ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ଜାତୀୟ ରାଜପଥ ପାଲଟିଲାଣି ଗୋଚାଲାଣ କରିଡର୍‌

ଗୋଚାଲାଣ କରିଡର୍‌ ‘୪୯ ନମ୍ବର ରାଜପଥ’
କଳାବାଡ଼ିଆ, ୨୭|୨ : ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ଜାତୀୟ ରାଜପଥ ପାଲଟିଲାଣି ଗୋଚାଲାଣ କରିଡର୍‌ । ଖାସ୍ କରି ଏହି ରାଜପଥରୁ ବାଙ୍ଗିରିପୋଷି-କଳାବାଡ଼ିଆ ଏମତିଆର-୪୫ ରାସ୍ତାରେ ବଡ଼ବଡ଼ କଣ୍ଟେନର ଓ ପିକ୍‌ଅପ୍‌ରେ ଅବାଧ ଗୋଚାଲାଣ ହେଉଛି। ହେଲେ ଏହାକୁ ରୋକାଯାଉନି ଫଳରେ ଗୋରୁ ଚାଲାଣକାରୀ ନିଜ ସାମ୍ରାଜ୍ୟ ବିସ୍ତାର କରିବା ଲାଗିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ; ପ୍ରତ୍ୟେକ ଥାନା ଅଞ୍ଚଳରେ ନିଜର ଖବରଦାତା ରଖିଛନ୍ତି ଗୋରୁ ଚାଲାଣକାରୀ। ରାତିରେ ପୁଲିସର ସମସ୍ତ ଗତିବିଧି ବାବଦରେ ସେମାନେ ଆଗୁଆ ସୂଚନା ଦେଉଛନ୍ତି। ସେମାନଙ୍କ ତଥ୍ୟ ଆଧାରରେ ମାଫିଆମାନେ ଥାନା ଆଗ ଦେଇ ଗୋରୁ ଗାଡ଼ି ନେଉଥିଲେ ବି ପୁଲିସ ଏହାର ଟେର୍ ପାଉନି ସେହିପରି କିଛି ଥାନା ଅଞ୍ଚଳରେ ତଳିଆ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ କାମ କରାଇ ନେଉଛନ୍ତି ମାଫିଆ।
ପୂର୍ବତନ ଥାନା ଅଧିକାରୀ କମଳାକାନ୍ତ ଦାସ ଓ ସଂଜୟ ପରିଡ଼ାଙ୍କ ସମୟରେ ବାଙ୍ଗିରିପୋଷି ଥାନା ଅଞ୍ଚଳ ଗୋରୁଗାଡ଼ି ନେବାକୁ ଭୟ କରୁଥିଲେ ମାଫିଆ। ହେଲେ ଏହି ଅଧିକାରୀମାନେ ଅନ୍ୟତ୍ର ବଦଳି ହୋଇଯିବା ପରେ ପୁଣି ଗୋରୁ ଚାଲାଣ ରାକେଟ୍ ସକ୍ରିୟ ହୋଇଉଠିଲା, ଯାହା ଏବେ ବି ଜାରି ରହିଛି ବୋଲି ଅଭିଯୋଗ ହେଉଛି। ତେବେ ଦିନ କେଇଟା ତଳେ ଏହି ଥାନାର ନୂତନ ଅଧିକାରୀ ଭାବେ ଯୋଗ ଦେଇଛନ୍ତି ବିରେନ୍ଦ୍ର କୁମାର ସେନାପତି। ଏନେଇ ଶ୍ରୀ ସେନାପତିଙ୍କ କହିବା କଥା; ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମାଫିଆଙ୍କ ଖବରଦାତା ଭାବେ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରଥମେ ଧରାଯିବ। ଏହାଦ୍ଵାରା ଏହି ବେଆଇନ୍ ସିଷ୍ଟ୍ରିକେଟ୍ ଭାଙ୍ଗିଯିବ ଓ ମାଫିଆଙ୍କୁ ଧରିବା ସହଜ ହେବ ।

Leave a Reply

Your email address will not be published. Required fields are marked *