ମହାକୁମ୍ଭରେ ବୁଡ଼ ପକାଇଛନ୍ତି ୩ ୦ ଲକ୍ଷ ବିଦେଶୀ

ମହାକୁମ୍ଭରେ ବୁଡ଼ ପକାଇଛନ୍ତି ୩ ୦ ଲକ୍ଷ ବିଦେଶୀ
ନୂଆଦିଲ୍ଲୀ: ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃୟାରୀ 26 ତାରିଖ ବୁଧବାର (ମହାଶିବରାତ୍ରି)ରେ ଶେଷ ହୋଇଛି। ୪୫ ଦିନ ଧରି ଚାଲିଥିବା ଏହି ବିଶାଳ ଧାର୍ମିକ ସମାବେଶରେ ପ୍ରାୟ ୬୬ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ୩୦ ଲକ୍ଷ ବିଦେଶୀ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ମହାକୁମ୍ଭରେ ଗଙ୍ଗା ସ୍ନାନ କରିଥିବା ବିଦେଶୀ ନାଗରିକମାନେ ନିଆରା ଅନୁଭୂତି ପାଇଥିବା ସ୍ଵୀକାର କରିଛନ୍ତି । ଭିନ୍ନ ଧର୍ମାବଲମ୍ବୀ ହୋଇଥିବା ସତ୍ତ୍ଵେ ତ୍ରିବେଣୀରେ ବୁଡ଼ ପକାଇବା ତାଙ୍କ ଜୀବନରେ ଏକ ମାଇଲଖୁଣ୍ଟ ବୋଲି ଆମେରିକାର କାଲିଫର୍ଣ୍ଣିଆରୁ ଆସିଥିବା ଲୋଲି କହିଛନ୍ତି । ମେକ୍ସିକୋରୁ ଆସିଥିବା ଆନ୍ନା କହିଛନ୍ତି ଯେ ମହାକୁମ୍ଭରେ ବିଭିନ୍ନ ଧର୍ମ ଓ ବିଭିନ୍ନ ଦେଶର ନାଗରିକଙ୍କୁ ଦେଖ୍ ଏକତାର ଭାବ ସୃଷ୍ଟି ହୋଇଛି। ବିଦେଶୀ ହୋଇଥବା ସତ୍ତ୍ୱେ ଭାରତବାରସୀ ସେମାନଙ୍କୁ ଯେଭଳି ଆତିଥ୍ୟତା ପ୍ରଦାନ କରିଛନ୍ତି, ତାହା ଅବିସ୍ମରଣୀୟ ବୋଲି ଇଟାଲୀରୁ ବୁଡ଼ ପକାଇବାକୁ ଆସିଥିବା ଆଣ୍ଟୋନିଓ କହିଛନ୍ତି । ରାମୋନ ନାମକ ଅନ୍ୟ ଜଣେ ମେକ୍ସିକୋ ନାଗରିକ କହିଛନ୍ତି ଯେ ସେ ପୂର୍ବରୁ ଭାରତ ଆସିଛନ୍ତି। ତେବେ ମହାକୁମ୍ଭ ଅବସରରେ ମିଳିଥିବା ଅନୁଭୂତି ନିଆରା ବୋଲି ସେ କହିଛନ୍ତି। ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଯେଭଳି ଧ୍ୟାନ ଦିଆଯାଇଥିଲା, ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ଅଧିକାଂଶ ବିଦେଶୀ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି।
ସ୍ପେନୀୟ ନାଗରିକ ଜୋସ୍ ଏଥର ବ୍ରାଜିଲ, ପର୍ତ୍ତୁଗାଲର କେତେକ ବନ୍ଧୁଙ୍କ ସହ ମହାକୁମ୍ଭକୁ ଆସିଥିଲେ । ଭାରତ ଏବଂ ଭାରତର ସଂସ୍କୃତି, ପରମ୍ପରାକୁ ବୁଝିବା ପାଇଁ ଏହା ଏକ ବିଶେଷ ମୁହୂର୍ଭ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଫେବୃଆରୀ ୧ରେ କେତେକ ବିଦେଶୀ ରାଷ୍ଟ୍ରଦୂତଙ୍କ ସମେତ ୧୧୮ ଜଣିଆ ବିଦେଶୀ ପ୍ରତିନିଧୂମଣ୍ଡଳ ସଙ୍ଗମରେ ପୁଡ଼ ପକାଇଥିଲେ ।

Leave a Reply

Your email address will not be published. Required fields are marked *