କଣ୍ଟେନରରୁ ୨୪୯ ଗୋରୁ ଉଦ୍ଧାର, ୨୨ ଗିରଫ
କୋରାପୁଟ/ଜୟପୁର: କଣ୍ଟେନରରେ ବେଧଡ଼କ ଚାଲିଥିଲା ଗୋରୁ ଚାଲାଣ ସେଥିରେ ରୋକ ଲଗାଇଛି କୋରାପୁଟ ଟାଉନ ପୁଲିସ। ଗତ ଦୁଇ ଦିନ ମଧ୍ୟରେ ୬ଟି କଣ୍ଟେନରରୁ ୨୪୯ ଗୋରୁ ଉଦ୍ଧାର ହୋଇଛନ୍ତି। ଚାଲାଣରେ ସଂପୃକ୍ତ ୨୨ଜଣଙ୍କୁ ଗିରଫ କରାଯାଇଛି।
ଗତକାଲି ଭୋର ସମୟରେ ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଟାଉନ ପୁଲିସ ମାଉସୀମା ମନ୍ଦିର ଛକ ନିକଟରେ ଗୋରୁ ଭର୍ତ୍ତି ହୋଇଥିବା ୨ଟି କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ୩୯ ଗୋରୁ ଉଦ୍ଧାର ହୋଇଥିଲା ବେଳେ ସେଥିରୁ ୪ ଗୋରୁଙ୍କ ମୃତ୍ୟୁ ହୋଇଯାଇଥିଲା। ବେଆଇନ ଭାବେ ଚାଲାଣ କରୁଥିବାରୁ ପୁଲିସ ମାମଲା ରୁଜୁ କରି ୫ଜଣଙ୍କୁ ଗିରଫ କରିଛି। ସେହିପରି ଆଜି ଭୋର ସମୟରେ ପୁଣି ସେହି ସ୍ଥାନରେ ଟାଉନ ଥାନା ପୁଲିସ ୪ଟି କଣ୍ଟେନରକୁ ଯାଞ୍ଚ କରି ୨୧୦ ଗୋରୁଙ୍କୁ ଉଦ୍ଧାର କରିବା ସହ ୧୭ଜଣକୁ ଗିରଫ କରିଛି। ଏନେଇ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି। ମୋଟ ୨୪୯ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ସେଥିରୁ ୫ ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଳକା ୨୪୪ ଗୋରୁଙ୍କୁ ମେ ୨୭ ତାରିଖ ସକାଳେ ଜୟପୁର ବ୍ଲକ ଗଡପଦର ପଞ୍ଚାୟତ ଅନ୍ତର୍ଗତ ପାଲିଗୁଡା ଗୋଶାଳାକୁ ଅଣାଯାଇଥିଲା। ହିନ୍ଦୁ ସମାଜ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଶାଳାରେ ରଖାଯାଇଛି। କୋରାପୁଟ ଏସ୍ପିଙ୍କ ନେତୃତ୍ବରେ ଟିମ୍ ଗଠନ କରି ଏହି ଚଢ଼ଉ କରାଯାଇଥିଲା। ଗୋରୁ ବୋଝେଇ କଣ୍ଟେନର ଗୁଡିକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରୁ ପଡୋଶୀ ଆନ୍ଧ୍ରର ମାନାପୁରମ ଅଞ୍ଚଳକୁ ଯାଉଥିଲା ବୋଲି ଗିରଫ ଡ୍ରାଇଭର ପ୍ରକାଶ କରିଛନ୍ତି।