ତି।

ଏହାବ୍ୟତୀତ ଏନଆଇଇଏଲଟି କାଲିକଟରେ ଦକ୍ଷ ମାନବ ସମ୍ବଳ ଉନ୍ନତ ଗବେଷଣା ଓ ତାଲିମ (ସ୍ମାର୍ଟ) ଲ୍ୟାବ ଦେଶବ୍ୟାପୀ ୧ ଲକ୍ଷ ଇଞ୍ଜିନିୟରଙ୍କୁ ତାଲିମ ଦେଉଛି । ବର୍ତ୍ତମାନ ସୁଦ୍ଧା ୪୪ ହଜାରରୁ ଅଧିକ ଇଞ୍ଜିନିୟର ତାଲିମ ନେଇସାରିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ଲାମ୍ ରିସର୍ଚ୍ଚ, ଆଇବିଏମ ଓ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱବିଦ୍ୟାଳୟ ସହିତ ସହଭାଗିତା ସ୍ଥାପନ କରାଯାଇଛି। ଦେଶର ବୃହତ ପ୍ରତିଭା ଭଣ୍ଡାରକୁ ଲାଭ ଦେଇ, ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଡିଜାଇନ୍ କମ୍ପାନୀଗୁଡ଼ିକ ଏବେ ଅତ୍ୟାଧୁନିକ ଚିପ୍ସ ଡିଜାଇନ୍ କରିବା ପାଇଁ ଭାରତରେ ସେମାନଙ୍କର କାର୍ଯ୍ୟବଳକୁ ଦ୍ରୁତ ଗତିରେ ବିସ୍ତାର କରୁଛନ୍ତି।

ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ କେତେକ ପଦକ୍ଷେପ ନେଇଛନ୍ତି । ଭାରତରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ମୋଟ ୭୬ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି । ଛଅଟି ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ୨୨ ଡିଜାଇନ୍-ଆଧାରିତ ପ୍ରୋତ୍ସାହନ (ଡିଏଲଆଇ) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୭୨ଟି କମ୍ପାନୀକୁ ଚିପ୍ ଡିଜାଇନ୍ ଭିତ୍ତିଭୂମି ଯଥା ଇଡିଏ ଉପକରଣ ଏବଂ ସିନପ୍ସିସ୍, କ୍ୟାଡେନ୍ସ, ସିମେନ୍ସ ଇତ୍ୟାଦିରୁ ଏଫପିଜିଏ (ଫିଲ୍ଡ ପ୍ରୋଗ୍ରାମେବଲ୍ ଗେଟ୍ ଆରେ) ବୋର୍ଡ ପ୍ରଦାନ କରାଯାଇଛି। ପୋଷ୍ଟ ସିଲିକନ୍ ବୈଧତା ଏବଂ ପରୀକ୍ଷଣ ଓ ପ୍ୟାକେଜିଂ ସହାୟତା ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *