ପିଲାଟି ସିନା ସାନ କିନ୍ତୁ  ଦାନତ ମହାନ

ଭାରତୀୟ ସେନାକୁ ନିଜର ସଞ୍ଚିତ ଅର୍ଥ ଦାନ କରି ଚର୍ଚ୍ଚିତ ହୋଇପାରିଛି ଜଣେ ୮ ବର୍ଷର ବାଳକ। ଯେଉଁ ବୟସର ପିଲା ଖେଳଣା କିଣିବାରେ ନିଜ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଥାନ୍ତି ସେହି ବୟସରେ ପିଲାଟି ସେନାକୁ ନିଜ ସଞ୍ଚିତ ଅର୍ଥ ଦାନ କରିଛି । ତାମିଲନାଡୁ କାରୁର ବାସିନ୍ଦା ୮ ବର୍ଷର ଏହି ବାଳକ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼େ। ସେ ନିଜ ପରିବାର ସଦସ୍ୟଙ୍କ ସହ କାରୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ସଞ୍ଚିତ ଅର୍ଥ ଦାନ କରିଛି । ଗତ ୧୦ ମାସ ହେବ ପରିବାର ଲୋକେ ଓ ସମ୍ପର୍କୀୟ ତାକୁ ଯେଉଁ ଅର୍ଥ ପ୍ରଦାନ କରିଥିଲେ ତାହାକୁ ସେ ଏକ ଡବାରେ ସଞ୍ଚୟ କରି ରଖୁଥ‌ିଲା। ସେହି ଡବାକୁ ନେଇ ସେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କୁ ହସ୍ତାନ୍ତର କରିଥିଲା । ସେନାବାହିନୀକୁ ସେ ଅର୍ଥ ପଠାଇବାକୁ ସେ ଜିଲାପାଳଙ୍କୁ କହିଥିଲା। ୮ ବର୍ଷ ବୟସ୍କ ପିଲାର ଏପରି ମାନସିକତା ଦେଖ୍ ଜିଲାପାଳ ଭାବବିହ୍ଵଳ ହୋଇ ପଡ଼ିଥିଲେ। ଅପେକ୍ଷାରତ ଗଣମାଧ୍ୟମକୁ ପିଲାଟି କହିଥିଲା ଯେ ସେନା ଯବାନ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ସଞ୍ଚିତ ଅର୍ଥ ଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପିଲାଟିକୁ ଏକାଧିକ ବ୍ୟକ୍ତି ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇ ଦର୍ଶାଇଛନ୍ତି ଛୋଟ ପିଲାଟି କେତେ ଟଙ୍କା ଦାନ କଲା ତାହା ବଡ଼ କଥା ନୁହେଁ। ତା’ର ମାନସିକତାକୁ ସମସ୍ତେ ପ୍ରଶଂସା କରିବା ଉଚିତ୍‌। ଅନ୍ୟଜଣେ ବ୍ୟକ୍ତି ଲେଖୁଛନ୍ତି ସେହି ଛୋଟ ପିଲା ଅନ୍ୟମାନଙ୍କ ନିମନ୍ତେ ଆଦର୍ଶ ପାଲଟିଛି।

Leave a Reply

Your email address will not be published. Required fields are marked *