ବୃହତ ତିବ୍ଦତୀୟ ଶରଣାର୍ଥୀ ସମ୍ପ୍ରଦାୟର ଘର ଭାରତ ହୋଇଥିଲେ ବି ଭାରତ ସରକାର କିନ୍ତୁ ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ମନୋଭାବ ବଜାୟ ରଖିଛି

ବର୍ତ୍ତମାନ ତିବ୍ଦତୀୟ ଆଧ୍ୟାତ୍ମିକ ନେତୃତ୍ୱ ଏବଂ ଦଲାଇ ଲାମାଙ୍କ ପ୍ରତିଷ୍ଠାନର ଭବିଷ୍ୟତ ସମ୍ପର୍କରେ ବିଶ୍ୱରେ ଚର୍ଚ୍ଚା ହେଉଛି। ତେବେ ନିର୍ବାସିତ ତିବ୍ଦତୀୟ ସରକାର ଏବଂ ଏକ ବୃହତ ତିବ୍ଦତୀୟ ଶରଣାର୍ଥୀ ସମ୍ପ୍ରଦାୟର ଘର ଭାରତ ହୋଇଥିଲେ ବି ଭାରତ ସରକାର କିନ୍ତୁ ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ମନୋଭାବ ବଜାୟ ରଖିବାକୁ ବାଛିବା ସହ ଏହାର ଧାର୍ମିକ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଛନ୍ତି। 

ଦଲାଇ ଲାମାଙ୍କ ଉତ୍ତରାଧିକାର ଯୋଜନାକୁ ନେଇ ଚୀନର ମନ୍ତବ୍ୟ ପରେ ବିବାଦ ବଢ଼ିବାରୁ ଶୁକ୍ରବାର ଭାରତ ସରକାର ପ୍ରତିକ୍ରିୟା ଦେଇଛନ୍ତି। ଭାରତ ଧାର୍ମିକ ବିଶ୍ୱାସ କିମ୍ବା ଅଭ୍ୟାସ ସମ୍ବନ୍ଧୀୟ ପ୍ରସଙ୍ଗରେ କୌଣସି ମତ ଦିଏ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖପାତ୍ର କହିଛନ୍ତି “ଦଲାଇ ଲାମା ପ୍ରତିଷ୍ଠାନର ଭବିଷ୍ୟତ ନେଇ ପରମ ପବିତ୍ର ଦଲାଇ ଲାମାଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ସହିତ ଜଡିତ ରିପୋର୍ଟ ଆମେ ଦେଖିଛୁ। ତେବେ ଭାରତ ସରକାର ଆସ୍ଥା, ଧର୍ମ କିମ୍ବା ମାନ୍ୟତା ବା ପ୍ରଥା ଭଳି ପ୍ରସଙ୍ଗରେ କୈଣସି ଆଭିମୁଖ୍ୟ ଗ୍ରହଣ କରନ୍ତି ନାହିଁ କିମ୍ବା ମତ ଦିଅନ୍ତି ନାହିଁ।” ଅର୍ଥାତ୍ ଭାରତ ସରକାର ଏସବୁ ପ୍ରସଙ୍ଗରୁ ଦୂରେଇ ରହୁନ୍ତି ବୋଲି ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି।

ତେବେ ଭାରତର ସାମ୍ବିଧାନିକ ପ୍ରତିବଦ୍ଧତାକୁ ଦୋହରାଇ ସେ ଆହୁରି କହିଛନ୍ତି, “ସରକାର ସବୁବେଳେ ଭାରତରେ ସମସ୍ତଙ୍କ ପାଇଁ ଧର୍ମର ସ୍ୱାଧୀନତାକୁ ବଜାୟ ରଖିଆସିଛି ଏବଂ ଏହା ଜାରି ରଖିବ।” 

Leave a Reply

Your email address will not be published. Required fields are marked *