ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ବରେ ଦୋହାରେ ପହଞ୍ଚିଲା ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳ
ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ବରେ ଯାଇଥିବା ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳ ନିଜର ଚାରିଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ କାତାରର ରାଜଧାନୀ ଦୋହାରେ ପହଞ୍ଚିଛି। କାତାରର ଦୁଇଦିନିଆ ଗସ୍ତ ( ମେ ୨୪-୨୬) ପରେ ପ୍ରତିନିଧିମଣ୍ଡଳ ଦକ୍ଷିଣ ଆଫ୍ରିକା, ଇଥିଓପିଆ ଓ ଇଜିପ୍ଟ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିନିଧିମଣ୍ଡଳ କାତାରୀ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଣମାଧ୍ୟମ, ଶିକ୍ଷାଜଗତ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ଭାରତର ପକ୍ଷ ରଖିବ । ଏହି ପ୍ରତିନିଧିମଣ୍ଡଳରେ ସଂସଦର ଉଭୟ ଗୃହର ସଦସ୍ୟ, ପୂର୍ବତନ ମନ୍ତ୍ରୀ ଓ କୂଟନୀତିଜ୍ଞ ଅଛନ୍ତି । ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୁର ଓ ପରବର୍ତ୍ତୀ ଘଟଣାକ୍ରମ ପ୍ରେକ୍ଷାପଟ୍ଟରେ ଏହି ଗସ୍ତ ହେଉଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଓ କାକାରର ନେତୃବୃନ୍ଦ ପରସ୍ପରର ସଂପର୍କରେ ରହିଆସିଛନ୍ତି । କାତାରର ମହାମହିମ ଏମିର ଶେଖ ତମିମ୍ ବିନ ହମଦ ଅଲ-ଥାନି ଏବଂ ଭାରକର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ ୬ରେ ଟେଲିଫୋନରେ ଏସବୁ ଘଟଣାକ୍ରମ ସଂପର୍କରେ କଥା ହୋଇଥିଲେ । ସେହିପରି କାତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଜାସିମ ଅଲ-ଥାନି ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ମେ ୭ରେ ଟେଲିଫୋନରେ କଥାବାର୍ତ୍ତା କରିଥିଲେ । ଏପ୍ରିଲ ୨୩ରେ କାତାର ସରକାରଙ୍କ ତରଫରୁ କାତାରର ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା ଓ ସମାଲୋଚନା କରିଥିଲା ।
ଆତଙ୍କବାଦ ଓ ପହଲଗାମ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ସଂପର୍କରେ ନିଜର ଆଭିମୁଖ୍ୟକୁ ବିଶ୍ବ ସମୁଦାୟକୁ ଅବଗତ କରାଇବାକୁ ଭାରତ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ବିଭିନ୍ନ ଦେଶକୁ ପଠାଇଛି । ଏହି ପ୍ରତିନିଧିମଣ୍ଡଳ ମଧ୍ୟ ଆତଙ୍କବାଦ ବିରୋଧରେ ଭାରତର ଶୂନ ସହନଶୀଳତା ନୀତି ଏବଂ ସୀମାପାର ଆତଙ୍କବାଦର ମୁକାବିଲା ଲାଗି ସମଗ୍ର ଦେଶ ଏକତ୍ରିତ ଥିବା ବିଶ୍ବକୁ ଜଣାଇବ ।