ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଆରଏସ୍‌ଏସ୍‌ର ଶୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଆରଏସ୍‌ଏସ୍‌ର ଶୋକ

ଭୁବନେଶ୍ୱର,ତା.୧୭/୦୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଇହଲୀଳା ସମ୍ବରଣ କରିଛନ୍ତି । ଡାକ୍ତର ପ୍ରଧାନ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତରହି ନୂଆଦିଲ୍ଲୀଠାରେ ଚିକିତ୍ସିତ ହୋଇଆସୁଥିଲେ ।

ଓଡିଶାରେ ବିଜେପିକୁ ପ୍ରତିଷ୍ଠାଦେବ ପାଇଁ ତାଙ୍କ କଠୋର ତପସ୍ୟାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ସର୍ବଦା ମିଷ୍ଟଭାଷି ଓ କଠୋର ପରିଶ୍ରମୀ ଡ଼ାକ୍ତର ଦେବେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ପଲ୍ଲୀ ପର୍ଯ୍ୟନ୍ତ ଗସ୍ତ କରି ଘରେଘରେ ଭାରତୀୟ ଜନତା ପାର୍ଟିକୁ ପରିଚିତ କରାଇଥିଲେ ।

୧୬ ଜୁଲାଇ ୧୯୪୧ରେ ଅନୁଗୁଳ ଜିଲ୍ଲା କଣିହା ଅନ୍ତର୍ଗତ ନଳମ ଗ୍ରାମରେ ମହେଶ୍ୱର ପ୍ରଧାନ ଓ ଚନ୍ଦ୍ରମାଦେବୀଙ୍କ ପୁତ୍ରଭାବେ ଡାକ୍ତର ପ୍ରଧାନ ଜନ୍ମଗ୍ରହଣ କରିଥିଲେ । ୧୯୬୬ରେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ୧୯୬୭ ସେପ୍ଟେମ୍ବରରେ ତାଳଚେରର ଡେରା ସ୍ଥିତ କୋଇଲା ଖଣି ଅଂଚଳର ଡାକ୍ତର ଭାବେ ସରକରୀ ଚାକିରୀରେ ଯୋଗଦେଇଥିଲେ । ୧୯୭୩ରେ ସେ ଚାକିରୀରୁ ଇସ୍ତଫା ଦେଇ ଘରୋଇ ଚିକିତ୍ସା ଆରମ୍ଭ କରିଥିଲେ । ୧୯୮୦ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଜଣେ ଭଲ ସଂଗଠକର ଭୂମିକା ନେଇଥିଲେ । ରାଜନୈତିକ ଜୀବନରେ ତଳସ୍ତରରୁ ସାଙ୍ଗଠନିକ କାର୍ଯ୍ୟକରି ଦଳର ଭିନ୍ନଭିନ୍ନ ଦାୟିତ୍ୱ ନେଇ ପରବର୍ତୀ ସମୟରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ । ଡାକ୍ତର ପ୍ରଧାନ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହେବା ସହ ରାଷ୍ଟ୍ରୀୟ ଉପସଭାପତି ଭାବେ ସୁଚାରୁରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ସଂଗଠନରେ ସେ ଥିଲେ ଅଜାତଶତ୍ରୁ । ସେ ସମସ୍ତଙ୍କୁ ଯେପରି ଭଲ ପାଉଥିଲେ ଅନ୍ୟମାନେ ମଧ୍ୟ ତାଙ୍କୁ ସେହିପରି ସମ୍ମାନ ଦେଉଥିଲେ । ତାଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ପ୍ରିୟଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣାରବିନ୍ଦରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ପ୍ରାର୍ଥନା କରିଛନ୍ତି ।

Leave a Reply