ବାଲେଶ୍ୱରରେ‘ପଠାନ’ଫିଲ୍ମ ପ୍ରଦର୍ଶନ ବନ୍ଦ ଦାବି

ବାଲେଶ୍ୱର: ହିନ୍ଦୀ ଚଳଚିତ୍ର ‘ପଠାନ’ର ବେଶର୍ମ ରଙ୍ଗ ଗୀତ ଦୃଶ୍ୟରେ ନାୟିକା ଦୀପିକା ପାଦୁକୋନଙ୍କ ଗୈରିକ ରଙ୍ଗର ଅତି ସଂକ୍ଷିପ୍ତ ପୋଷାକ ପିନ୍ଧା ନୃତ୍ୟକୁ ନେଇ ପ୍ରତିବାଦର ସ୍ୱର ଉଠିଥିବା ବେଳେ ଏହାକୁ ବାଲେଶ୍ୱରରେ ପ୍ରଦର୍ଶନ ବନ୍ଦ ପାଇଁ ଦାବି ଉଠାଇଛି ଭାରତ ସୁରକ୍ଷା ମଞ୍ଚ । ମଞ୍ଚର ବାଲେଶ୍ୱର ଶାଖା ପ୍ରତିନିଧି ଦଳ ମଙ୍ଗଳବାର ଜିଲାପାଳଙ୍କୁ ସାକ୍ଷାତ ସହ ଏହି ଫିଲ୍ମରେ ଥିବା ବେଶର୍ମ ଗୀତଦୃଶ୍ୟ ମହାନ ଭାରତୀୟ ସଂସ୍କୃତି ପ୍ରତି କୋଠାରାଘାତ ବୋଲି କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ପଠାନ ଫିଲ୍ମିର ବେଶର୍ମ ଗୀତର ନାୟିକାଙ୍କ ଗେରୁଆ ରଙ୍ଗ ଅତି ସଂକ୍ଷିପ୍ତ ପୋଷାକ ପିନ୍ଧାନୃତ୍ୟ ନଗ୍ନତାର ସୀମା ଟପିଥିବା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ ହୋଇଛି । ଗୀତର ଦୃଶ୍ୟମାଧ୍ୟମରେ ଗୈରିକ ରଙ୍ଗକୁ ବେଶର୍ମ ରଙ୍ଗ ଭାବେ କୁହାଯାଇଥିବା ଭାରତ ରକ୍ଷା ମଞ୍ଚ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଗୈରିକ ତ୍ୟାଗ ଓ ଶୌର୍ଯ୍ୟର ପ୍ରତୀକ ହୋଇଥିବା ବେଳେ ଅତିପ୍ରାଚୀନ କାଳରୁ ଭାରତର ମୁନି, ରୁଷି, ସାଧୁ ସନ୍ୟାସୀମାନେ ଏହି ଗୌରିକ ରଙ୍ଗର ବସ୍ତ୍ରକୁ ହିଁ ପରିଧାନ କରିଥାନ୍ତି । ଏହି ଗୌରିକ ରଙ୍ଗର ଧ୍ୱଜ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ଉପରେ ଉଡ଼ିଥାଏ । ଭାରତର ଜାତୀୟ ପତାକାର ପ୍ରଥମ ଭାଗଟି ହେଉଛି ଗୌରିକ ରଙ୍ଗ । ଗୌରିକ ରଙ୍ଗକୁ ବେଶର୍ମ ରଙ୍ଗ କହିବା ଦ୍ୱାରା ଜାତୀୟ ପତାକାକୁ ଅପମାନ କରାଯାଉଅଛି । ଏହି ଚଳଚିତ୍ରକୁ ବାଲେଶ୍ୱର ଜିଲ୍ଲାର କୌଣସି ପ୍ରେକ୍ଷାଳୟରେ ନ ଦେଖାଇବାକୁ ଭାରତ ରକ୍ଷା ମଂଚ କର୍ମକର୍ତ୍ତାମାନେ ଦାବି କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *