Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ ହେଲା କପିଳାସ-ଜିଲ୍ଲା ପ୍ରଶାସନର ଘୋଷଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ ହେଲା କପିଳାସ-ଜିଲ୍ଲା ପ୍ରଶାସନର ଘୋଷଣା

ଢେଙ୍କାନାଳ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସକୁ ପ୍ଲାଷ୍ଟିକ୍ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କଟକଣା କରାଯାଇଛି । ଢେଙ୍କାନାଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କପିଳାସ ଛକ ଠାରୁ କପିଳାସ ପୀଠ, ପାକିଂ ସ୍ଥଳ ଓ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅଞ୍ଚଳ କଟକଣାଭୁକ୍ତ ହୋଇଛି। ଅମାନ୍ୟକଲେ ୫୦୦ ଟଙ୍କାର ଜରିମାନା ପ୍ରାବଧାନ ରଖାଯାଇଛି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ କପିଳାସ ପୀଠ ଥିବା ବେଳେ ପରିବେଶକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ଡିସେମ୍ବର ୨୬ଗୁରୁବାର ଏ ନେଇ ନିର୍ଦ୍ଦେଶନାମା (ପତ୍ରସଂଖ୍ୟା-୭୩୫୭) ପ୍ରକାଶ ପାଇଛି। ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମ ୨୦୧୬ ଅନୁଯାୟୀ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି। କପିଳାସ ପୀଠର ପାଦଦେଶ ଅର୍ଥାତ କପିଳାସ ଛକଠାରୁ ବାରବାଙ୍କ ଦେଇ କପିଳାସ ପୀଠର ଶିଖର ପର୍ଯ୍ୟନ୍ତ ଓ ପାକିଂ ସ୍ଥଳ, ଘରୋଇ ହୋଟେଲଠାରୁ ଦେଓଗାଁ ପିଏର୍ସି ପର୍ଯ୍ୟନ୍ତ ଅଞ୍ଚଳକୁ କଟକଣା ଅଞ୍ଚଳରେ ସାମିଲ କରାଯାଇଛି। ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗଁଦିଆ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଭଳି ପ୍ଲାଷ୍ଟିକ୍ ବ୍ୟବହାର କରାନଯାଏ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ସେହିଭଳି ଗଁଦିଆ ଥାନା ଅଧିକାରୀ ପୁଲିସ ଫୋର୍ସ ସହ ଚଢ଼ାଉ କରିବେ। ନିୟମ ଅମାନ୍ୟ କରି ପ୍ଲାଷ୍ଟିକ ବ୍ୟବହାର କଲେ ୫୦୦ ଟଙ୍କାର ଜରିମାନା ଆଦାୟ କରାଯିବ ବୋଲି ବିଜ୍ଞପ୍ତିରେ ଚେତାଇ ଦିଆଯାଇଛି । ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ଗତକାଲି ପୀଠରେ ପହଞ୍ଚି ସଚେତନ କରିଥିଲେ। ନିଲାମ ନେଇ ଭୋଗ, ଅନୁପ୍ରସାଦ ସମେତ ବିଭିନ୍ନ ଦୋକାନ କରିଥିବା ବ୍ୟବସାୟୀଙ୍କୁ ସଚେତନ କରିଥିଲେ। ଜରି ପ୍ଲାଷ୍ଟିକରେଭୋଗ, ଫୁଲ ଆଦି ଦିଅଯାଉଥିବାରୁ ତାହାକୁ ବାରଣ କରିଥିଲେ । ବଦଳରେ ତାଳପତ୍ର କିମ୍ବା କାଗଜଠୁଙ୍ଗା ବ୍ୟବହାର କରିବାକୁ ତାଗିଦ କରିଥିଲେ। ସେହିଭଳି ପୀଠରେ ଅନୁପ୍ରସାଦ ଥାଳି ସୋଲ କିମ୍ବା ପ୍ଲାଷ୍ଟିକ୍ ବଦଳରେ ଖଲିପତ୍ର ବ୍ୟବହାର କରିବାକୁ କହିଥିଲେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଗଡ଼ନାୟକ କହିଛନ୍ତି।

କିଛି ବର୍ଷ ହେଲା ଶ୍ରାବଣ ମାସରେ କାଉଡ଼ି ଯାତ୍ରା ସମୟରେ ପ୍ରଶାସନ ପ୍ଲାଷ୍ଟିକ ଉପରେ କଟକଣା ଜାରି କରି ଆସୁଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଅଜ୍ଞତାବଶତଃ ପ୍ଲାଷ୍ଟିକ୍ ଆଣୁଥିବାରୁ ନିଷିଦ୍ଧ ସତ୍ତ୍ଵେ ପୀଠରେ କୁଢକୁଢ ପ୍ଲାଷ୍ଟିକ ଆବର୍ଜନା ପଡିରହିଥାଏ। ଏଥିପାଇଁ ପୀଠକୁ ସବୁଦିନ ପାଇଁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପରିବେଶ ପ୍ରେମୀ ଦାବି କରିଆସୁଥିଲେ। ପ୍ରଶାସନର ଏ ନିଷ୍ପତ୍ତିକୁ ପରିବେଶ ପ୍ରେମୀ ସ୍ବାଗତ କରିଥିବା ବେଳେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ନେଇ ଦାବି ହୋଇଛି।

Leave a Reply