ଭୁବନେଶ୍ଵର: ଓଡ଼ିଶାକୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଛି। ବିଶେଷକରି ବାଂଲାଦେଶୀ ଅନୁପ୍ରବେଶକାରୀ ଚିନ୍ତାର କାରଣ ହୋଇଛନ୍ତି। ବାଂଲାଦେଶ ପାସ୍ପୋର୍ଟକୁ କେତେକ ଦେଶ ଗ୍ରହଣ କରୁନଥିବାବେଳେ ଭାରତର ନାଗରିକଙ୍କୁ ଅନ୍ୟ ଦେଶ ପାଛୋଟି ନେଉଛନ୍ତି। ଏହାର ଫାଇଦା ସେମାନେ ଉଠାଉଛନ୍ତି। କଲକାତା ବାଟେ ଅନୁପ୍ରବେଶକାରୀ ଓଡ଼ିଶା ଆସୁଛନ୍ତି। ପ୍ରଥମେ ଫେରି ବେପାର କରି ରହୁଛନ୍ତି। ପରେ ପାସ୍ପୋର୍ଟ ପ୍ରସ୍ତୁତ କରି ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି । ରାଜ୍ୟ ପାଇଁ ଏହା ବିପଦ ସୃଷ୍ଟିକରିଛି। ଭାରତ-ବାଂଲାଦେଶ ସୀମାରେ ଥିବା ପଠାରିଆ ଜଙ୍ଗଲ ଦେଇ ସେମାନେ ଭାରତକୁ ପ୍ରବେଶ କରୁଛନ୍ତି । ଭାରତର ଉକ୍ତ ଜଙ୍ଗଲ ଏବେ ବାଂଲାଦେଶୀଙ୍କ ଦଖଲରେ ରହିଛି । ସେମାନେ ଉକ୍ତ ଜଙ୍ଗଲରେ ପାନଚାଷ କରି ଚଳୁଛନ୍ତି।
ପୁଲିସ ସୂଚନାନୁଯାୟୀ, ଏମାନଙ୍କ ମାଧ୍ୟମରେ ଅତଙ୍କବାଦୀ ଗୋଷ୍ଠୀ ସକ୍ରୀୟ ହେଉଛନ୍ତି। ସେମାନେ ବିଭିନ୍ନ ଦେଶର ବିମାନବନ୍ଦରରେ ଜଗି ରହିଛନ୍ତି। ଭାରତରୁ ଯାଇଥିବା ନାଗରିକଙ୍କୁ ସେମାନେ ପଚରାଉଚରା କରୁଛନ୍ତି। ଅନୁପ୍ରବେଶକାରୀ ଜାଣିବା ମାତ୍ରେ ସେମାନେ ତାଙ୍କୁ ଆଦରି ନେଉଛନ୍ତି । ପ୍ରଲୋଭନ ଦେଖାଇ ବାଂଲାଦେଶୀଙ୍କୁ ନିଜ ପାଖରେ ରଖୁଛନ୍ତି । ସେମାନଙ୍କୁ ନିଜ ଗୋଷ୍ଠୀରେ ସାମିଲ କରି ତାଲିମ ଦେବା ପରେ ପାକିସ୍ତାନକୁ ଛାଡୁଛନ୍ତି । ଗତ କିଛି ଦିନ ତଳେ ବସିର୍ ନାମକ ଯୁବକ ପାସ୍ପୋର୍ଟ କରିବାକୁ ଆସି ପୁଲିସ ହାତରେ ଧରାପଡ଼ିଥିଲା । ତାକୁ ଜେରା କରିବା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଥିଲା। ଏହାର କିଛି ଦିନ ପରେ ବସିର୍ ଭଳି ଆଉ କିଛି ଯୁବକଙ୍କୁ ପାସ୍ପୋର୍ଟ କାର୍ଯ୍ୟାଳୟ ନିକଟରୁ କମିସନରେଟ ପୁଲିସ ଧରିଥିଲା । ଏହିପରି ଭାବେ ହଜାର ହଜାର ବାଂଲାଦେଶୀ ଭାରତକୁ ଅନୁପ୍ରବେଶ କରୁଥିବା ଜେରାରେ ଅଭିଯୁକ୍ତ ବସିର୍ ପୁଲିସ ସମ୍ମୁଖରେ ମାନିଥିଲା। ବାଂଲାଦେଶୀମାନେ ଏଠାରେ କିଛି ଦିନ ରହିବା ପରେ ଭୋଟ ପରିଚୟପତ୍ର ଓ ଆଧାର କାର୍ଡ ଆଦି ପ୍ରମାଣପତ୍ର ଓଡ଼ିଶା ଠିକଣାରେ ବନାଉଛନ୍ତି ବୋଲି ସେ ସ୍ଵୀକାର କରିଥିଲା। ଏହି ଘଟଣା ପରେ ଆତଙ୍କବାଦୀଙ୍କ ନଜରରେ ଓଡ଼ିଶା ରହିଥିବା ସ୍ପଷ୍ଟ ହୋଇଥିଲା । ପାକିସ୍ତାନୀ ଓ ଅନ୍ୟ ଆତଙ୍କବାଦୀଙ୍କ ପରେ ଏବେ ଖଲିସ୍ତାନୀଙ୍କ ନଜରରେ ଓଡ଼ିଶା ରହିଛି। ଓଡ଼ିଶାର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଓ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆତଙ୍କବାଦୀଙ୍କ ନାମରେ ଧମକ ଦିଆଯିବା ପରେ ପୁଲିସ ସଚେତନ ହୋଇଉଠିଛି। ଆମେରିକାରୁ ଓ କାନାଡ଼ାରୁ ମେଲ୍ ଜରିଆରେ ଧମକ ମିଳିବା ପରେ ଆଇଟି ବିଶେଷଜ୍ଞଙ୍କ ଜରିଆରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ ଯେ କଟକର ଟାଙ୍ଗୀ ପଶ୍ଚିମକଛ ଅଞ୍ଚଳରେ ଅଲ୍କାଏଦା ଆତଙ୍କବାଦୀ କଟକୀ ମୌଲବୀ ଓ ରାଉରକେଲାରୁ ୪ ସିମି ଆତଙ୍କବାଦୀ ଗିରଫ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଜାଲ୍ ପରିଚୟପତ୍ର ଜରିଆରେ ସେମାନେ ଭାରତରେ ଆଡ୍ଡା ସ୍ଥାପନ କରୁଥିବା ଗିରଫ ଆତଙ୍କବାଦୀଙ୍କ ବୟାନରୁ ଜଣାପଡ଼ିଥିଲା । ଓଡ଼ିଶା ପୁଲିସ ଏହାର ନିୟନ୍ତ୍ରଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି କରିଛି । ଅନୁପ୍ରବେଶ ରୋକିବାକୁ ଆଧୁନିକ ନୂଆ ବୋଟ୍ ସାମିଲ କରାଯିବ ବୋଲି ପୁଲିସ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।
ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ ରହିଛନ୍ତି। ମାଲକାନଗିରି ଜିଲାରେ ସର୍ବାଧିକ ୧ ଲକ୍ଷ ୪ ହଜାର ୨୩୩ ଅଛନ୍ତି । ଅନୁଗୋଳ ଜିଲାରେ ୧୫, ବାଲେଶ୍ଵରରେ ୭୫, ଯାଜପୁରରେ ୩୭୯, କଳାହାଣ୍ଡିରେ ୯୦, କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୬, କୋରାପୁଟରେ ୧୯୪, ନବରଙ୍ଗପୁରରେ ୪୬ହଜାର ୮୪୮ ଓ ରାୟଗଡ଼ରେ ୩୦୪ ଅଛନ୍ତି। ପ୍ରାୟ ୩୭୪୦ ଜଣ ଅନୁପ୍ରବେଶକାରୀ ବେଆଇନ ଭାବେ ରହୁଛନ୍ତି। ବରଗଡ଼ ଜିଲାରେ ୨, ଭଦ୍ରକରେ ୧୯୯, କେନ୍ଦ୍ରାପଡ଼ାରେ ୧୬୪୯, ଖୋର୍ଦ୍ଧା ଓ ଭୁବନେଶ୍ବରରେ ୧୭, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫ ଓ ନବରଙ୍ଗପୁର ଜିଲ୍ଲାର ୧୦୬ ଜଣ ବାଂଲାଦେଶୀ ବେଆଇନ ବସବାସ କରୁଛନ୍ତି । ବେସରକାରୀ ହିସାବରେ ୨ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ ରହୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।