Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧନୁରାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧନୁରାସନ

ଏହି ଆସନରେ ଶରୀରର ଆକୃତି ଟାଣି ହୋଇ ରହିଥିବା ଧନୁ ପରି ହୁଏ । ତେଣୁ ଏହାକୁ ଧନୁରାସନ କହନ୍ତି । ଏହି ଆସନ କରିବା ବେଳେ ଧ୍ୟାନ ମଣିପୁର ଚକ୍ରରେ ରଖିବା ସହ ଶ୍ୱାସ ନିମ୍ନସ୍ଥିତରେ ରେଚକ ଓ ଉପର ସ୍ଥିତିରେ ପୂରକ ହେବା ଆବଶ୍ୟକ । ବିଧି : ଭୂମି ଉପରେ ବିଛା ହୋଇଥିବା କମ୍ବଳ ଉପରେ ପେଟରେ ଭରା ଦେଇ ଓଲଟା ଶୋଇଯିବେ । ଉଭୟ ପାଦ ପରସ୍ପର ମିଶାଇ ରଖିବେ । ଏହା ପରେ ଉଭୟ ଗୋଡକୁ ଆଣ୍ଠୁ ପାଖକୁ ମୋଡିବେ । ଉଭୟ ହାତ ପଛକୁ ନେଇ ଉଭୟ ପାଦ ଗୋଛି ଉପରୁ ଧରିବେ । ରେଚକ କରି ହାତରେ ଧରିଥିବା ପାଦକୁ ଭିଡି ଧରି ଧୀରେ ଧୀରେ ଟାଣିବେ । ଯେତେ ଦୂର ସମ୍ଭବ ମୁଣ୍ଡକୁ ପଛକୁ ନେବା ଲାଗି ଚେଷ୍ଟା କରିବେ । ଦୃଷ୍ଟି ମଧ୍ୟ ପଛ ଆଡକୁ ଉପରକୁ ରହିବା ଆବଶ୍ୟକ । ସମଗ୍ର ଶରୀରର ବୋଝ କେବଳ ନାଭି ପ୍ରଦେଶର ଉପରେ ହିଁ ରଖିବେ । ଅଣ୍ଟାଠାରୁ ବେକ ପର୍ଯ୍ୟନ୍ତ ଏବଂ ଅଣ୍ଟାଠାରୁ ତଳକୁ ପାଦ ପର୍ଯ୍ୟନ୍ତ ପିଠି ପେଟ ପୂରା ଉପର ଆଡକୁ ମୋଡି କରି ରଖିବେ । ଏହି ସ୍ଥିତିରେ କୁମ୍ଭକ କରିବେ । ପରେ ହାତ ଖୋଲି ଗୋଡ ତଥା ମୁଣ୍ଡକୁ ମୂଳ ଅବସ୍ଥାକୁ ନେଇ ପୂରକ କରିବେ । ପ୍ରାରମ୍ଭରେ ପାଞ୍ଚ ସେକେଣ୍ଡ ଏହି ଆସନ କରିବେ । ଧୀରେ ଧୀରେ ସମୟ ବଢାଇ ତିନି ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ଏହି ଆସନ ଅଭ୍ୟାସ କରିବେ । ଦିନକୁ ୩/୪ ଥର ଏହି ଆସନ କରିବା ଆବଶ୍ୟକ । ଲାଭ : ଧନୁରାସନ ଅଭ୍ୟାସ କଲେ ପେଟରେ ଚର୍ବି କମ୍ ହୋଇଥାଏ । ଗ୍ୟାସ୍ ଦୂର ହୁଏ । ପେଟ ରୋଗରୁ ମୁକ୍ତି ମିଳେ । କୋଷ୍ଠକାଠିନ୍ୟ ଦୂର ହୁଏ । ଭୋକ ବଢେ ଛାତିର ଦରଜ ଦୂର ହୁଏ । ଅସ୍ୱାଭାବିକ ହୃଦ୍କମ୍ପନ ଦୂର ହୋଇ ହୃଦୟ ମଜବୁତ୍ ହୁଏ । ଗଳାରେ ଉପୁଜୁଥିବା ସମସ୍ତ ରୋଗ ନଷ୍ଟ ହୋଇଥାଏ । ସ୍ୱର ମଧୁର ହୁଏ । ଶ୍ୱାସକ୍ରିୟା ସୁବ୍ୟବସ୍ଥିତ ହୁଏ । ହାତଗୋଡରେ ସୃଷ୍ଟି ହେଉଥିବା କମ୍ପନ ଦୂର ହୁଏ । ଶରୀରର ସୌନ୍ଦର୍ଯ୍ୟ ବଢେ । ମୁଖର ଆକୃତି ସୁନ୍ଦର ହୁଏ । ଏହି ଆସନ ଦ୍ୱାରା ପେଟର ସ୍ନାୟୁଗୁଡିକ ଟାଣିହେଉଥିବାରୁ ପେଟର ବହୁତ ଲାଭ ହୁଏ । ଅନ୍ତ ଉପରେ ଖୁବ୍ ଚାପ ପଡୁଥିବାରୁ ପେଟର ଅଙ୍ଗ ଉପରେ ଚାପ ପଡେ । ଫଳସ୍ୱରୂପ ଅନ୍ତରେ ପାଚକ ରସ କ୍ଷରଣ ହୋଇ ଜଠରାଗ୍ନି ତେଜିୟାନ୍ ହୁଏ ଏବଂ ପାଚନ ଶକ୍ତି ବଢିଥାଏ । ବାୟୁରୋଗ ନଷ୍ଟ ହୋଇଥାଏ । ପେଟ କ୍ଷେତ୍ରରେ ରକ୍ତ ସଞ୍ଚାର ଅଧିକ ହୁଏ । ଧନୁରାସନରେ ଭୂଜଙ୍ଗାସନ ଓ ଶଲଭାସନର ସମାବେଶ ହେବା କାରଣରୁ ଏହି ଉଭୟ ଆସନରୁ ଲାଭ ମିଳେ । ମହିଳାମାନଙ୍କ ପାଇଁ ଏହି ଆସନ ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ମାସିକ ଧର୍ମର ବିକାର ଓ ଗର୍ଭାଶୟର ସମସ୍ତ ରୋଗ ଦୂର ହୋଇଥାଏ ।

Leave a Reply