ଶିଳ୍ପ ଅଭିବୃଦ୍ଧିରେ ବଡ଼ ଲମ୍ଫ
ପ୍ରମୁଖ ରାଜ୍ୟଙ୍କ ଠାରୁ ଆଗରେ ଓଡ଼ିଶା
ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା। ଏ କ୍ଷେତ୍ରରେ ଛତିଶଗଡ଼ ପରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି। ୨୦୧୭-୧୮ରୁ ୨୦୨୩-୨୪ ଅବଧିରେ ରାଜ୍ୟର ଶିଳ୍ପ କ୍ଷେତ୍ରର ହାରାହାରି ଅଭିବୃଦ୍ଧି ଅଛି ୮.୩% । ଏହି ଅବଧୂରେ ଛତିଶଗଡ଼ର ଶିଳ୍ପ କ୍ଷେତ୍ର ୯% ହାରରେ ବଢ଼ିଥିବା ରାଜ୍ୟ ଅର୍ଥନୈତିକ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।
ତୃତୀୟ ସ୍ଥାନରେ ଝାଡ଼ଖଣ୍ଡ ଥିବା ବେଳେ ଏହା ୭.୪% ହାରରେ ଅଭିବୃଦ୍ଧି କରିଛି। ଏହା ପରେ ଆନ୍ଧ୍ର ପ୍ରଦେଶ ୭.୧%, ପଶ୍ଚିମବଙ୍ଗ ୬.୧%, ବିହାର ୬.୭%, ଗୁଜରାଟ ୬.୨%, ତେଲଙ୍ଗାନା ୬.୨%, ପଞ୍ଜାବ, ତାମିଲନାଡୁ ୬%, ମଧ୍ୟପ୍ରଦେଶ ୫.୩%, ହରିୟାଣା ୫.୧%, ଉତ୍ତର ପ୍ରଦେଶ ୪.୬, କର୍ଣ୍ଣାଟକ ୪%, ରାଜସ୍ଥାନ ୩.୫%, କେରଳ ୩.୧% ଏବଂ ମହାରାଷ୍ଟ୍ର ୨.୬% ହାରାହାରି ଶିଳ୍ପ ଅଭିବୃଦ୍ଧି ହାସଲ କରିଛି।
ଏହାକୁ ଦେଖିଲେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟଗୁଡିକୁ ମଧ୍ୟ ଶିଳ୍ପ ଅଭିବୃଦ୍ଧିରେ ପଛରେ ପକାଇ ଦେଇଛି। ୨୦୨୪-୨୫ର ଅଗ୍ରିମ ଆକଳନକୁ ଦେଖିଲେ, ଶିଳ୍ପ କ୍ଷେତ୍ର ସ୍ଥାୟୀ ମୂଲ୍ୟ ହିସାବରେ ୬.୧% ହାରରେ ବଢ଼ିବ। ସେହିଭଳି ଶିଳ୍ପର ଉପକ୍ଷେତ୍ରକୁ ଦେଖିଲେ ଖଣି ଓ ଆନୁସଙ୍ଗିକ ୪.୫%, ବିନିର୍ମାଣ ୬%, ବିଜୁଳି ଏବଂ ଅନ୍ୟନ୍ୟ ସେବା ୭.୧%, ନିର୍ମାଣ ୮% ହାରରେ ବଢ଼ିବ।
ରାଜ୍ୟର ଶିଳ୍ପ କ୍ଷେତ୍ର ଏବେ ଦ୍ରୁତ ଅଭିବୃଦ୍ଧି ପଥରେ ରହିଛି। ୨୦୧୨-୧୩ରେ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ବିନିର୍ମାଣ କ୍ଷେତ୍ରର ଯୋଗଦାନ ୪୨.୬% ଥିବା ବେଳେ ୨୦୨୪-୨୫ରେ ୫୨.୬%କୁ ବଢ଼ିବା ଅନୁମାନ ରହିଛି। ଅନ୍ୟ ପଟେ ରାଜ୍ୟ ନିବେଶର ଏକ ଆକର୍ଷଣୀୟ ସ୍ଥଳ ଭାବେ ଉଭା ହେଉଛି। ୨୦୨୧-୨୨ରେ ରାଜ୍ୟରେ ୧୭ଟି କ୍ଷେତ୍ର ନିବେଶ ଲାଗି ଆଗ୍ରହ ଦେଖାଇଥିଲେ। ଏହା ୨୦୨୪-୨୫ ତୃତୀୟ ତ୍ରୈମାସ
ସୁଦ୍ଧା ୪୮କୁ ବୃଦ୍ଧି ହୋଇଛି। ରାଜ୍ୟରେ କେବଳ ପାରମ୍ପରିକ କ୍ଷେତ୍ରଗୁଡ଼ିକ ନିବେଶ ନେଇ ଆଗ୍ରହ ଦେଖାଉନାହାଁନ୍ତି ା ଉଦୀୟମାନ କ୍ଷେତ୍ରରୁ ମଧ୍ୟ ନିବେଶ ଆଗ୍ରହ ବୃଦ୍ଧି ପାଇଛି। ଏହା ମଧ୍ୟ ଟିଟାନିୟମ ଓ ଏରୋସ୍ପେଶ, ସର୍କୁଲାର ଇକୋନୋମି, ଖାଦ୍ୟ ପ୍ରକ୍ରିୟାକରଣ ପ୍ୟାକେଜିଂ, ଏଟ୍ରି ପ୍ରୋସେସିଂ ଆଣ୍ଡ୍ ଇଣ୍ଡଷ୍ଟ୍ରି, ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ, ସେମିକଣ୍ଡକ୍ଟର, ରବର, ଗ୍ରୀନ ଏନର୍ଜି ଇକ୍ସିପମେଣ୍ଟ, ଗ୍ରୀନ ହାଇଡ୍ରୋଜେନ ଆମୋନିଆ, ପ୍ୟାକେଜିଂ, ଟେକ୍ନିକାଲ ଟେକ୍ସଟାଇଲ, ଅକ୍ଷୟ ଶକ୍ତି, ଆଇଟି- ଆଇଟିଇଏସ, ଫାର୍ମା, ଅକ୍ଷୟ ଶକ୍ତି ଇକ୍ସିପମେଣ୍ଟ, ରେୟାର ଅର୍ଥ, ବିମାନ ଇନ୍ଧନ, ଇଏସ୍ଏମ, କମ୍ରେସଡ ବାୟୋ ଗ୍ୟାସ ଏବଂ ଇ-ଯାନ ରହିଛି। ୨୦୧୭-୧୮ରୁ ୨୦୨୩-୨୪କୁ ଦେଖିଲେ, ଅନୁମୋଦିତ ନିବେଶ ପରିମାଣ ବଢ଼ିଛି ୧୩. ୮ ଗୁଣ। ୨୦୧୭-୧୮ରେ ଏହା ୧.୩ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ୨୦୨୪-୨୫ ତୃତୀୟ ତ୍ରୈମାସରେ ୧୭.୪ ଲକ୍ଷ କୋଟିକୁ ବଢ଼ିଛି। ଏହି ଅବଧୂରେ ନିଯୁକ୍ତି ସମ୍ଭାବନା ୧୫.୮ ଗୁଣ ବୃଦ୍ଧି ହୋଇ ୦.୭ ଲକ୍ଷରୁ ୧୧.୫ ଲକ୍ଷକୁ ବଢ଼ିଛି। ରାଜ୍ୟର ବିନିର୍ମାଣ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ଖଣି କ୍ଷେତ୍ର ପ୍ରମୁଖ ଯୋଗଦାନ ଦେଉଛି। ୨୦୨୩-୨୪ରେ ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଅଂଶ ୪୫% ରହିଛି।