ଭାରତ ଫୋରକାଷ୍ଟ ସିଷ୍ଟମ’ର ଶୁଭାରମ୍ଭ

ନୂଆଦିଲ୍ଲୀ: ଏଣିକି ପଞ୍ଚାୟତସ୍ତରରେ ହେବ ପାଣିପାଗର ପୂର୍ବାନୁମାନ। ଏଥିପାଇଁ ଲଞ୍ଚ୍ ହୋଇଛି ‘ଭାରତ ଫୋରକାଷ୍ଟ ସିଷ୍ଟମ୍’ । ଏହି ସିଷ୍ଟମ ଦ୍ବାରା ପ୍ରତି ୬ କିଲୋମିଟର ରେଞ୍ଜରେ ପାଣିପାଗର ହେବ ସଠିକ୍ ଆକଳନ ।  ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ମଡେଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ।

ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମଡେଲ ଦ୍ବାରା ପଞ୍ଚାୟତସ୍ତରରେ ପାଣିପାଗର ପୂର୍ବାନୁମାନ କରିବାରେ ବିଶ୍ବର ପ୍ରଥମ ଦେଶ ଭାବେ ଇତିହାସ ସୃଷ୍ଟି କରିଛି ଭାରତ । IITM ଦ୍ବାରା ପ୍ରସ୍ତୁତ ଏହି ମଡେଲକୁ ଗତ ୩ବର୍ଷ ଧରି ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ଆଗରୁ ପ୍ରତି ୧୨ କିଲୋମିଟର ରେଞ୍ଜ ଭିତରେ ପାଣିପାଗର ପୂର୍ବାନୁମାନ କରୁଥିଲା ଭାରତୀୟ ପାଣିପାଗ ବିଭାଗ । ଏବେ ଭାରତ ଫୋରକାଷ୍ଟ ସିଷ୍ଟମ୍ ଦ୍ବାରା ପ୍ରତି ୬ କିମି ରେଞ୍ଜ ଭିତରେ ପାଣିପାଗର ପୂର୍ବାନୁମାନ କରାଯାଇପାରିବ । 

ଏହି ମଡେଲକୁ ପ୍ରତି ରାଜ୍ୟର ପଞ୍ଚାୟତଗୁଡ଼ିକ ସହ ସଂଯୋଗ କରାଯିବ । ମୌସମ ଆପ୍ ମାଧ୍ୟମରେ ନିଜ ଅଂଚଳର ପାଣିପାଗ ବିଷୟରେ ସୁବିଧାରେ ସଠିକ୍ ସୂଚନା ଜାଣିପାରିବେ ଚାଷୀ । ଭାରତ ପୂର୍ବାନୁମାନ ପ୍ରଣାଳୀ ବା ଭାରତ ଫୋରକାଷ୍ଟ ସିଷ୍ଟମ ଦ୍ନବାରା ସାଧାରଣ ସୁରକ୍ଷା, ଶକ୍ତି, ପରିବହନ, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ପୂର୍ବାନୁମାନ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି କହିଛନ୍ତି IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । 

ଏମିତିରେ ଆଗକୁ ପଞ୍ଚାୟତସ୍ତରରେ ପାଣିପାଗ ତଥା ବଜ୍ରପାତର ଆଗୁଆ ସୂଚନା ଚାଷୀକୂଳ ଓ ସାଧାରଣ ଲୋକଙ୍କୁ ସତର୍କ କରିପାରିବ । ବଜ୍ରପାତ ଜନିତ ଆଲର୍ଟ ଲୋକଙ୍କୁ ବିପଦରୁ ସୁରକ୍ଷା ଦେବା ସହ ବର୍ଷା ପବନର ପୂର୍ବାନୁମାନ ଚାଷୀଙ୍କୁ ସେମାନଙ୍କ ଚାଷର ସୁରକ୍ଷାକୁ ନେଇ ମଧ୍ୟ ସାହାଯ୍ୟ କରିବ । 

Leave a Reply

Your email address will not be published. Required fields are marked *