କଟକ: ବିଡ଼ାନାସୀ ଥାନା, ଚହଟା ଲେନ୍ ୬ ବନ୍ଧଛକ ବସ୍ତିରେ ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ପକ୍ଷରୁ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଛି। ଏନେଇ ହିନ୍ଦୁସେନା ଓ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସେଠାରେ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ବିଡ଼ାନାସୀ ବନ୍ଧଛକ ବସ୍ତିରେ ଜାନୁୟାରୀ 12 ତାରିଖ ସକାଳ ୧୦ଟାରେ ଧର୍ମ ପରିବର୍ତ୍ତନ ପାଇଁ ଏକ ପରିବାରରେ ଭୋଜିଭାତ ଆୟୋଜନ କରାଯାଇଥିଲା। ଉତ୍ସବ ସ୍ଥଳରେ ବ୍ୟାନର୍ ଲଗାଯାଇଥିଲା। ଗଜପତି ଜିଲ୍ଲାରୁ କିଛି ବ୍ୟକ୍ତି ଆସି ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ପୁଲିସ କିମ୍ବା ପ୍ରଶାସନର ବିନା ଅନୁମତିରେ ଏହି କାର୍ଯ୍ୟ ଚାଲିଥିବା ଜଣାଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ହିନ୍ଦୁସେନା ଓ ବଜରଙ୍ଗ ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ବିଡ଼ାନାସୀ ଥାନାରେ ଅଭିଯୋଗ ହୋଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ, ଆଇନଜୀବୀ କ୍ଷୀତିଶ ଜଗତି, ସୁମନ୍ତ ସାହୁ, ଅଶୋକ ସାହୁ, ରୂପକ ପ୍ରସାଦ, ଚୈତନ୍ୟ ପରିଡ଼ା, ଚିତ୍ତ ରଞ୍ଜନ ପରିଡ଼ା, ସୁଜିତ ଶାସମଲ, ସାନନ୍ଦ ବେହେରା ପ୍ରମୁଖ ଦାବି କରିଛନ୍ତି। ଅନ୍ୟପଟେ ପୁଲିସ ଏହି ଘଟଣାରେ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଆଇଆଇସି ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି।