ନୂଆଦିଲ୍ଲୀ: ଧମକ ଦେଇ ଅଭିନେତା-ରାଜନେତା କମଲ ହାସନଙ୍କ ଫିଲ୍ମ ‘ଠଗ୍ ଲାଇଫ୍’ର ରିଲିଜ୍କୁ ରୋକିଥିବା ଗୋଷ୍ଠୀ ବିରୋଧରେ କର୍ଣ୍ଣାଟକ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ଆଜି ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି। ଯେଉଁମାନେ ଫିଲ୍ମ ମୁକ୍ତିଲାଭ କରିବା ନେଇ ଧମକ ଦେଇଥିଲେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ଏବଂ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଏବଂ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ଜଣଙ୍କର ଟିପ୍ପଣୀ କାହାର ଭାବନାକୁ ଆଘାତ ଦେବା ଦ୍ବାରା ଫିଲ୍ମ ରିଲିଜ୍ ବନ୍ଦ କରାଯାଇପାରିବ ନାହିଁ।
ଏଭଳି ସ୍ଥିତିରେ ରାଜ୍ୟମାନଙ୍କର ଏକ କର୍ତ୍ତବ୍ୟ ରହିଛି। କିନ୍ତୁ ଆପଣ (ରାଜ୍ୟ ସରକାର) ଏଭଳି ଗୋଷ୍ଠୀର ଚାପରେ ଶିକାର ହୋଇଯାଉଛନ୍ତି। ଭାରତରେ ଭାବନାରେ ଆଘାତ ଦେବା କେବେ ବି ବନ୍ଦ ହେବନାହିଁ। ଜଣେ ହାସ୍ୟ କଳାକାର ଯଦି କିଛି କହୁଛନ୍ତି, ଏହାକୁ ବିରୋଧ କରି ଭଙ୍ଗାରୁଜା ହେଉଛି। ଆମେ କେଉଁ ଆଡ଼କୁ ମୁହାଁଉଛେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଚଳଚିତ୍ର ମୁକ୍ତିଲାଭରେ ବାଧା ଉପୁଜାଉଥିବା ଗୋଷ୍ଠୀକୁ ନିୟନ୍ତ୍ରଣ କରିବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକ ସରକାର ଆଜି ସୁପ୍ରିମ୍କୋର୍ଟରେ ଫିଲ୍ମ ‘ଠଗ୍ ଲାଇଫ୍’କୁ ନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ କର୍ଣ୍ଣାଟକ ସରକାର ଦର୍ଶାଇଛନ୍ତି ଯେ ସରକାର ଫିଲ୍ମ ରିଲିଜ୍ ଉପରେ କୌଣସି କଟକଣା ଲଗାଇ ନାହାନ୍ତି ଏବଂ କର୍ଣ୍ଣାଟକରେ ଫିଲ୍ମ ରିଲିଜ୍ ହେଲେ ଆବଶ୍ୟକ ସୁରକ୍ଷା ଦିଆଯିବ ବୋଲି ସୁନିଶ୍ଚିତ କରିଛନ୍ତି।