ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ

ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଦାବି

ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ

            ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଦାବି

            ଭୁବନେଶ୍ୱର, ତା୨୦।୩-  ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ  ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି।

            ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମଠାରେ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଥିଲେ। ଏଥି ସଙ୍ଗେସଙ୍ଗେ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା, ‘ସମାନ କାମକୁ ସମାନ ବେତନ’ ନୀତି ଲାଗୁ କରିବା, ୟୁ.ଜି.ସି. ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବା, ପେନସନ ପାଉନଥିବା ବେସରକାରୀ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ପେନସନ ପ୍ରଦାନ କରିବା, ବିଶ୍ବବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଶିକ୍ଷକ ଓ କୁଳପତି ନିଯୁକ୍ତ କରିବା, ବେସରକାରୀ କଲେଜର ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କୁ ଯଥାକ୍ରମେ ସହକାରୀ ପ୍ରଫେସର ଓ ସହଯୋଗୀ ପ୍ରଫେସର ରୂପେ ନାମିତ କରିବା, ଶିକ୍ଷକ-ଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟାବଳୀର ସମାଧାନ କରିବା ଆଦି ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ପ୍ରତିନିଧିଦଳରେ ଡକ୍ଟର ସରୋଜ କୁମାର ଦାସ, ଡକ୍ଟର ବିପ୍ଳବ କୁମାର ଗୁରୁ, ଡକ୍ଟର ବିଶ୍ୱମୋହନ ଜେନା, ଡକ୍ଟର ବିକଳି ଚରଣ ଦାସ, ମଦନମୋହନ ମହଲା ଓ ଡକ୍ଟର ନାରାୟଣ ମହାନ୍ତି ଅନ୍ତର୍ଭୁକ୍ତ ଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ବୋଲି ମହାସଂଘ ପକ୍ଷରୁ ଆଜି ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *