‘ପ୍ରଦୂଷିତ ହୋଇନି ଗଙ୍ଗା ଜଳ’

ମହାକୁମ୍ଭରେ ବୁଡ଼ ପକାଇଲେଣି ୫୮ କୋଟି ଶ୍ରଦ୍ଧାଳୁ

ଲକ୍ଷ୍ନୌ: ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଏ ପର୍ଯ୍ୟନ୍ତ ପ୍ରାୟ ୫୮ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଲେଣି। ଏତେ ସଂଖ୍ୟକ ଶ୍ରଦ୍ଧାଳୁ ସ୍ନାନ କରିବା ଦ୍ବାରା ଗଙ୍ଗା ଜଳ ପ୍ରଦୂଷିତ ହେବାରେ ଲାଗିଛି ବୋଲି ଯେଉଁ ଅଭିଯୋଗ ହେଉଛି, ତାହାକୁ ରାଜ୍ୟ ସରକାର ଅସ୍ବୀକାର କରିଛନ୍ତି। ମହାକୁମ୍ଭ ପୂର୍ବରୁ ଗଙ୍ଗା ଜଳ ଯେପରି ସ୍ଵଚ୍ଛ ଓ ପବିତ୍ର ଥିଲା, ବର୍ତ୍ତମାନ ମଧ୍ୟ ସେହି ସ୍ଥିତି ରହିଛି ବୋଲି ଏକ ପ୍ରେସ ବିବୃତିରେ କୁହାଯାଇଛି। ସୂଚନାଯୋଗ୍ୟ ଗଙ୍ଗା ଜଳରେ ଫେକାଲ କୋଲିଫର୍ମ ନାମକ ଜୀବାଣୁ ସୃଷ୍ଟି ହେଉଛନ୍ତି ବୋଲି ସିପିସିବି (କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ପକ୍ଷରୁ ଜାତୀୟ ସବୁଜ ପ୍ରାଧୂକରଣ (ଏନଜିଟି) ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିପିସିବି ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ସଙ୍ଗମ ଜଳ ଏବେ ମଧ୍ୟ ସ୍ନାନୋପଯୋଗୀ ରହିଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ଡା. ଅଜୟ କୁମାର ସୋନ୍‌କର ନାମକ ଜଣେ ଖ୍ୟାତନାମା ବୈଜ୍ଞାନିକ ଇତିମଧ୍ୟରେ ସଙ୍ଗମ ସ୍ଥଳୀର ୫ଟି ପ୍ରମୁଖ ଘାଟରୁ ଗଙ୍ଗା ଜଳ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିଲେ। ଏହାକୁ ଭଲଭାବେ ଯାଞ୍ଚ କରାଯିବା ପରେ କୌଣସି ଜୀବାଣୁର ଉପସ୍ଥିତି ମିଳିନଥିବା ରିପୋର୍ଟରୁ
ଜଣାପଡିଛି । ରିପୋର୍ଟରେ ଦର୍ଶାଯାଇଥିବା ଅନ୍ୟ ଏକ ସୂଚନା ମୁତାବକ ଗଙ୍ଗା ଜଳରେ ୧୧୦୦ ପ୍ରଜାତିର ଜୀବାଣୁ ରହିଥିବାବେ ସେଗୁଡିକ ଅନ୍ୟ କ୍ଷତିକାରକ ଜୀବାଣୁକୁ ନଷ୍ଟ କରୁଛନ୍ତି । ଏହି ପ୍ରସଙ୍ଗରେ ଡା. ସୋନ୍‌ର କହିଛନ୍ତି ଯେ ଯଦି ଗଙ୍ଗା ଜଳ ପ୍ରଦୂଷିତ ହୋଇଥାନ୍ତା, ତେବେ ଦେଶବିଦେଶର ଗଣମାଧ୍ୟମ ଏ ପର୍ଯ୍ୟନ୍ତ ଚୁପ୍ ହୋଇ ବସିନଥାନ୍ତେ। ଏ ପରିକି ଅସୁସ୍ଥ ରୋଗୀଙ୍କୁ ନେଇ ଡାକ୍ତରଖାନାଗୁଡିକ ଭର୍ତ୍ତି ହୋଇସାରନ୍ତାଣି। ଗଙ୍ଗା ଜଳର ନମୁନା ସଂଗ୍ରହ କରି ଖ୍ୟାତିସମ୍ପନ୍ନ ପରୀକ୍ଷାଗାରକୁ ପଠାଇବାକୁ ସେ ସିପିସିବି କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *