ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ବ୍ରହ୍ମପୁର : ସୁସ୍ଥ, ସଶକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଏବେ ବି ଗୁରୁତ୍ୱପୂର୍ଣ୍ଣ ରହିଛି । ଦେବର୍ଷି ନାରଦ ଯେପରି ତିନିପୁରରେ ଖବରର ବାର୍ତ୍ତାବହ ଥିଲେ ଯାହା ସମାଜ ପାଇଁ ଏକ ସକରାତ୍ମକ ପ୍ରଭାବ ଆଣୁଥିଲା ତାହାକୁ ଏବେ ବି ଅନୁକରଣ କରାଯିବା ଉଚିତ । ଭାରତ ପ୍ରାଚୀନ କାଳରେ ବିଶ୍ୱ ଗୁରୁ ଥିଲା । ପୌରାଣିକ ଯୁଗରୁ ପ୍ରାକ୍ ସ୍ୱାଧୀନତା କାଳ ପର୍ଯ୍ୟନ୍ତ ଗଣମାଧ୍ୟମ ବିଭିନ୍ନ ରୂପରେ ସମାଜ ପ୍ରତି ତା\’ର ଉତ୍ତରଦାୟିତ୍ୱ ନିର୍ବାହ କରି ଆସୁଥିଲା । ଏବେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଅଗ୍ରଗତି ସତ୍ତ୍ୱେ ଖବରର ସତ୍ୟତା ଜାଣିବା ବେଳେ ବେଳେ କଷ୍ଟକର ହୋଇ ପଡୁଛି । ଏହା ସମାଜରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଏଣୁ ଏବେ ବି ସାମ୍ବାଦିକଙ୍କ ଦ୍ୱାରା ସତ୍ୟ, ନିରପେକ୍ଷ ଖବର ପରିବେଷଣ ନାରଦଙ୍କ ଯୁଗ ଭଳି ସମାଜ ଗଠନରେ ଗୁରୁତ୍ୱ ରଖେ । ବିଶ୍ୱ ସମ୍ବାଦ କେନ୍ଦ୍ର ଦ୍ୱାରା ମଙ୍ଗଳବାର ଦେବର୍ଷି ନାରଦ ଜୟନ୍ତୀ ସମାରୋହରେ ଏହା କହିଛନ୍ତି ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉଭୟ ପୂର୍ବ ଓ ପଶ୍ଚିମ ଉତ୍କଳ ପ୍ରାନ୍ତ ପ୍ରଚାର ପ୍ରମୁଖ (ରାଜ୍ୟ ମିଡିଆ ସେଲ୍ ମୁଖ୍ୟ) ସୃଷ୍ଟିଧର ବିଶ୍ୱାଳ । ଗୋସାଇଁନୂଆଗାଁ ଗୋପାଳକୃଷ୍ଣ ରଙ୍ଗମଞ୍ଚରେ ଏହି ଅବସରରେ ‘ଉତ୍କର୍ଷ ଓଡ଼ିଶା ଗଠନରେ ସାମ୍ବାଦିକଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ଡ. ବନ୍ଦିତା ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ଓଟିଭି ବ୍ୟୁରୋ ମୁଖ୍ୟ ତଥା ବ୍ରହ୍ମପୁର ପ୍ରେସ୍ କ୍ଲବ୍ ସଭାପତି ଅଶୋକ ବ୍ରହ୍ମା ମଞ୍ଚାସୀନ ଥିଲେ । ଡ. ପାଢ଼ୀ ବର୍ତ୍ତମାନ ସମୟରେ ସମାଜ ଗଠନ ଓ ସଂସ୍କାରରେ ଗଣମାଧ୍ୟମର ଭୂମିକା ଉପରେ କହିଥିବା ବେଳେ ଡ. ପଣ୍ଡା ବୈଷୟିକ କୌଶଳର ଉପଯୋଗ କରି ସତ୍ୟ ଖବର ପରିବେଷଣ ଓ ସମାଜ ଉପରେ ତାହାର ପ୍ରଭାବ ବାବଦରେ କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରେସ୍ କ୍ଲବ୍ ସଭାପତିଙ୍କ ସମେତ ଉପସଭାପତି ଅଭୟ ପାଢ଼ୀ, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହସମ୍ପାଦକ ଗୋପାଳ ରେଡ୍ଡୀ ଓ କୋଷାଧ୍ୟକ୍ଷ ଶିବ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେବର୍ଷି ନାରଦ ଜୟନ୍ତୀ ସମାରୋହ ସମିତି ସଂଯୋଜକ ପ୍ରହଲ୍ଲାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଆରଏସଏସ ସହ-ଜିଲ୍ଲା ପ୍ରଚାର ପ୍ରମୁଖ ମାଧବ ନାୟକ ପରିଚାଳନା କରିଥିଲେ