ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ସମ୍ପର୍କରେ କୌଣସି ପ୍ରକାର ମନ୍ତବ୍ୟ ଦେବାର ଅଧିକାର ତୁର୍କୀ ପାଖରେ ନାହିଁ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଦୋଗାନ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଭାରତ ଦୃଢ ବିରୋଧ କରିଛି। ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ଏର୍ଦୋଗାନଙ୍କ ମନ୍ତବ୍ୟ ଅନାବଶ୍ୟକ ଓ ନିନ୍ଦନୀୟ। ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ସମ୍ପର୍କରେ କୌଣସି ପ୍ରକାର ମନ୍ତବ୍ୟ ଦେବାର ଅଧିକାର ତୁର୍କୀ ପାଖରେ ନାହିଁ। ଜାମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। କାଶ୍ମୀର ସମସ୍ୟା ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ କିପରି ସମାଧାନ କରାଯିବ ତାହା ଭାରତର ନିଜସ୍ବ ନିଷ୍ପତ୍ତି ପରିସର। ଏଥିରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କିମ୍ବା ମତାମତ ଦେବା ଉଚିତ୍ ନୁହେଁ। ଏର୍ଦୋଗାନଙ୍କ ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିବା ସହିତ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥିତ ତୁର୍କୀ ରାଷ୍ଟ୍ରଦୂତଙ୍କ ନିକଟରେ ପ୍ରତିବାଦ ଜଣାଇଛି। ଭାରତ କହିଛି ଯେ ଏର୍ଦୋଗାନ ଜାମ୍ମୁ-କାଶ୍ମୀର ସମସ୍ୟା ପରିବର୍ତ୍ତେ ପାକିସ୍ତାନର ସୀମା ପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆନ୍ତର୍ଜାତିକ ମହଲରେ ଉଠାଇବା ଦରକାର। ଗତ ସପ୍ତାହରେ ଏର୍ଦୋଗାନ କହିଥିଲେ ଯେ କାଶ୍ମୀର ସମସ୍ୟାକୁ ଜାତିସଂଘ ପ୍ରସ୍ତାବ ଆଧାରରେ ସମାଧାନ କରାଯିବା ଦରକାର। କାଶ୍ମୀରବାସୀଙ୍କ ଆଶା ଓ ଆକାଂକ୍ଷା ଆଧାରରେ ଏହାର ସମାଧାନ ହେବା ଉଚିତ୍। ସେ ଆହୁରି କହିଥିଲେ କାଶ୍ମୀର ଭାଇଙ୍କ ସହିତ ତୁର୍କୀ ପୂର୍ବପରି ତାର ସମର୍ଥନ ବଜାୟ ରଖିଛି। କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ମହଲରେ ଉଠାଇବା ଲାଗି ତୁର୍କୀକୁ ପାକିସ୍ତାନ ବାରମ୍ବାର ଉସକାଉଛି। ମାତ୍ର ଭାରତ କହୁଛି ଯେ କାଶ୍ମୀର ହେଉଛି ଭାରତ-ପାକିସ୍ତାନର ଦ୍ବିପାକ୍ଷିକ ସମସ୍ୟା। ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁଗ୍ରହଣ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *