ବର୍ଷମାନ ଶିଳ୍ପପତିଙ୍କୁ ସୁହାଇଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

କେନ୍ଦୁଝରରେ ୧୩ଟି ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଚୁକ୍ତି
କେନ୍ଦୁଝର, ୨୭/୨: ବର୍ଷବର୍ଷ ଧରି ବୃହତ୍ ଷ୍ଟିଲ ପ୍ଲାଣ୍ଟ ପାଇଁ କେନ୍ଦୁଝରବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ବିରୋଧୀ ଦଳର ବିଧାୟକ ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ମେଗା ପ୍ଲାଣ୍ଟ ପାଇଁ ଦାବି କରିଥିଲେ। ରାଜ୍ୟ ଶାସନ ଭାର ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତି ହିଁ କେନ୍ଦୁଝରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିଙ୍କୁ ସୁହାଇଛି। ଯେଉଁଥିପାଇଁ କେନ୍ଦୁଝରବାସୀ ଗୋଟିଏ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଦାବି କରୁଥିବାବେଳେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ୧୩ଟି ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ହୋଇଛି।
କେନ୍ଦୁଝର ଜିଲ୍ଲାରେ କଞ୍ଚାମାଲ୍ ପାଇଁ ଖଣି ଅଛି ଶିଳ୍ପ ଚାଲିବା ପାଇଁ ବୈତରଣୀ ନଦୀ ଅଛି। ଖଣି, ପାଣି ଓ ଭିତ୍ତିଭୂମି ଥିବା ସତ୍ତ୍ବେ ଏଠାରେ
ବୃହତ୍ ଶିଳ୍ପ ପ୍ରତିଷ୍ଠା ଦାବି ପୂରଣ ହେଉ ନ ଥିଲା। ପୂର୍ବରୁ ଏକାଧିକ ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତିନାମା ହୋଇଥିଲେ ବି ଶିଳ୍ପ ପ୍ରତିଷ୍ଠା ହୋଇ ନ ଥିଲା। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲାର ପାଣି, ଖଣି ବ୍ୟବହାର କରି କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଳାଣ୍ଟ ପାଇଁ ସରକାର ଚୁକ୍ତିନାମା କରିବାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରି ପାରିନଥିଲେ। ବୁଦ୍ଧିଜୀବୀ, ପ୍ରେସ ଫୋରମ୍, ଆଇନଜୀବୀ ପ୍ରମୁଖ ମିଳିତ ଭାବେ ଏହାର ପ୍ରତିବାଦ କରିବା ସହିତ କେନ୍ଦୁଝର ସଦର ମହକୁମାରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ରାଜ୍ୟ ସରକାର ବାଧ୍ୟ ହୋଇ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏକ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଡ ହେବ ବୋଲି ଘୋଷଣା କରିଥିଲେ। ପରବର୍ତୀ ରୁଙ୍ଗଟା ଷ୍ଟିଲ ସହିତ ଚୁକ୍ତନାମା ସ୍ବାକ୍ଷର ହୋଇଥିଲା। ରୁଇଂଟା ଷ୍ଟିଲ୍ ପ୍ଲାଣ୍ଟ କାରାଖେଣ୍ଡରାରେ ପ୍ରତିଷ୍ଠା ପାଇଁ ସ୍ଥିର ହେଲା| ଏଥିପାଇଁ ରୁଙ୍ଗଟା କମ୍ପାନି ୭ ହଜାର ୯୨୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମାକୁ ଚାରି ବର୍ଷ ବର୍ଷ ବିତି ଗଲାଣି । କିନ୍ତୁ ଏହି ବୃହତ୍ ଷ୍ଟିଲ ପ୍ଲାଣ୍ଟ ପାଇଁ ମାଟି ମୁଠେ ବି ପଡ଼ିନାହିଁ କି ଶୁଭ ଦିଆଯାଇନାହିଁ।
ଉତ୍କର୍ଷ ଓଡ଼ିଶାରେ କେନ୍ଦୁଝର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କଲେ ସମସ୍ତ ସୁବିଧାସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍କର୍ଷ ଓଡ଼ିଶାରେ କେନ୍ଦୁଝର ଜିଲ୍ଲାରେ ୧୩ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଏହି ତାଲିକାରେ ରହିଛି, କ୍ରାକରସ ଇଣ୍ଡିଆ ଲିମିଟେଡ, ହୀରା ଇନଫ୍ରାଟେକ୍, ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର, ଜେଏସଡବ୍ଲ୍ୟୁ, ଓସିଏଲ ଆଇରନ ଆଣ୍ଡ ଷ୍ଟିଲ, ଶ୍ରୀ ବଜରଙ୍ଗ ପାଓ୍ବାର ଆଣ୍ଡ୍ ଇସ୍ପାତ, ଶ୍ରୀ ମେଟାଲିକ୍ସ, ସୁପର ସ୍କେଲଟର୍ସ, ଟେକ୍ ଏଆଇସି ପିଲେଟସ୍, ଶ୍ୟାମ ଷ୍ଟିଲ ୱାର୍କସ, ଜୟ ବାଲାଜୀ ଲିମିଟେଡ, ରୁଙ୍ଗଟା ସନସ୍ ଲିମିଟେଡ ସହିତ ରାଜ୍ୟ ସରକାର ଚୁକ୍ତିନାମା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଏହି ୧୩ଟି କମ୍ପାନି କେବଳ ଲୁହାପଥରଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା କରିଛନ୍ତି |

Leave a Reply

Your email address will not be published. Required fields are marked *