ଋଣ ଶୁଝିବାକୁ ଅର୍ଥ ଦରକାର ପଡ଼ିବାର ଦେଶଦ୍ରୋହ କରିବାକୁ ପଛାଇଲେନି ନୌସେନା କର୍ମଚାରୀ

ଅପରେସନ ସିନ୍ଦୂର ସମୟରେ ଗୁପ୍ତଚରି କାର୍ଯ୍ୟ କରି ପାକିସ୍ତାନକୁ ପ୍ରତିରକ୍ଷା ସଂକ୍ରାନ୍ତ ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣା ପୁଲିସ ଦିଲ୍ଲୀରୁ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ହରିୟାଣାର ରେଓ୍ବାଡ଼ି ଅନ୍ତର୍ଗତ ପୁଂଶିକା ଗ୍ରାମର ବିଶାଲ ଯାଦବ। ସେ ଦିଲ୍ଲୀସ୍ଥିତ ନୌସେନା ମୁଖ୍ୟାଳୟରେ କିରାଣି ରୂପେ କାର୍ଯ୍ୟ କରୁଥିଲେ।

ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁସାରେ, ବିଶାଲ ପାକିସ୍ତାନର ଜଣେ ମହିଳାଙ୍କ ସହିତ ଲଗାତର ଯୋଗାଯୋଗରେ ରହିଥିଲେ। ହରିୟାଣା ଆଇଜିପି ବିଷ୍ଣକାନ୍ତ ଗୁପ୍ତା କହିଛନ୍ତି, ବିଶାଲଙ୍କ ସମେତ କିଛି ଲୋକଙ୍କ ଉପରେ ଗୁପ୍ତଚରି ସନ୍ଦେହ ହେବାରୁ ଗୁଇନ୍ଦା ବିଭାଗ ପକ୍ଷରୁ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହିତ ଯାଞ୍ଚ କରାଯାଉଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ବିଶାଲ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି। ସେ ପ୍ରତିରକ୍ଷା ବିଭାଗର କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାକିସ୍ତାନର ଜଣେ ମହିଳାଙ୍କୁ ଦେଇଥିବା ଜଣାପଡ଼ିଥିଲା।

ପଚରାଉଚରା ସମୟରେ ଜଣାପଡ଼ିଛି ଯେ, ବିଶାଲ ଅନଲାଇନ ଗେମ ଖେଳ ନିଶାରେ ପଡ଼ି ଲକ୍ଷାଧିକ ଟଙ୍କା କରଜ କରିଥିଲେ। ସେସବୁ ଋଣ ଶୁଝିବା ଲାଗି ସେ ଗୁପ୍ତଚର କାମ କରୁଥିଲେ।

Leave a Reply

Your email address will not be published. Required fields are marked *